କନକ ବ୍ୟୁରୋ: ରାୟଗଡ଼ା ଚନ୍ଦ୍ରପୁର ବ୍ଲକରେ ଅଜଣାରୋଗ ଆତଙ୍କ। ଜୁବାଗୁଡ଼ି ଗାଁରେ ଅଜଣା ରୋଗରେ ଆକ୍ରାନ୍ତ ହୋଇ ୫ ଜଣଙ୍କ ମୃତ୍ୟୁ ହେଲାଣି, ପୂର୍ବରୁ ଡାକ୍ତରୀ ଟିମ୍ ଗାଁରେ ପହଞ୍ଚି ରକ୍ତ ନମୂନା ସଂଗ୍ରହ କରିଥିଲେ ମଧ୍ୟ ରୋଗ ଚିହ୍ନଟ ହୋଇପାରିନାହିଁ । ଯାହାକୁ ନେଇ ଲୋକ ମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି ।

Advertisment
  • ଆଦିବାସୀ ଗାଁରେ ଅଜଣା ଆତଙ୍କ
  • ଅଜଣାରୋଗରେ ୫ ମୃତ, ୧୦ରୁ ଅଧିକ ଆକ୍ରାନ୍ତ

ରାୟଗଡ଼ା ଚନ୍ଦ୍ରପୁର ବ୍ଲକରେ ଦେଖାଦେଇଛି ଅଜଣା ରୋଗ ଭୟ। ଦୁଇ ସପ୍ତାହ ହେବ ଜୁବାଗୁଡ଼ି ଗାଁରେ ଅଜଣା ରୋଗରେ ୫ଜଣଙ୍କ ଜୀବନ ଯାଇଥିବା ଅଭିଯୋଗ ହୋଇଛି। ସେହିଭଳି ଏକାଧିକ ଆକ୍ରାନ୍ତ ହୋଇଛନ୍ତି। ଡାକ୍ତରୀ ଟିମ ପ୍ରଭାବିତ ଗାଁରେ ପହଞ୍ଚି ଚିକିତ୍ସା କରୁଥିବା ବି କିଛି ଲାଭ ନାହିଁ । ଏ ଯାଏଁ ରୋଗ ଚିହ୍ନଟ ହୋଇପାରିନାହିଁ ।

ଚନ୍ଦ୍ରପୁର ବ୍ଲକଠାରୁ ୨୭କିମି ଦୂରରେ ରହିଛି ଜୁବାଗୁଡ଼ି ଗାଁ। ଗାଁରେ ବସବାସ କରୁଛନ୍ତି ୧୯ଟି ଆଦିବାସୀ ପରିବାର। ଗତ କିଛି ଦିନ ହେବ ଅଜଣା ଆତଙ୍କ ଖେଳି ଯାଇଛି। ପ୍ରଥମେ ଝାଡାବାନ୍ତି ଓ ପରେ ଶରୀରରେ ଅନ୍ୟ ଲକ୍ଷଣ ଦେଖାଯାଉଛି। ଅଜଣା ରୋଗ ଦିନକୁ ଦିନ ବ୍ୟାପୁଥିବା ବେଳେ ଆଖିଦୃଷ୍ଟିଆ ଡାକ୍ତରୀ ସେବା ଯୋଗାଇ ଦିଆଯାଉନଥିବା ଅଭଯୋଗ କରିଛନ୍ତି ଗ୍ରାମବାସୀ। ଅନ୍ୟପଟେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି ଗାଁକୁ ଡାକ୍ତରୀ ଟିମ ପଠାଯାଇ ଚିକିତ୍ସା କରାଯାଉଛି। ଆକ୍ରାନ୍ତଙ୍କ ରକ୍ତ ନମୂନା ସଂଗ୍ରହ କରି ପରୀକ୍ଷା କରାଯାଇଛି। ତଥାପି ରୋଗର କାରଣ ଜଣାପଡ଼ୁନାହିଁ। ସେପଟେ ଦିନକୁ ଦିନ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି।