ଅକଟୋବର ୧୫ ପରେ କଣ ବଦଳିବାକୁ ଯାଉଛି ନିୟମ? ଜାଣି ରଖନ୍ତୁ, ଆପଣଙ୍କ ଉପରେ କଣ ରହିବ ପ୍ରଭାବ?

ଅକଟୋବର ୧୫ ପରେ କଣ ବଦଳିବାକୁ ଯାଉଛି ନିୟମ? ଜାଣି ରଖନ୍ତୁ, ଆପଣଙ୍କ ଉପରେ କଣ ରହିବ ପ୍ରଭାବ?

ଆସନ୍ତା ଅକଟୋବର ୧୫ରୁ ଦେଶରେ ଅନେକ ନିୟମ ବଦଳିବାକୁ ଯାଉଛି । କରୋନା କଟକଣା ଭିତରେ ଅନଲକର ଯେଉଁ ଗାଇଡଲାଇନ ଜାରି ହୋଇଛି, ସେଥିରେ ଅକଟୋବର ୧୫ର ଗୁରୁତ୍ୱ ଯଥେଷ୍ଟ ଅଧିକ ରହିଛି । ସାରା ଦେଶରେ ଅନଲକର ଏହା ପଂଚମ ଗାଇଡଲାଇନ । ଯେଉଁଥିରେ ନିଆଯାଇଥିବା ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଅକଟୋବର ୧୫ରୁ କାର୍ଯ୍ୟକାରୀ ହେବାକୁ ଯାଉଛି ।
ସ୍କୁଲ ଖୋଲିବା ନେଇ ନେଇପାରିବେ ନିଷ୍ପତ୍ତି
ଅକ୍ଟୋବର ୧୫ ପରେ ସ୍କୁଲ ଓ କୋଚିଂ ସେଂଟର ଖୋଲିବା ପାଇଁ ରାଜ୍ୟ ସରକାର ନିଷ୍ପତି ନେଇପାରିବେ ବୋଲି କହିଛନ୍ତି କେନ୍ଦ୍ର ସରକାର । ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ ଓ ଶିକ୍ଷାନୁଷ୍ଠାନର ପରିଚାଳନା କମିଟି ସହ ଆଲୋଚନା କରି ରାଜ୍ୟ ସରକାର ଏ ନେଇ ନିଷ୍ପତି ନେବେ । ତେବେ ଅନଲାଇନ ପାଠପଢ଼ା ଜାରି ରଖିବାକୁ ପ୍ରୋତ୍ସାହିତ କରାଯିବ । ସ୍କୁଲ ନଆସି ଯେଉଁ ଛାତ୍ରଛାତ୍ରୀ ଅନଲାଇନରେ ପାଠ ପଢ଼ିବାକୁ ଚାହିଁବେ, ସେମାନଙ୍କୁ ଅନୁମତି ଦିଆଯିବ । ତେବେ ଛାତ୍ରଛାତ୍ରୀମାନେ ସ୍କୁଲ ଆସିବା ପାଇଁ ବାପାମାଆଙ୍କ ଲିଖିତ ସମ୍ମତି ଆବଶ୍ୟକ ବୋଲି କୁହାଯାଇଛି । ଆଟେଂନାନ୍ସକୁ ବାଧ୍ୟମୂଳକ କରାଯିବ ନାହିଁ । ସ୍କୁଲ ଖୋଲିବା ପାଇଁ ରାଜ୍ୟ ସରକାର ଏସଓପି ବା ନିୟମାବଳୀ ଜାରି କରିପାରିବେ ।

କେନ୍ଦ୍ର ଗୃହମନ୍ତ୍ରାଳୟ ସହ ଆଲୋଚନା କରି ଉଚ୍ଚଶିକ୍ଷା ବିଭାଗ, ଶିକ୍ଷା ମନ୍ତ୍ରାଳୟ, କଲେଜ ଓ ଉଚ୍ଚଶିକ୍ଷା ଅନୁଷ୍ଠାନ ଖୋଲିବା ପାଇଁ ନିଷ୍ପତି ନେଇପାରିବେ । ତେବେ ପିଏଚଡି ଓ ସ୍ନାତକୋତର ଶିକ୍ଷା ଯେଉଁଥିରେ ଲାବୋରେଟୋରୀ କାର୍ଯ୍ୟ ଥିବ, ସେଗୁଡିକ ଅକ୍ଟୋବର ୧୫ରୁ ଖୋଲିବା ପାଇଁ ଅନୁମତି ଦେଇଛନ୍ତି ସରକାର । ସେହିପରି ରିସର୍ଚ ରାଜ୍ୟରେ ଥିବା ବିଶ୍ୱବିଦ୍ୟାଳୟ, ଘରୋଇ ବିଶ୍ୱବିଦ୍ୟାଳୟରେ ରିସର୍ଚ କରୁଥିବା ସ୍କଲାରଙ୍କ ପାଇଁ ପାଠପଢ଼ା ନେଇ ନିଷ୍ପତି ନେବେ ରାଜ୍ୟ ସରକାର ।

