ଜୀବନ ନେଉଛି ଅଜଣା ରୋଗ । କଳାହାଣ୍ଡିରେ ୪ ଜଣଙ୍କ ମୃତ୍ୟୁ, ରକ୍ତ ନମୂନା ସଂଗ୍ରହ କଲେ ଡାକ୍ତରୀ ଦଳ । 

79

କନକ ବ୍ୟୁରୋ : ମୁଣ୍ଡ ନେଉଛି ଅଜଣା ରୋଗ । ୨୧ ଦିନ ଭିତରେ ଅଜଣା ରୋଗରେ ପଡି ୪ ଜଣଙ୍କ ମୃତ୍ୟୁ ହୋଇଛି । କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକର ଦୁର୍ଗମ ଅଞ୍ଚଳର ନେହେଲା ଗାଁରେ ଏବେ ଖେଳି ଯାଇଛି ଅଜଣା ରୋଗର କୋକୁଆ ଭୟ । ଜ୍ୱର ଓ ଥଣ୍ଡାରେ ପୀଡିତ ହୋଇ ନେହେଲା ଗାଁର ୪ଜଣଙ୍କ ଜୀବନ ଯାଇଛି । ୨୧ ଦିନ ଭିତରେ ୪ ଜଣଙ୍କ ମୃତ୍ୟୁ ପରେ ଗାଁ ଲୋକେ ଭୟଭୀତ ହୋଇପଡିଛନ୍ତି ।

ତେବେ ମୃତକଙ୍କ ମଧ୍ୟରେ ୨ ଜଣ ମହିଳା ଓ ୨ ଜଣ ପୁରୁଷ ଅଛନ୍ତି ଓ ସମସ୍ତଙ୍କ ବୟସ ୨୦ ବର୍ଷ ଉପରେ । ଏବେ ନେହେଲା ଗାଁରେ ଅଜଣା ରୋଗରେ ଆକ୍ରାନ୍ତ ୧୦ରୁ ଅଧିକ ଲୋକଙ୍କ ମଧ୍ୟରୁ ୩ ଜଣଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଅନ୍ୟପଟେ ଗାଁକୁ ଯାଇ ରକ୍ତ ନମୂନା ସଂଗ୍ରହ କରିଛନ୍ତି ଡାକ୍ତରୀ ଟିମ୍ । ତେବେ ଅର୍ଥ ଓ ସଚେତନତା ଅଭାବରୁ ଲୋକେ ଡାକ୍ତରଖାନା ବଦଳରେ ଆରୋଗ୍ୟ ପାଇଁ ଝଡା ଫୁଙ୍କା, ଚେରିମୂଳି କରୁଥିବା ଜଣାପଡିଛି ।