ଲାନସେଟ୍ ଡାକ୍ତରୀ ପତ୍ରିକାରେ ପ୍ରକାଶ ପାଇଲା ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର କରୋନା ଟିକା ପରୀକ୍ଷଣର ପ୍ରାଥମିକ ରିପୋର୍ଟ: ବୃଦ୍ଧି ପାଉଛି ରୋଗ ପ୍ରତିରୋଧକ ଶକ୍ତି, ଭୂତାଣୁ ସହ ଲଢ଼ିବା ପାଇଁ ସୃଷ୍ଟି ହେଉଛି ଟି-ସେଲ

ସେପ୍ଟେମ୍ବରରେ ବିଟ୍ରେନ୍ ଓ ଅକ୍ଟୋବରରେ ଆମେରିକାକୁ ମିଳିପାରେ ଟିକା

761

କନକ ବ୍ୟୁରୋ: କୋଭିଡ ଟିକା ରେସରେ ସବୁଠାରୁ ଆଗରେ ଥିବା ଅକ୍ସଫୋର୍ଡ ବିଶ୍ୱ ବିଦ୍ୟାଳୟର ମାନବ ପରୀକ୍ଷଣର ପ୍ରାଥମିକ ରିପୋର୍ଟ ଆଶାର କିରଣ ଦେଖାଇଛି । ସୋମବାର ‘ଦ ଲାନ୍ସେଟ୍’ ନାମକ ଏକ ଡାକ୍ତରୀ ପତ୍ରିକା ଏହି ମାନବ ପରୀକ୍ଷଣର ପ୍ରାଥମିକ ରିପୋର୍ଟକୁ ପ୍ରକାଶ କରିଛି । ଆଷ୍ଟ୍ରାଜେନିକା କମ୍ପାନୀ ସହ ମିଶି ଅକ୍ସଫୋର୍ଡ ବିଶ୍ୱ ବିଦ୍ୟାଳୟ ଏହି ପରୀକ୍ଷଣ ଆରମ୍ଭ କରିଥିଲା । ପରୀକ୍ଷଣର ଏହି ରିପୋର୍ଟରେ କୁହାଯାଇଛି ଯେ, ଏହି ଟିକା ଦେବା ଦ୍ୱାରା ସେହି ବ୍ୟକ୍ତିଙ୍କ ଶରୀରରେ ରୋଗପ୍ରତିରୋଧ ବା ଆଂଟିବଡିର ସ୍ତର ବଢିଥିଲା, ଏବଂ ଭାଇରସକୁ ଟାର୍ଗେଟ କରୁଥିବା ଟି-ସେଲ୍ ମଧ୍ୟ ବୃଦ୍ଧି ପାଇଥିଲା ।

ନଜର ପକାନ୍ତୁ, ପରୀକ୍ଷଣର ପ୍ରାଥମିକ ରିପୋର୍ଟରେ କ’ଣ କୁହାଯାଇଛି –

• ଟିକା ନେଇଥିବା ବ୍ୟକ୍ତିଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବା ଆଂଟିବଡିର ସ୍ତର ବଢିଛି

• ଭାଇରସକୁ ଟାର୍ଗେଟ କରୁଥିବା ଟି-ସେଲ୍ ମଧ୍ୟ ବୃଦ୍ଧି ପାଇଛି

• ରୋଗ ପ୍ରତିରୋଧକ ଶକ୍ତି ସହ ଭୂତାଣୁ ସହ ଲଢ଼ି ପାରୁଥିବା ଟି-ସେଲ୍ ସୃଷ୍ଟି ହେଉଥିବାରୁ ଟିକାର ୨ଟି ଯାକ ଦିଗ ସଫଳ ହୋଇଥିବା କୁହାଯାଉଛି

