ଅନଲକ-୪ ପାଇଁ କେନ୍ଦ୍ରର ଗାଇଡଲାଇନ ପରେ ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକାକୁ ଅପେକ୍ଷା । ଆଉ ହେବ ନାହିଁ କି ଲକଡାଉନ କି ସଟଡାଉନ, ଉଠିଯିବ କି ରାତ୍ରୀକାଳୀନ କର୍ଫ୍ୟୁ । ମନ୍ଦିର ଖୋଲିବା ନେଇ କ’ଣ ନିଷ୍ପତିି ନେବେ ସରକାର, ବନ୍ଦ ହେବ କି ଶନି-ରବି ସଟଡାଉନ ?

1,167

କନକ ବ୍ୟୁରୋ: ମହାମାରୀ କରୋନାର ସଂକ୍ରମଣ ରୋକିବାକୁ କେନ୍ଦ୍ର ସରକାର ଜାରି କରିଥିବା କଟକଣା ନିୟମରେ ବଡ ଧରଣର ପରିବର୍ତନ କରିଛନ୍ତି । ସେପ୍ଟେମ୍ବର ୧ରୁ ସାରାଦେଶରେ ଲାଗୁହେବ ଅନଲକ ଫୋର । ଏଥିପାଇଁ ଜାରି ଗାଇଡଲାଇନରେ କୁହାଯାଇଛି-

କେନ୍ଦ୍ରର ଅନଲକ ୪.୦ ଗାଇଡଲାଇନ୍
– କଂଟେନମେଂଟ ଜୋନ ବାହାରେ କୌଣସି ରାଜ୍ୟ କିମ୍ବା କେନ୍ଦ୍ର ଶାସିତ ଅଂଚଳର ସରକାର ଲକଡାଉନ ଘୋଷଣା କରିପାରିବେ ନାହିଁ
– ଯଦି କୌଣସି ରାଜ୍ୟ ସରକାର ଏଭଳି କଟକଣା ଲାଗୁ କରିବାକୁ ଚାହିଁବେ ତାହାହେଲେ କେନ୍ଦ୍ର ସରକାରଙ୍କଠାରୁ ଆଗୁଆ ଅନୁମତି ନେବାକୁ ପଡିବ
ଅଗଷ୍ଟ ୧ ତାରିଖରୁ ସାରାଦେଶ ପାଇଁ ଅନଲକ- ୩.୦ ଗାଇଡଲାଇନ ଜାରି କରି ରାତି କର୍ଫ୍ୟୁକୁ ହଟାଇ ଦେଇଥିଲେ କେନ୍ଦ୍ର ସରକାର । ହେଲେ ରାଜ୍ୟ ସରକାର ତାଙ୍କ ଗାଇଡଲାଇନରେ ରାତି ୯ରୁ ସକାଳ ୭ ଯାଏଁ ନାଇଟ କର୍ଫ୍ୟୁକୁ ବଳବତର ରଖିବା ସହ ୪ଟି ଜିଲ୍ଲା ଓ ଗୋଟିଏ ମ୍ୟୁନିସିପାଲିଟିରେ ସପ୍ତାହର ଶେଷ ଦୁଇଦିନ ସଂପୂର୍ଣ୍ଣ ସଟଡାଉନ ଘୋଷଣା କରିଥିଲେ ।

କରୋନାର ସଂକ୍ରମଣ ଭତିରେ ଜୀବନ ଜୀବିକାକୁ ସ୍ୱାଭାବିକ କରିବା ଓ ଦେଶର ଅର୍ଥନୀତିକୁ ଟ୍ରାକକୁ ଫେରାଇ ଆଣିବା ପାଇଁ ଅଗଷ୍ଟ ୧ରୁ ସାରାଦେଶରେ ଅନଲକ ୩.୦ ଜାରି କରିଥିଲେ କେନ୍ଦ୍ର ସରକାର । ଯେଉଁଥିରେ ରାତିରେ ଯାତାୟତ ଓ ଦୋକାନ ବଜାର ଖୋଲିବା ଉପରେ ପ୍ରତିବନ୍ଧକକୁ ହଟାଇ ଦିଆଗଲା । ହେଲେ ରାଜ୍ୟ ସରକାର ରାତି କର୍ଫ୍ୟୁକୁ ଜାରି ରଖିଥିଲେ । କରୋନାର ସଂକ୍ରମଣକୁ ଦେଖି ଗଞ୍ଜାମ, ଖୋର୍ଦ୍ଧା, କଟକ ଓ ଗଜପତି ଜିଲ୍ଲା ସମେତ ରାଉରକେଲା ମ୍ୟୁନିସିପାଲିଟିରେ ପ୍ରତି ସପ୍ତାହର ଶନିବାର ଓ ରବିବାର ସଂପୂର୍ଣ୍ଣ ସଟଡାଉନ କଟକଣା ଲଗାଇଥିଲେ । ହେଲେ କେନ୍ଦ୍ର ସରକାରଙ୍କ ଏହି ନୂଆ ଗାଇଡଲାଇନରେ ସ୍ପଷ୍ଟ ଭାବେ ଲେଖାଯାଇଛି ଯେ, ଏଣିକି ରାଜ୍ୟଗୁଡିକ ଏଥିପାଇଁ ଏକପାଖିଆ ଭାବେ ନିଷ୍ପତି କରିପାରିବେ ନାହିଁ । ଜିଲ୍ଲା, ସବଡିଭିଜନ୍, ସହର କିମ୍ବା ଗ୍ରାମାଂଚଳ ସ୍ତରରେ ଲୋକାଲ ଲକଡାଉନ କରାଯାଇ ପାରିବ ନାହିଁ ।

ଅଗଷ୍ଟ ୮ ତାରିଖରୁ ସାରାଦେଶରେ କଟକଣା ଭିତରେ ଧର୍ମାନୁଷ୍ଠାନ ଖୋଲିବାକୁ ମଧ୍ୟ ଅନୁମତି ଦେଇଥିଲେ କେନ୍ଦ୍ର ସରକାର । କିନ୍ତୁ କରୋନା ସଂକ୍ରମଣକୁ ଦେଖି ରାଜ୍ୟ ସରକାରଙ୍କ ଉପରେ ନିଷ୍ପତି ଛାଡିଥିଲେ । ଆଉ ରାଜ୍ୟ ମାର୍ଗଦର୍ଶିକାରେ ଧର୍ମାନୁଷ୍ଠାନ ଖୋଲିବା ପ୍ରସଙ୍ଗଟିକୁ ବାଦ ଦିଆଯାଇଥିଲା ।

ଏବେ କିନ୍ତୁ କେନ୍ଦ୍ର ଯେଉଁ ସର୍ତଟି ରଖିଛି, ତାହା ରାଜ୍ୟ ସରକାରଙ୍କ ହାତ ବାନ୍ଧି ଦେଇଛି । ମନଇଛା ଆଉ ରାଜ୍ୟ ସରକାର ଲକଡାଉନ, ସଟଡାଉନ ଭଳି କଟକଣା ଲଗାଇ ପାରିବେ ନାହିଁ । ରାଜ୍ୟ ଭିତରେ କିମ୍ବା ରାଜ୍ୟ-ରାଜ୍ୟ ଭିତରେ କୌଣସି ପ୍ରକାର ଯାତାୟତକୁ ମଧ୍ୟ କଟକଣାମୁକ୍ତ ରଖିବାକୁ ଜାରି ମାର୍ଗଦର୍ଶିକାରେ କୁହାଯାଇଛି ।