ବିଧାନସଭା ମୌସୁମୀ ଅଧିବେଶନର ଶେଷ ଦିନରେ ବିରୋଧୀଙ୍କ ବିରୋଧ ଭିତରେ ପାସ୍ ହେଲା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍ । କଂଗ୍ରେସ କହିଲା, କଳା ବିଲ୍…ମନ୍ତ୍ରୀ କହିଲେ, ସ୍ୱଚ୍ଛତା ଓ ନିରପେକ୍ଷତାକୁ ଦିଆଯାଇଛି ଗୁରତ୍ୱ ।

324

କନକ ବ୍ୟୁରୋ : ଦିନକ ଆଗରୁ ସରିଛି କରୋନା କାଳର ବିଧାନସଭା । କୋଭିଡ୍ କଟକଣା ଭିତରେ ପ୍ରଥମ ଥର ପାଇଁ ବସିଥିବା ମୌସୁମୀ ଅଧିବେଶନର ଆଜି ଶେଷ ଦିନରେ, ହୋହଲ୍ଲା ଭିତରେ ପାରିତ ହୋଇଛି ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍ । ମୋଟ ୭ ଦିନ ବସିଥିବା ଏହି ଅଧିବେଶନରେ ୭ଟି ବିଲ୍ ପାରିତ କରିଛନ୍ତି ସରକାର । କେବଳ ଶେଷ ଦିନରେ ୫ଟି ବିଲ୍ ପାରିତ ହୋଇଛି । ଆଜି ଶେଷ ଦିନରେ ବିରୋଧୀଙ୍କ ହୋହଲ୍ଲା ମଧ୍ୟରେ ପାରିତ ହୋଇଛି ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍ । ଆଲୋଚନାରେ ବିଜେପି ସଦସ୍ୟ ଅଂଶଗ୍ରହଣ କରିନଥିଲେ । ବାଚନିକ ଭୋଟରେ ବିଲ୍ ପାସ୍ ହୋଇଥିବା ବେଳେ କଂଗ୍ରେସ ଆଜିର ଦିନକୁ କଳାଦିନ ବୋଲି କହିଛି ।

ବିଧାନସଭାରେ ବିଶ୍ୱବିଦ୍ୟାଳୟ ବିଲ୍ ପାସ୍ । ବିଲକୁ କଳା ବିଲ୍ କହି କଂଗ୍ରେସର ବିରୋଧ । ବାହାରେ ଧାରଣା, ଭିତରେ ପ୍ରତିବାଦ । ୪ ଦିନର ତର୍କ-ବିତର୍କ ଭିତରେ ବିଧାନସଭାରେ ପାରିତ ହୋଇଛି ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍ ୨୦୨୦ । ବିଲଟି ଗୃହରେ ଉପସ୍ଥାପନ ହେବା ଦିନଠାରୁ ଏହାକୁ ଉଭୟ ବିଜେପି ଓ କଂଗ୍ରେସ ଜୋରଦାର ବିରୋଧ କରି ଆସୁଥିଲେ । ବିରୋଧ ଏଭଳି ଥିଲା ଯେ, ବିଲକୁ କଳା ବିଲ୍ କହି ଗୃହ ଭିତରେ ଚିରି ଦେଇଥିଲେ ତାରା ବାହିନୀପତି । ଆଉ ଏହାରି ଭିତରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ବିଲକୁ କଳା ବିଲ୍ କହିବା ସହ ବିଧାନସଭା ପାଇଁ ଏହା ଏକ କଳାଦିନ ବୋଲି ଅଭିଯୋଗ କରିଛନ୍ତି । ଏପଟେ ବିଜେପି ଆଲୋଚନାରେ ସାମିଲ ନହୋଇ ଗୃହ ବାହାରେ ବିରୋଧ କରିଛି ।

ଏପଟେ ବିଶ୍ୱବିଦ୍ୟାଳୟ ବିଲ୍ ଆଲୋଚନା ବେଳେ ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି, ଗୁଜୁରାଟ, ପଞ୍ଜାବ, ବିହାର, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ ଭଳି ରାଜ୍ୟରେ କୁଳପତି ଚୟନରେ ଯେଉଁ ବ୍ୟବସ୍ଥା ରହିଛି, ସେହି ବ୍ୟବସ୍ଥାଠୁ ଓଡ଼ିଶାର ସ୍ଥିତି ଭିନ୍ନ । ଏହି ସବୁ ରାଜ୍ୟରେ ଭିସି ଚୟନରେ ସରକାର ହସ୍ତକ୍ଷେପ କରନ୍ତି । କିନ୍ତୁ ଓଡ଼ିଶାରେ ଭିସି ଚୟନ ପ୍ରକ୍ରିୟା ନିରପେକ୍ଷ ଓ ସ୍ୱଚ୍ଛ । କୁଳପତିଙ୍କ ନିଯୁକ୍ତି ରାଜ୍ୟପାଳ କରନ୍ତି ।

ଏବେ ନଜର ପକାନ୍ତୁ ନୂଆ ବିଲରେ କ’ଣ ସବୁ ବ୍ୟବସ୍ଥା ରହିଛି ।
-କୁଳପତିଙ୍କ କାର୍ଯ୍ୟକାଳ ୩ ବର୍ଷରୁ ୪ ବର୍ଷକୁ ବୃଦ୍ଧି କରାଯାଇଛି
– ସିନେଟ୍ ବ୍ୟବସ୍ଥା ଉଚ୍ଛେଦ ଓ ସିଣ୍ଡିକେଟକୁ ସଶକ୍ତ କରାଯାଇଛି
-କୁଳପତି ସର୍ଚ୍ଚ କମିଟିରେ ରାଜ୍ୟପାଳଙ୍କ ଦ୍ୱାରା ମନୋନୀତ ଜଣେ ମୁଖ୍ୟ ଶାସନ ସଚିବ ପାହ୍ୟାର ଅବସର ଅଧିକାରୀ ରହିବେ
– ଏଥିରେ ରାଜ୍ୟ ସରକାରଙ୍କ ପକ୍ଷରୁ ଜଣେ ଶିକ୍ଷାବିତ୍ ରହିବେ
-ବିଶ୍ୱବିଦ୍ୟାଳୟର ସ୍ଥାବର ଓ ଅସ୍ଥାବର ସମ୍ପତି ଉପରେ ସରକାର ହସ୍ତକ୍ଷେପ କରିପାରିବେ
-ଓପିଏସସି ଅଧ୍ୟାପକ ନିଯୁକ୍ତି କରିବେ, ନନ ଟିଚିଂ ଷ୍ଟାଫ୍ ନିଯୁକ୍ତି କରିବେ ଷ୍ଟେଟ୍ ସିଲେକ୍ସନ୍ ବୋର୍ଡ ।