ସଂଯୁକ୍ତ କିଷାନ ମୋର୍ଚ୍ଚାର ଘୋଷଣା, ସେପ୍ଟେମ୍ବର ୨୫ ଭାରତ ବନ୍ଦ

266

କନକ ବ୍ୟୁରୋ : କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ ୩ ଟି କୃଷି ଆଇନକୁ ବିରୋଧ କରି କୃଷକମାନେ ୯ ମାସ ହେବ ଧାରଣାରେ ବସିଛନ୍ତି । ଏହାରି ମଧ୍ୟରେ କୃଷକ ସଂଗଠନର ନେତା ଓ ସରକାରଙ୍କ ମଧ୍ୟରେ ଅନେକ ଥର ଆଲୋଚନା ହୋଇଥିଲେ ବି କିଛି ବି ନିଷ୍କର୍ସ ବାହାରିପାରି ନାହିଁ । ସେପଟେ କୃଷକ ଆନ୍ଦୋଳନକୁ ପରାହତ କରିବାକୁ ସରକାର ସବୁ ପ୍ରକାର କଳ, ବଳ ଓ କୌଶଳ ଆପଣାଇଥିଲେ ବି ତାହା କାମ କରୁନାହିଁ । କୃଷକମାନେ ତାଙ୍କ ଜିଦରେ ଅଟଳ ଥିବା ବେଳେ ସରକାର ବି ଜିଦ ଛାଡିବାକୁ ନାରାଜ । ଏହାରି ମଧ୍ୟରେ ସେପ୍ଟେମ୍ବର ୨୫ ତାରିଖ ଦିନ ଆନ୍ଦୋଳନକୁ ୧୦ ମାସ ପୂରଣ ହେଉଥିବା ବେଳେ ସଂଯୁକ୍ତ କିଷାନ ମୋର୍ଚ୍ଚା ସେପ୍ଟେମ୍ବର ୧୦ ତାରିଖରେ ଭାରତ ବନ୍ଦ ଡାକରା ଦେଇଛି ।

ଦିଲ୍ଲୀର ସିଂଘୁ ସୀମାରେ ଗଣମାଧ୍ୟମ ସହ ଆଲୋଚନା ବେଳେ ସଂଯୁକ୍ତ କିଷାନ ମୋର୍ଚ୍ଚା (ଏସକେଏମ)ର ନେତା ଆଶିଷ ମିତ୍ତଲ କହିଛନ୍ତି କି ସେପ୍ଟେମ୍ବର ୨୫ କୁ ମୋର୍ଚ୍ଚା ତରଫରୁ ଭାରତ ବନ୍ଦ ପାଇଁ ଆହ୍ୱାନ ଦିଆଯାଉଛି । ସେ ଆହୁରି କହିଛନ୍ତି ଯେ ପୂର୍ବବର୍ଷ ହୋଇଥିବା ଭାରତ ବନ୍ଦ ଠାରୁ ଏହି ଭାରତ ବନ୍ଦରେ ଅଧିକରୁ ଅଧିକ କୃଷକ ସାମିଲ ହେବେ ବୋଲି ଆଶା କରାଯାଉଛି ।

ଅନ୍ୟପଟେ ଗତକାଲି ହରିଆଣାରେ କୃଷକମାନଙ୍କ ଉପରେ ପୋଲିସର ବର୍ବରତାକୁ ନେଇ ଆଜି ବିଭିନ୍ନ ମହଲରୁ ପ୍ରତିକ୍ରିୟା ପ୍ରକାଶ ପାଇଛି । ମେଘାଳୟ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ଏହି ଘଟଣାରେ ଦୁଖ ପ୍ରକାଶ କରିବା ସହ ମୁଖ୍ୟମନ୍ତ୍ରୀ ମନୋହରଲାଲ୍ ଖଟ୍ଟର କୃଷକମାନଙ୍କୁ କ୍ଷମା ମାଗିବା ସହ ସେମାନଙ୍କ ମୁଣ୍ଡ ଫଟାଇଦେବାକୁ ନିର୍ଦ୍ଦେଶ ଦେଇଥିବା ଏସଡିଏମଙ୍କୁ ଚାକିରିରୁ ନିଲମ୍ବିତ କରିବାକୁ ଦାବି କରିଛନ୍ତି ।

କୃଷକ ଆନ୍ଦୋଳନର ନେତୃତ୍ୱ ନେଉଥିବା ରାକେଶ ଟିକାୟତ ଗଣମାଧ୍ୟମକୁ କହିଛନ୍ତି କି ଆଫଗାନୀସ୍ତାନକୁ ଆତଙ୍କୀ ତାଲିବାନୀମାନେ କବଜା କରିଥିବା ବେଳେ ଭାରତକୁ ସରକାରୀ ତାଲିବାନୀମାନେ କବଜା କରିନେଇଛନ୍ତି ।