ଆସିଲା ଅନଲକ ୫ ଗାଇଡଲାଇନ । ଅକ୍ଟୋବର ୧୫ରୁ ଖୋଲିବ ସିନେମା ହଲ୍ ଓ ସୁଇମିଂ ପୁଲ । ମନୋରଞ୍ଜନ ପାର୍କ ମଧ୍ୟ ଖୋଲିବାକୁ ମିଳିଲା ଅନୁମତି । ସ୍କୁଲ ଖୋଲିବା ନେଇ ରାଜ୍ୟ ସରକାର ନେବେ ନିଷ୍ପତ୍ତି ।

1,119

କନକ ବ୍ୟୁରୋ : ଆଜି କେନ୍ଦ୍ର ସରକାର ଅନଲକ ୫.୦ ଲାଗି ଗାଇଡଲାଇନ ଜାରି କରିଛନ୍ତି । ଏହା ଅକ୍ଟୋବର ୧ରୁ ଅକ୍ଟୋବର ୩୧ ପର୍ୟ୍ୟନ୍ତ ଲାଗୁ ରହିବ । ଏଥିରେ ସରକାର ଆଉ କେତେକ କଟକଣାକୁ କୋହଳ କରିଛନ୍ତି ।

କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି ଏସବୁ ଗାଇଡଲାଇନ ଅନୁସାରେ ଆସନ୍ତା ଅକ୍ଟୋବର ୧୫ରୁ ସାରା ଦେଶରେ ସିନେମା ହଲ ଖୋଲିବ । ତେବେ କଣ୍ଟେନମେଣ୍ଟ ମଧ୍ୟରେ ଆସୁଥିବା ସିନେମା ହଲ ଗୁଡ଼ିକ ବନ୍ଦ ରହିବ । ଅନ୍ୟପକ୍ଷରେ ବାଣିଜ୍ୟିକ ପ୍ରଦର୍ଶନୀଗୁଡ଼ିକର ଆୟୋଜନକୁ ମଧ୍ୟ ଅନୁମତି ଦିଆଯାଇଛି । ଏଥିଲାଗି କେନ୍ଦ୍ର ବାଣିଜ୍ୟ ମନ୍ତ୍ରାଳୟ ଏସଓପି ଜାରି କରିବ । ସେହିପରି କ୍ରୀଡ଼ାବିତଙ୍କ ଅଭ୍ୟାସ ପାଇଁ ଉଦ୍ଦିଷ୍ଟ ସୁଇମିଂ ପୁଲ ମଧ୍ୟ ଖୋଲା ରହିବ । ଏଥିପାଇଁ କେନ୍ଦ୍ର କ୍ରୀଡ଼ା ମନ୍ତ୍ରାଳୟ ପକ୍ଷରୁ ଏସଓପି ଜାରି କରାଯିବ । ମନୋରଂଜନ ପାର୍କ ଓ ସମାନଧରଣର ପାର୍କ ଗୁଡ଼ିକ ମଧ୍ୟ ଖୋଲିବାକୁ ଅନୁମତି ଦିଆଯାଇଛି । ଏଥିଲାଗି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏସଓପି ଜାରି କରିବ ।

ଅନ୍ୟପକ୍ଷରେ ସ୍କୁଲ, କଲେଜ ଓ ଶିକ୍ଷାନୁଷ୍ଠାନ ଖୋଲିବା ସମ୍ପର୍କରେ ନିଷ୍ପତ୍ତି ନେବା ଲାଗି ରାଜ୍ୟ ସରକାରମାନଙ୍କୁ ଅକ୍ଟୋବର ୧୫ ପରେ ସ୍ୱାଧୀନତା ଦିଆଯାଇଛି । ଅକ୍ଟୋବର ୧୫ରୁ ଧିରେ ଧିରେ ସ୍କୁଲ ଖୋଲିବା ନେଇ ରାଜ୍ୟସରକାର ପଦକ୍ଷେପ ନେବେ । ତେବେ ଦେଶରେ ଅନ୍ତର୍ଜାତୀୟ ବିମାନ ଯାତ୍ରାକୁ ଅନୁମତି ଦିଆଯାଇନାହିଁ ।