କନକ ବ୍ୟୁରୋ : ପୁଣି ଚର୍ଚ୍ଚାରେ କାଶୀପୁର । ତାହା ପୁଣି ଅଜଣା ରୋଗକୁ ନେଇ । ଏକ ସପ୍ତାହ ମଧ୍ୟରେ ୪ ଶିଶୁଙ୍କ ମୃତ୍ୟୁ ସହ ଅନେକ ଆକ୍ରାନ୍ତ ହୋଇଛନ୍ତି । ୪ରୁ ୧୨ ବର୍ଷ ବୟସର ଶିଶୁଙ୍କ ମଧ୍ୟରେ ଅଜଣା ରୋଗ ଦେଖିବାକୁ ମିଳିଛି । ହଠାତ୍ ଛୋଟ ଛୋଟ ପିଲାଙ୍କ ତଂଟିରେ ଦରଜ ହେବା ସହ ତଂଟି ଫୁଲି, ସାମାନ୍ୟ ଜ୍ୱର ହେଉଛି । ଗତ ଏକ ସପ୍ତାହ ମଧ୍ୟରେ ମୁନୁଷପଦର ଗାଁର ଶିବ ମାଝୀଙ୍କ ୧୦ ବର୍ଷିୟ ଝିଅ ପୂର୍ଣ୍ଣି ମାଝୀ, ସିନ୍ଦୁର ମାଝୀଙ୍କ ପୁଅ ନରେନ୍ଦ୍ର ମାଝୀ, ଡମ୍ବୁ ମାଝୀଙ୍କ ପୁଅ ଦାସ ମାଝୀ ଓ ଫଲାସୀ ମାଝୀଙ୍କ ମୃତ୍ୟୁ ହୋଇ ସାରିଛି । ସେମାନଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡିନଥିବା ବେଳେ ୫ ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି ।
ଗାଁରେ ସ୍ଥିତି ଅନୁଧ୍ୟାନ କରୁଛନ୍ତି ଭବାନିପାଟଣାରୁ ଆସିଥିବା ଡବ୍ଲ୍ୟୁ.ଏଚ୍.ଓ ର ଏକ ଟିମ୍ ଓ ସ୍ଥାନିୟ ଡାକ୍ତରୀ ଦଳ । ଅସୁସ୍ଥ ପିଲାଙ୍କ ଠାରୁ ରକ୍ତ ନମୂନା ସଂଗ୍ରହ କରି ଭୁବନେଶ୍ୱର ପଠାଯାଇଛି । ଏବଂ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗକୁ ଜଣାଯାଇଛି । ଖୁବଶୀଘ୍ର ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍ ଆସିବାର ଅଛି ବୋଲି କହିଛନ୍ତି ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଲାଲମୋହନ ରାଉତରାୟ ।
ମୁନୁଷପଦର ଗାଁରେ ପ୍ରାୟ ୧୦୮ଟି ପରିବାର ବାସ କରନ୍ତି । ସମସ୍ତେ ଚାଷବାସ ସହ ଜଙ୍ଗଲ ଉପରେ ନିର୍ଭର କରି ଚଳିଥାନ୍ତି । ବର୍ତମାନ ସୁଦ୍ଧା ରାସ୍ତାଘାଟ, ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା ପହଂଚିପାରି ନାହିଁ । ନାଳ ପାଣି ପିଉଥିବା ଗାଁର ଶିଶୁମାନେ ଅଜଣା ରୋଗ ଆକ୍ରାନ୍ତ ହୋଇ ଯନ୍ତ୍ରଣା ଭୋଗୁଛନ୍ତି ।