ସରିବାକୁ ଯାଉଛି ଅନଲକ୍ -୪ । ପୁଣି ୨ ଦିନ ପରେ ଆରମ୍ଭ ହେବ ଅନଲକ୍ -୫ । ଅନଲକ୍ -୫ ରେ କ’ଣ ରହିବ ସରକାରଙ୍କ ଆଭିମୁଖ୍ୟ ? କ’ଣ ଖୋଲିବ ଓ କ’ଣ ବନ୍ଦ ରହିବ ତାକୁ ନେଇ ଲାଗି ରହିଛି ଚର୍ଚ୍ଚା ।

7,153

କନକ ବ୍ୟୁରୋ : ଅନଲକ୍ -୧ ରୁ ଅନଲକ୍ -୪, ସରକାର ସବୁବେଳେ କିଛି ନା କିଛି ନୂଆ କଟକଣା ଜାରି କରିବା ସହ ପୁରୁଣା କଟକଣା ଉପରେ କୋହଳ ମନୋଭାବ ପୋଷଣ କରୁଛନ୍ତି । ହେଲେ କରୋନା ବିଶ୍ୱବାସୀଙ୍କ ଉପରେ କେବେ ବି କୋହଳ ମନୋଭାବ ପୋଷଣ କରିବା ଭଳି ଦେଖିବାକୁ ମିଳୁନାହିଁ । ଲକଡାଉନ ହେଉ କି ସଟଡାଉନ କାହାରି କଥା ମାନିବା ପାଇଁ ଏ ଭୂତାଣୁ ପ୍ରସ୍ତୁତ ନୁହେଁ । ଏତେ କଟକଣା ଭିତରେ ୬୦ ଲକ୍ଷ ପାର ହେଲାଣି ଦେଶର ଆକ୍ରାନ୍ତଙ୍କ ସଂଖ୍ୟା । ଏହାସହ ଏହି ଭୂତାଣୁ ସଂକ୍ରମଣରେ ମୃତକଙ୍କ ସଂଖ୍ୟା ବି ୧ ଲକ୍ଷ ପାଖା ପାଖି ।

ହେଲେ ଏହି ଅନଲକ, ଲକଡାଉନ ଓ ସଟଡାଉନ ଭିତରେ ପୂରା ପେଶି ହୋଇଗଲେଣି ଦେଶର ୧୩୫ କୋଟି ଲୋକ । ଏହାକୁ ଦୃଷ୍ଟିରେ ରଖି ସରକାର ୪ ଥର ବିଭିନ୍ନ କ୍ଷେତ୍ରରେ ଅନଲକ୍ କରିଛନ୍ତି । ହେଲେ ବାସ୍ତବରେ ସ୍ଥିତି ସୁଧୁରିବାର ନା ନେଉନି । ଶ୍ରମିକଙ୍କୁ କାମ ମିଳୁନି , କଳ କାରଖାନାକୁ ଶ୍ରମିକ ମିଳୁନି । ଭୟ ଓ ରୋଜଗାର ବିନା ଲୋକଟି ତା’ର ସାଧାରଣ ଆବଶ୍ୟକତା ପୁରଣ କରିବାକୁ ବଜାର ଘାଟ ଯାଉନି । ଫଳରେ ବ୍ୟବସାୟ ମାନ୍ଦା । ଏସବୁକୁ ଦୃଷ୍ଟିରେ ରଖି ସରକାର ଅନଲକ- ୫ ରେ କିଛି ପ୍ରମୁଖ ବ୍ୟବସ୍ଥା ଉପରୁ କଟକଣା ହଟାଇବେ ବୋଲି ଆଶା କରାଯାଉଛି । ଯାହାଦ୍ୱାରା ସରକାର ଓ ନାଗରିକ ଉଭୟଙ୍କୁ ଫାଇଦା ମିଳିବ ।

ଅନଲକ୍ -୫ ରେ ସରକାର ସିନେମା ହଲ୍, ରେଷ୍ଟୁରାଣ୍ଟ ଖୋଲିବା ନେଇ ଆଶା କରାଯାଉଛି । ଅନ୍ୟପଟେ ସରକାରଙ୍କ ରାଜକୋଷକୁ ବଳଶାଳୀ କରୁଥିବା ପର୍ଯ୍ୟଟନସ୍ଥଳୀ ଖୋଲିବା ନେଇ ସରକାର କିଛି ପଦକ୍ଷେପ ନେଇ ପାରନ୍ତି ବୋଲି ବି ଆଶା କରାଯାଉଛି ।

ଅନ୍ୟପଟେ ଅନଲକ- ୫ ଅକ୍ଟୋବର ମାସ ପଡୁଥିବାରୁ ଏହା ଦେଶର ପାର୍ବଣର ମାସ । ଏହି ପରିପେକ୍ଷୀରେ ସରକାର ଅନଲକ୍ -୪ ରେ କେଣ୍ଟନମେଣ୍ଟ ଜୋନ ପାଇଁ ଯେଭଳି ଭାବେ କଡା କଟକଣା ଜାରି କରିଥିଲେ ଅନଲକ୍ -୫ ରେ ତାହା ଉପରେ କିଛି କୋହଳ କରାଯାଇ ପାରେ ।

ସେହିଭଳି ଅନଲକ୍ -୪ ରେ ସପିଂ ମଲ୍ ଉପରେ କିଛିଟା କଟକଣା କୋହଳ ହୋଇଥିବା ବେଳେ ଅନଲକ୍ -୫ ରେ ଏହାକୁ ଆହୁରି କୋହଳ କରାଯାଇପାରେ । ସେପଟେ ସିନେମା ହଲ୍,ସ୍ୱିମିଂ ପୋଲ,ମନୋରଂଜନ ପାର୍କକୁ କିଛି ସର୍ତ୍ତ ସହିତ ଖୋଲିବାକୁ ମଞ୍ଜୁର ମିଳିପାରେ । ଅନ୍ୟପଟେ ମଲ୍ଟିପ୍ଲେକ୍ସ ଆସୋସିଏସନ ଅଫ ଇଣ୍ଡିଆ ପକ୍ଷରୁ ସରକାରଙ୍କୁ ଅନୁରୋଧ କରାଯାଇଛି କି କିଛି ସର୍ତ୍ତ ସହିତ ସିନେମା ହଲ ଖୋଲିବାକୁ ଅନୁମତି ମିଳୁ । ସରକାର ଏହା ଉପରେ ବିଚାର କରିପାରନ୍ତି । କହିରଖୁ କି ସରକାର ୨୧ ସେପ୍ଟେମ୍ବରରେ ଖୋଲାରଙ୍ଗମଞ୍ଚ ଉପରୁ କଟକଣା ପ୍ରତ୍ୟାହାର କରିନେଇଥିଲେ ।

ଏବେ ଅପେକ୍ଷା ରହିଲା ଯେ ସରକାର ଅନଲକ୍ -୫ ରେ କରୋନା ସଂକ୍ରମଣ ରୋକିବାକୁ ଯେତିକି ଗୁରୁତ୍ୱ ଦେଉଛନ୍ତି, ସାଧାରଣ ଲୋକଙ୍କ ଜୀବନ ଜିବୀକା ସୁରକ୍ଷାକୁ ନେଇ ସେହିଭଳି ଗୁରୁତ୍ୱ ଦେଉଛନ୍ତି କି ନାହିଁ ।