ଖୋଲିବ ସିନେମା ହଲ
ଅକଟୋବର ୧୫ରୁ ଦେଶରେ ସିନେମା ହଲ ଖୋଲିବାକୁ ନିଷ୍ପତ୍ତି ହୋଇଛି । ସିନେମା ହଲ କେବେ ଖୋଲିବ ସେନେଇ ଚର୍ଚ୍ଚା ଭିତରେ କେନ୍ଦ୍ର ଗୃହମନ୍ତ୍ରାଳୟ ଏନେଇ ନିଷ୍ପତ୍ତି ନେଇଛି । ବଡ କଥା ହେଉଛି ୫୦ ପ୍ରତିଶତ କ୍ଷମତାରେ ସିନେମା ହଲ ଚଲାଇବାକୁ ଅନୁମତି ମିଳିଛି । ଅର୍ଥାତ୍ ସିନେମା ହଲର ଯଦି ବସିବା କ୍ଷମତା ୩୦୦, ତେବେ ମାତ୍ର ୧୫୦ ଦର୍ଶକଙ୍କୁ ନେଇ ସିନେମା ହଲ ଖୋଲିବ । କରୋନା କାଳରେ କିଭଳି ସିନେମା ହଲ ଗୁଡିକୁ ଅପରେଟ କରିପାରିବେ ସେନେଇ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଏସଓପି ଜାରି କରିବ ।

ଖୋଲିବ ସ୍ୱିମିଂ ପୁଲ
ସେହିଭଳି ଅକଟୋବର ୧୫ରୁ ସ୍ୱିମିଂ ପୁଲ ଖୋଲିବାକୁ ମଧ୍ୟ ଅନୁମତି ମିଳିଛି । ହେଲେ ଏଥିରେ କେବଳ କ୍ରିଡାବିତଙ୍କୁ ଟ୍ରେନିଂ ପାଇଁ ଅନୁମତି ମିଳିଥିବା କେନ୍ଦ୍ର ସରକାରଙ୍କ ଗାଇଡଲାଇନରେ ଦର୍ଶାଯାଇଛି । ଏଥିପାଇଁ କେନ୍ଦ୍ର କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଏସଓପି ଜାରି କରାଯିବ । ବ୍ୟବସାୟ ସଂକ୍ରାନ୍ତୀୟ ପ୍ରଦର୍ଶନୀ ମଧ୍ୟ ଅକଟୋବର ୧୫ରୁ ଚାଲିପାରିବ, ଯାହାର ଏସଓପି କେନ୍ଦ୍ର ବାଣିଜ୍ୟ ମନ୍ତ୍ରାଳୟ ଜାରି କରିବ ।

ଖୋଲିବ ପାର୍କ
ଅକଟୋବର ୧୫ରୁ ଏଂଟରଟେନମେଂଟ ପାର୍କ ଖୋଲିବାକୁ ମଧ୍ୟ ଅନୁମତି ମିଳିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏଥିପାଇଁ ଏସଓପି ଜାରି କରିବ ବୋଲି ଅନଲକ ୫ର ଗାଇଡଲାଇନରେ ଉଲ୍ଲେଖ ରହିଛି ।

ସମାବେଶରେ ୧୦୦ରୁ ଅଧିକ ଲୋକ
ଅକଟୋବର ୧୫ ପରେ ୧୦୦ରୁ ଅଧିକ ଲୋକଙ୍କୁ ନେଇ ସମାବେଶ ହୋଇପାରିବ । ଅବରୋଧ ଅଂଚଳ ବାହାରେ ସାମାଜିକ, ଧାର୍ମିକ, ରାଜନୈତିକ, ଶିକ୍ଷା, କ୍ରୀଡ଼ା, ମନୋରଂଜନ ସମାବେଶ ପାଇଁ ପୂର୍ବରୁ ଅନୁମତି ମିଳିଥିଲା । ତେବେ ୧୦୦ରୁ ଅଧିକ ଲୋକ ଏକାଠି ହେବା ଉପରେ ପ୍ରତିବନ୍ଧ ଳଗାଯାଇଥିଲା । ଅନଲକ୍-୫ରେ ଏଥିରେ କୋହଳ କରଯାଇଛି । ଅକଟୋବର ୧୫ ପରେ ଏହା କାର୍ଯ୍ୟକାରୀ ହୋଇପାରିବ ।

ଅବରୋଧ ଅଂଚଳ ବାହାରେ ୧୦୦ରୁ ଅଧିକ ଲୋକ ଏକାଠି ହେବା ଲାଗି ରାଜ୍ୟ ସରକାର ଅନୁମତି ଦେଇପାରିବେ । ତେବେ ଏଥିରେ କିଛି ସର୍ତ ରଖିଛନ୍ତି କେନ୍ଦ୍ର ସରକାର । ଆବଦ୍ଧ ଅଂଚଳରେ ବା ହଲ ଭିତରେ ସମାବେଶ ହେଉଥିଲେ ହଲ କ୍ଷମତାର ଅଧା ଲୋକ ସାମିଲ ହୋଇପାରିବେ । ସର୍ବାଧିକ ୨୦୦ ଲୋକ ସମାଗମ ହୋଇପାରିବେ । ମାସ୍କ ପିନ୍ଧିବା, ସାମାଜିକ ଦୂରତା, ହାତ ଧୋଇବା ଏବଂ ଥର୍ମାଲ ସ୍କାନିଂ ବାଧ୍ୟତାମୂଳକ ହେବ । ଖୋଲା ପଡ଼ିଆରେ ସମାଗମ ହେଉଥିଲେ ପଡ଼ିଆର ଆକାର ଅନୁସାରେ ନିଷ୍ପତି ନିଆଯିବ । ସମାଗମକୁ ନିୟନ୍ତ୍ରଣ ରାଜ୍ୟ ସରକାର ଏ ନେଇ ନିୟମାବଳୀ ଜାରି କରିବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe