ବିଜେପିକୁ ଅଡ଼ୁଆ ମେଣ୍ଟ ରାଜନୀତି ! ୨୦୧୯ରେ ବିଜେପିର ବିଜୟ ରଥରେ ବ୍ରେକ ଲଗାଇବ କି ବିରୋଧୀଙ୍କ ମହାମେଣ୍ଟ

34

କନକ ବ୍ୟୁରୋ : ୨୦୧୯ ପୂର୍ବରୁ ଏହି ଉପନିର୍ବାଚନକୁ ଉଭୟ ବିରୋଧୀ ଓ ଶାସକ ଦଳ ବେଶ ଗୁରୁତ୍ୱ ଦେଉଥିଲେ । ପୂରା ଦମରେ ମୁହାଁମୁହିଁ ହୋଇଥିଲେ ବିଜେପି ବନାମ ବିରୋଧୀ । ବିରୋଧୀ ଦଳ ଏକାଠି ହେଲେ ବିଜେପିକୁ ହରାଇବା ସମ୍ଭବ ବୋଲି ବାର୍ତା ଦେଇଛି ଏହି ଉପନିର୍ବାଚନ । ଗୋଟିଏ କଥା କୁହାଯାଇପାରେ, ୨୦୧୯ ସାଧାରଣ ନିର୍ବାଚନରେ ମୋଦିଙ୍କୁ କଡ଼ା ଟକ୍କର ଦେବେ ବିରୋଧୀଙ୍କ ମହାମେଂଟ ।

image courtesy- India Today

ସାଧରଣ ନିର୍ବାଚନ ପୂର୍ବରୁ ୧୦ଟି ବିଧାନସଭା ଓ ୪ଟି ଲୋକସଭାର ଉପନିର୍ବାଚନ ଫଳଫଳ, ଦେଶର ରାଜନୀତିକୁ ପୂରା ହଲଚଲ କରିଦେଇଛି । କାରଣ, ୨୦୧୯ ପୂର୍ବରୁ ଏହା ମୁଡ୍ ସେଟର ହେବାକୁ ଯାଉଛି ବୋଲି କୁହାଯାଉଛି । ନିକଟରେ କର୍ଣ୍ଣାଟକରେ ପୋଷ୍ଟ-ପୋଲ ମେଂଟ କରି କଂଗ୍ରେସ, ବିଜେପିକୁ ବିରୋଧୀ ଆସନରେ ବସାଇବାକୁ ବାଧ୍ୟ କରିଛି । ଏବେ ପ୍ରି-ପୋଲ ମେଂଟ ବିଜେପି ପାଇଁ କଂଟା ହୋଇଛି । ୨୦୧୯ ପୂର୍ବରୁ ଏହି ଉପନିର୍ବାଚନର ଫଳାଫଳ ଅନେକ ଗୁରୁତ୍ୱ ରଖୁଛି । କାରଣ ୧୧ଟି ରାଜ୍ୟରୁ ଆସିଥିବା ଜନାଦେଶ, ବିରୋଧୀ ଶିବିରର ମନୋବଳ ବଢାଇଛି । ବିରୋଧୀ ଏକାଠି ହେଲେ ମୋଦିଙ୍କୁ ପରାଜୟ କରିବା ସମ୍ଭବ ହେବ ବୋଲି ସନ୍ଦେଶ ମିଳିଛି । ଅର୍ଥାତ ଆସନ୍ତା ସାଧାରଣ ନିର୍ବାଚନ ବିଜେପି ପାଇଁ ସହଜ ହେବନାହିଁ ବୋଲି ବାର୍ତା ଦେଇଛି ଉପନିର୍ବାଚନ ।

ପେଟ୍ରୋଲ ଦରବୃଦ୍ଧି, ବିମୁଦ୍ରାକରଣ ଓ ଜିଏସଟି ପରେ ଦେଶର ଆର୍ଥିକ ସ୍ଥିତିରେ ଅବନତି ଏବଂ ବିରୋଧୀଙ୍କ ମିଳିତ ରଣନୀତି ବିଜେପିକୁ ବ୍ୟାକଫୁଟକୁ ନେଇଯାଇଛି । ପୂରା ଦେଶରେ ଗେରୁଆ ବାନା ଉଡ଼ାଇବାକୁ ଲକ୍ଷ୍ୟ ରଖିଥିବା ବିଜେପିର ଏହି ସ୍ୱପ୍ନ ଧୂଳିସାତ ହୋଇପାରେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି । ଉପନିର୍ବାଚନ ଗୋଟିଏ କଥା ପ୍ରମାଣିତ କରିଛି ବିରୋଧୀ ଏକାଠି ହେଲେ ବିଜେପିକୁ ଜବାବ ଦେବା ସମ୍ଭବ । ମୋଦିଙ୍କ ଯାଦୁ ଆଗରେ ଦେଶରେ ଫିକା ପଡିଥିବା ବିରୋଧୀ ଶିବିର ଉପନିର୍ବାଚନ ଜନାଦେଶ ପରେ ଉତ୍ସାହିତ ହୋଇପଡିଛି ।