କନକ ବ୍ୟୁରୋ : ଆମେରିକାରେ କରୋନା ମୃତ୍ୟୁ ରେକର୍ଡ ଭାଙ୍ଗିଲାଣି । କରୋନାର ନୂଆ ଭ୍ୟାରିଆଂଟ ଓମିକ୍ରନ୍ ଯୋଗୁ ବହୁ ଲୋକଙ୍କ ଜୀବନ ଯାଉଛି । ଗତବର୍ଷ ସେପ୍ଟେମ୍ବରରେ ଗୋଟିଏ ଦିନରେ ସର୍ବାଧିକ ୨୧ ଶହ ଜୀବନ ଯାଇଥିବା ବେଳେ ଏବେ ସର୍ବାଧିକ ୨ ହଜାର ୭୩୨ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଅନ୍ୟ କୌଣସି ରୋଗ ଥିଲେ ବିପଦ ବଢୁଛି । ଏପରିକି ଯେଉଁମାନେ ଟିକାର ଦୁଇଟି ଡୋଜ୍ ନେଇଛନ୍ତି ଓ ବୁଷ୍ଟର ଡୋଜ୍ ନେଇଛନ୍ତି ସେମାନେ ମଧ୍ୟ ଡାକ୍ତରଖାନରେ ଭର୍ତି ହେଉଛନ୍ତି । ରୋଗ ନିୟନ୍ତ୍ରଣ ଓ ପ୍ରତିରୋଧ କେନ୍ଦ୍ରର ନିର୍ଦ୍ଦେଶକ କହିଛନ୍ତି ସ୍ୱଳ୍ପ ଲକ୍ଷଣର ଅର୍ଥ ନୁହେଁ ହସ୍ପିଟାଲରେ ଭର୍ତି ହେବେନି ।
ପୂର୍ବ ଭ୍ୟାରିଆଂଟ ତୁଳନାରେ ଡାକ୍ତରଖାନାରେ ଭର୍ତି ହେବା ସଂଖ୍ୟା ବୃଦ୍ଧି ପାଉଛି । ଏବେ ସୁଦ୍ଧା ପାଖାପାଖି ଦେଢ ଲକ୍ଷ ଲୋକେ ହସ୍ପିଟାଲରେ ଭର୍ତି ହୋଇଛନ୍ତି । ଚଳିତ ମାସରେ ହୃଦଘାତରେ ଆକ୍ରାନ୍ତ ଅଧିକ ରୋଗୀ ହସସ୍ପିଟାଲରେ ଭର୍ତି ହୋଇଥିଲେ । ଏହା ମଧ୍ୟରୁ ଓମିକ୍ରନ୍ ଦ୍ୱାରା ଗୁରୁତର ହୋଇଥିବା ଅଧିକାଂଶ ରୋଗୀ ଟିକା ନେଇନଥିଲେ ଓ ଟିକା ନେଇଥିବା ରୋଗୀଙ୍କ ନିକଟରେ ଅନ୍ୟ ରୋଗ ଥିବା ଦେଖିବାକୁ ମିଳିଥିଲା । ଡାକ୍ତରଙ୍କ କହିବା ଅନୁସାରେ ଓମିକ୍ରନ୍ କେଉଁ ସମୟରେ କେଉଁ ଭୁମିକା ନେଇଥିବା ତାହା କହିବା କଷ୍ଟକର । ଓମିକନ୍ ଯୋଗୁ କିଡନୀ ଉପରେ ମଧ୍ୟ ପ୍ରଭାବ ପଡୁଥିବା ଦେଖିବାକୁ ମିଳୁଛି ବୋଲି ବରିଷ୍ଠ ଡାକ୍ତରମାନେ ମତ ଦେଇଛନ୍ତି ।