ଯନ୍ତ୍ରଣାରେ ଜଡ଼ସଡ଼ କୁନି ପୁଅର ଜୀବନ। ଅଜଣା ଚର୍ମରୋଗରେ ପୀଡିତ ଶେରଗଡ ଗୋଠଗାଁ ଦାଣ୍ଡର ୧୦ ବର୍ଷର ଜଗନ୍ନାଥ। ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । କୁନି ପୁଅଟିକୁ ଯିଏ ଦେଖୁଛି, ସିଏ କହୁଛି ହେ ଜଗନ୍ନାଥ! ଜଗାକୁ ସାହା ହୁଅ…

392

କନକ ବ୍ୟୁରୋ: ଯନ୍ତ୍ରଣାରେ ଜଡ଼ସଡ଼ କୁନି ପୁଅର ଜୀବନ । ଅଜଣା ଚର୍ମରୋଗରେ ପୀଡିତ ଶେରଗଡ ଗୋଠଗାଁ ଦାଣ୍ଡର ପ୍ରଭାକର ପ୍ରଧାନଙ୍କ ସାନ ପୁଅ ଜଗନ୍ନାଥ । କୁନି ପୁଅଟି ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ପୁଅକୁ ଦେଖି ବାପା-ମାଆଙ୍କ ଆଖିରୁ ଲୁହ ସୁଖୁନଥିବା ବେଳେ ଜଗାକୁ ଯିଏ ଦେଖୁଛି, ସିଏ କହୁଛି ହେ ଜଗନ୍ନାଥ! ଜଗାକୁ ସାହା ହୁଅ ।

 

ଅଜଣା ଚର୍ମ ରୋଗରେ ପୀଡିତ ଶିଶୁ । ଜୀବନକୁ ବଳି ପଡିଛି ଯନ୍ତ୍ରଣା । ୧୦ ବର୍ଷର ଜଗନ୍ନାଥ । ଖେଳିବା,ବୁଲିବା ବୟସରେ ଅଜଣା ରୋଗ ସହ ଜୁଝି ହେଉଛି ଜଗା । ଜନ୍ମରୁ ଜଗାକୁ ମାଡି ବସିଛି ଅଜଣା ଚର୍ମରୋଗ । ବୟସ ବଢିବା ସହ କଷ୍ଟ ବି ବଢୁଛି । ଦେହର ଚର୍ମ ଫାଟି ଯାଉଛି, ଧିରେ ଧିରେ ସେହି ଚର୍ମ ଶୁଖି ଝଡି ପଡୁଛି ।

ଗଂଜାମ ଶେରଗଡ ବ୍ଲକ ଗୋଠଗାଁଦାଣ୍ଡର ପ୍ରଭାକର ପ୍ରଧାନଙ୍କ ସାନ ପୁଅ ଜଗନ୍ନାଥ । ପ୍ରଭାକର ପେଶାରେ ଜଣେ ଦିନ ମଜୁରିଆ । ସ୍ତ୍ରୀ ସୁଷମା ଓ ୨ ପୁଅଙ୍କୁ ନେଇ ତାଙ୍କ ସଂସାର । ସାନ ପୁଅ ଜଗା ଜନ୍ମ ହେବା ପରଠାରୁ ପରିବାରର ବଢିଯାଇଛି ଦୁଃଖ । ଅଜଣା ରୋଗରେ ପୀଡିତ ପୁଅକୁ ଭଲ କରିବା ପାଇଁ ବହୁ ଡାକ୍ତରଖାନା ବୁଲିଛନ୍ତି ଗରିବ ବାପା । ହେଲେ ଅର୍ଥାଭାବ ଯୋଗୁଁ ଅଧାରେ ଅଟକି ଯାଇଛି ଜଗାର ଚିକିତ୍ସା । ଗରିବଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ସରକାର ଅନେକ ଯୋଜନା କରିଛନ୍ତି । ହେଲେ ଜଗନ୍ନାଥଙ୍କ ପାଇଁ କୁଆଡେ ଯାଇଛି ସେହି ସବୁ ଯୋଜନା? କ’ଣ ଜଗାର ଯନ୍ତ୍ରଣା ଦେଖିପାରୁନି ପ୍ରଶାସନ?