ବାତ୍ୟା ‘ଫୋନି’ରେ ରାଜ୍ୟ ସରକାର ବଡ଼ ସଫଳତା । ୨୪ ଘଣ୍ଟା ମଧ୍ୟରେ ୧୨ଲକ୍ଷ ଲୋକଙ୍କୁ କଲେ ସୁରକ୍ଷିତ ସ୍ଥାନାନ୍ତରଣ, ଓଡ଼ିଶାକୁ ଜାତିସଂଘର ପ୍ରଶଂସା ।

175

କନକ ବ୍ୟୁରୋ: ଓଡ଼ିଶାରେ ତାଣ୍ଡବ ରଚିଥିବା ବାତ୍ୟା ‘ଫୋନି’ ପରେ ରାଜ୍ୟ ସରକାରଙ୍କ ବଡ଼ ସଫଳତା । ୨୪ ଘଣ୍ଟା ମଧ୍ୟରେ ୧୨ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତରଣ କରିବାରେ ଇତିହାସ ରଚିଲା ଓଡ଼ିଶା । ତେବେ ଏଭଳି ବିପତ୍ତିକୁ ସାମ୍ନା କରିବାରେ ରାଜ୍ୟବାସୀଙ୍କ ସହଯୋଗ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୃତଜ୍ଞତା ଜ୍ଞାପନ କରିଛନ୍ତି । ମୁଖ୍ୟମନ୍ତ୍ରୀ ନିଜ ଟ୍ୱିଟର ପେଜରେ କହିଛନ୍ତି କି, ଯେଉଁଠାରେ ପ୍ରକୃତିର ଏଭଳି ପ୍ରଳୟଙ୍କାରୀ ବାତ୍ୟାକୁ ବୁଝିବାରେ ବିଭିନ୍ନ ଜାତୀୟ ଏବଂ ଅନ୍ତର୍ଜାତୀୟ ପାଣିପାଗ ସଂସ୍ଥାଗୁଡ଼ିକ ଫେଲ୍ ମାରିଗଲେ ତାହାକୁ ସାମ୍ନା କରିବାକୁ ରାଜ୍ୟବାସୀ ରାଜ୍ୟ ସରକାରଙ୍କ କାନ୍ଧରେ କାନ୍ଧ ମିଳାଇ ଛିଡ଼ା ହୋଇଛନ୍ତି ।

ସେହିପରି, ଏହି ବୃହତ ସ୍ଥାନାନ୍ତରଣ ପ୍ରକ୍ରିୟାରେ ସର୍ବାଧିକ ଗଞ୍ଜାମ ଜିଲ୍ଲାରେ, ୩ ଲକ୍ଷ ୨୦ ହଜାର, ପୁରୀରେ ୧ ଲକ୍ଷ ୩୦ ହଜାର ଲୋକଙ୍କୁ ବିପଦ ସଙ୍କୁଳ ସ୍ଥାନରୁ ସୁରକ୍ଷିତ ଭାବେ ସ୍ଥାନାନ୍ତରଣ କରିବାରେ ସଫଳ ହୋଇଛନ୍ତି ରାଜ୍ୟ ସରକାର । ସେହିଭଳି ୯ ହଜାର ବାତ୍ୟା ଆଶ୍ରୟସ୍ଥଳୀରେ ୭ ହଜାର ରନ୍ଧା ଖାଦ୍ୟ ବ୍ୟବସ୍ଥା କରାଯାଇଛି । ଯେଉଁଥିରେ ୪୫ ହଜାର ସ୍ୱାଚ୍ଛାସେବୀମାନେ କଠିନ ପରିଶ୍ରମ କରି ବିପତ୍ତିର କଡ଼ା ମୁକାବିଲା କରିଛନ୍ତି ।

ଅନ୍ୟପଟେ ରାସ୍ତା ଓ ଘର ଉପରେ ପଡ଼ି ରହିଥିବା ଗଛ ଗୁଡ଼ିକୁ ତୁରନ୍ତ କାଟି ଗମନାଗମନକୁ ସଠିକ୍ କରିବା ପାଇଁ ଏବଂ ବିଭିନ୍ନ ସମସ୍ୟାକୁ ଯୁଦ୍ଧକାଳୀନ ଭିତ୍ତିରେ ପୂନଃରୁଦ୍ଧାର କରିବା ପାଇଁ ଓଡ଼୍ରାଫ, ଏନଡ଼ିଆରଏଫ ଏବଂ ରାଜ୍ୟ ସରକାରଙ୍କ ୧ ଲକ୍ଷ କର୍ମଚାରୀ ଦିନରାତି ଏକ କରି କାର୍ଯ୍ୟ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ସେପଟେ ବାତ୍ୟା ‘ଫୋନି’ର ମୁକାବିଲା ନେଇ ଓଡ଼ିଶାକୁ ଜାତିସଂଘ ପ୍ରଶଂସା କରିଛି । ଜାତିସଂଘ ବିପର୍ଯ୍ୟୟ ଓ ପ୍ରଶମନ ସଂସ୍ଥା ଫୋନି ପ୍ରଭାବିତ ମୃତ୍ୟୁ ସଂଖ୍ୟା ହ୍ରାସ ପାଇଁ ପ୍ରଂଶସା କରିଛନ୍ତି । ଅତି ପ୍ରବଳ ସାମୁଦ୍ରିକ ଝଡ଼ ‘ଫୋନି’ ଆସିବାର କିଛି ଦିନ ଆଗରୁ ଆଇଏମଡ଼ି ବାରମ୍ବାର ସତର୍କ ସୂଚନା ଜାରି କରିବାରୁ ଉଚିତ୍ ସମୟରେ ସ୍ଥାନାନ୍ତରଣ ପ୍ରକ୍ରିୟା ହୋଇପାରିଛି । କାରଣ ୧୯୯୯ ମସିହା ବାତ୍ୟା ପରେ ଦୀର୍ଘ ୨୦ ବର୍ଷ ମଧ୍ୟରେ ‘ଫୋନି’ ଥିଲା ଅତି ପ୍ରବଳ ଝଡ଼ବାତ୍ୟା । ନିର୍ଦ୍ଦିଷ୍ଟ ସମୟରେ ତ୍ୱରିତ ପଦକ୍ଷେପ ଯୋଗୁ ମୃତ୍ୟୁ ସଂଖ୍ୟା କମ୍ କରାଯାଇପାରିଛି । ତେଣୁ ଜାତିସଂଘ ବିପର୍ଯ୍ୟୟ ପ୍ରଶମନ ସଂସ୍ଥାର ସେକ୍ରେଟାରୀ ଜେନେରାଲଙ୍କ ସ୍ୱତନ୍ତ୍ର ଅଧିକାରୀ ମାମି ମୁକୁଟୋରି ପ୍ରକାଶ ପ୍ରକାଶ କରିଛନ୍ତି ।