• ଅକ୍ସଫୋର୍ଡର ଜେନର ଅନୁଷ୍ଠାନର ମୁଖ୍ୟ ଆଡ୍ରିଆନ୍ ହିଲ୍ କହିଛନ୍ତି, ଏହି ଟିକା ଭଲ ରୋଗ ପ୍ରତିରୋଧ ବୃଦ୍ଧି ପାଉଥିବା କଥା ଲକ୍ଷ୍ୟ କରାଯାଇଛି । ସାରା ବିଶ୍ୱରେ ୬ ଲକ୍ଷରୁ ଅଧିକ ଲୋକ କରୋନା ଯୋଗୁଁ ପ୍ରାଣ ହରାଇ ସାରିଥିବା ବେଳେ ବିଶ୍ୱର ସବୁ ସରକାର ଏବେ କରୋନା ଟିକାକୁ ଅପେକ୍ଷା କରିଛନ୍ତି ।

• ସେପ୍ଟେମ୍ବର ମାସ ସୁୁଦ୍ଧା ବ୍ରିଟେନ୍କୁ ଟିକା ଯୋଗାଇ ପାରିବ ଅକ୍ସଫୋର୍ଡ ବିଶ୍ୱ ବିଦ୍ୟାଳୟ

• ଅକ୍ଟୋବରରେ ଆମେରିକାକୁ ଯୋଗାଇ ପାରିବ ଟିକା

ଯଦିଓ ପ୍ରାଥମିକ ପରୀକ୍ଷଣରେ ରୋଗ ପ୍ରତିରୋଧକ ଶକ୍ତିର ସ୍ତର ବଢିଲେ ମଧ୍ୟ ଟିକା ଶହେ ପ୍ରତିଶତ ଫଳପ୍ରଦ ହେବ ବୋଲି କୁହାଯାଇ ପାରିବନାହିଁ, ତଥାପି ପ୍ରାଥମିକ ପରୀକ୍ଷଣରେ ଏଭଳି ରିପୋର୍ଟ ବେଶ ମହତ୍ୱପୂର୍ଣ୍ଣ ବୋଲି ବିଚାର କରାଯାଉଛି । ପୂର୍ବରୁ ପଶୁଙ୍କ ଉପରେ ଟିକାର ପରୀକ୍ଷଣ କରାଯାଇଥିଲା । ସେଥିରେ ଦେଖାଯାଇଥିଲା, ପଶୁର ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥିଲା । ଏହି ବ୍ରିଟିଶ ଔଷଧ ନିର୍ମାତା ଆମେରିକା ଠାରୁ ପ୍ରାୟ ୧୦ ହଜାର କୋଟି ଟଙ୍କାର ଆର୍ଥିକ ସହାୟତା ପାଇବା ପରେ ଟିକାର ବିକାଶ ପାଇଁ ଜୋରଦାର ଉଦ୍ୟମ ଆରମ୍ଭ କରିଥିଲା । ଏହି କଂପାନୀ କହିଛି ଅକ୍ଟୋବର ମାସ ସୁଦ୍ଧା ଆମେରିକାକୁ ଏହି ଟିକା ଯୋଗାଇ ଦିଆଯିବ ।

ସେପଟେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଓ ଆଷ୍ଟ୍ରା ଜେନେକା ସହ ଏହି ଟିକା ପ୍ରସ୍ତୁତରେ ଯୋଡି ହୋଇଛି ଭାରତୀୟ କଂପାନୀ ସେରମ୍ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ । ତିନି ମାସରେ ୧ କୋଟିରୁ ଅଧିକ ଟିକା ନିର୍ମାଣର ଲକ୍ଷ୍ୟ ରଖିଛି ସେରମ୍ ଇନଷ୍ଟିଚ୍ୟୁଟ୍ । ତେଣୁ ଟିକା ପ୍ରସ୍ତୁତ ହୋଇଗଲେ ଭାରତରେ ମଧ୍ୟ ବର୍ଷର ଶେଷ ଭାଗ ଆଡକୁ ଏହା ଉପଲବ୍ଧ ହୋଇପାରେ ।