କନକ ବ୍ୟୁରୋ : ପଦ୍ମପୁରରେ ଦୁଇ କେନ୍ଦ୍ର ମନ୍ତ୍ରୀ ଖାଇବା ବେଳେ କିଏ ଉଠାଉଥିଲା ଫଟୋ ? କାହିଁକି ଉଠାଯାଉଥିଲା ଫଟୋ ? କରାଯାଉଥିଲା କି ଗୁଇନ୍ଦାଗିରି ? କେନ୍ଦ୍ରମନ୍ତ୍ରୀଙ୍କ ଫଟୋ ଉଠାଇବାକୁ ନେଇ ଆରମ୍ଭ ହାଇଛି ବିବାଦ । ଗୁଇନ୍ଦାଗିରି ଚାଲିଥିବା ଅଭିଯୋଗ କରି ଥାନାରେ ଦ୍ୱାରସ୍ଥ ହୋଇଛି ବିଜେପି । ପୁରୁଷୋତମପୁରରେ ଜଣେ ବିଜେପି କର୍ମୀଙ୍କ ଘରେ ଦୁଇ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଓ ଅଶ୍ୱିନୀ ବୈଷ୍ଣବଙ୍କ ସମେତ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି, ସାଂସଦ ସୁରେଶ ପୂଜାରୀ, ପ୍ରତାପ ଷଡଙ୍ଗୀ ମଧ୍ୟାହ୍ନ ଭୋଜନ କରୁଥିଲେ । ଏହି ସମୟରେ ଜଣେ ଅଜଣା ବ୍ୟକ୍ତି ସେଠାରେ ପହଞ୍ଚି ମୋବାଇଲରେ ସବୁ ଦୃଶ୍ୟ ରେକଡିଂ କରି ଚାଲିଥିଲେ ।

Advertisment

ବିନା ଅନୁମତିରେ ଫଟୋ ନ ଉଠାଇବାକୁ ସଂପୃକ୍ତ ବ୍ୟକ୍ତିଙ୍କୁ କେନ୍ଦ୍ରମନ୍ତ୍ରୀମାନଙ୍କ ସୁରକ୍ଷାକର୍ମୀ କହିଥିଲେ । ଏହାପରେ ସଂପୃକ୍ତ ବ୍ୟକ୍ତିର ପରିଚୟ ପତ୍ର ମାଗିଥିଲେ ସୁରକ୍ଷାକର୍ମୀ । ବ୍ୟକ୍ତି ଜଣଙ୍କ ନିଜକୁ ଜିଲ୍ଲା ଗୁଇନ୍ଦା ବିଭାଗର କର୍ମଚାରୀ ବୋଲି ପରିଚୟ ଦେଇଥିଲେ । ତାଙ୍କୁ ସେଠାରେ ପଚରାଉଚରା ଆରମ୍ଭ ହେବା ପରେ ସେ ଦୌଡ଼ି ପଳାଇଥିଲେ । ସେଠାରେ ତାଙ୍କ ମୋବାଇଲ୍ ଓ ପରିଚୟ ପତ୍ର ପଡ଼ିଥିଲା । ତାଙ୍କ ଘର ବଲାଙ୍ଗୀରର ବୋଲି କହିଥିବା ସୂଚନା ମିଳିଛି । ତନାଘନା ପରେ ସେ ଜଣେ ଜାଲ ଗୁଇନ୍ଦା ଅଧିକାରୀ ବୋଲି ସନ୍ଦେହ ହେବା ପରେ ଆଦର୍ଶ ଥାନାରେ ଏତଲା ଦେଇଛି ବିଜେପି । ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦଳ ଦାବି କରିଛି ।