‘କରୋନା’ ପାଇଁ ବିମାନସେବା ପ୍ରଭାବିତ । ୨୫୬ ସିଟ୍ ବିମାନରେ ଉଡ଼ିଲେ ମାତ୍ର ୨୫ ଯାତ୍ରୀ । ସେପଟେ କୁଏତ ସମେତ ୬ଟି ଦେଶକୁ ଉଡ଼ାଣ ବନ୍ଦ

ଭାରତରୁ ଏବଂ ଭାରତକୁ ବିମାନ ସେବା ଉପରେ କଟକଣା ଲଗାଇଲା କୁଏତ

373

କନକ ବ୍ୟୁରୋ: କରୋନା ଭୟ ଯୋଗୁଁ ବିମାନସେବା ପ୍ରଭାବିତ । ଦିଲ୍ଲୀରୁ ଲଣ୍ଡନ, ନ୍ୟୁୟର୍କ, ତୁର୍କୀ ଭଳି ସ୍ଥାନକୁ ବିମାନ ସେବା ବ୍ୟାପକ ଭାବରେ ପ୍ରଭାବିତ ହୋଇଛି । ଏମିତି କି ୨୫୬ ସିଟ୍ ବିଶିଷ୍ଟ ଏକ ବିମାନରେ ଉଡ଼ିଲେ ମାତ୍ର ୨୫ ଯାତ୍ରୀ । ସେପଟେ କୁଏତ ସମେତ ୬ଟି ଦେଶକୁ ଉଡ଼ାଣ ବନ୍ଦ ହୋଇଛି । ବଢୁଥିବା କରୋନା ଆକ୍ରାନ୍ତ ସଂଖ୍ୟାକୁ ଦେଖି କୁଏତ୍ ଆଗାମୀ ସପ୍ତାହକ ଯାଏଁ ଉଭୟ ପଟୁ ଅର୍ଥାତ୍ ଭାରତରୁ କୁଏତ ଏବଂ କୁଏତରୁ ଭାରତକୁ ସମସ୍ତ ବିମାନ ଚଳାଚଳ ବନ୍ଦ ରହିବ ।

ଏନେଇ କୁଏତ ସରକାର ବିଜ୍ଞପ୍ତି ଜାରି କରିଛନ୍ତି । ସୂଚନା ଅନୁସାରେ ଭାରତ ସମେତ ୭ଟି ଦେଶ ସହିତ ବିମାନ ଚଳାଚଳ ବନ୍ଦ କରିଛି । ଇଜିପ୍ଟ, ଲେବାନନ, ସିରିୟା, ବାଂଲାଦେଶ, ଫିଲିପାଇନ୍ସ, ଶ୍ରୀଲଙ୍କା ଏବଂ ଭାରତ ସହିତ ଏହି ବିମାନ ଚଳାଚଳ ବାତିଲ କରିଛି । କୁଏତ ସାଧାରଣ ବିମାନ ଚଳାଚଳ ବିଭାଗ ଏନେଇ ଟୁଇଟ୍ କରି ସୂଚନା ଦେଇଛି ।

କାୟା ମେଲାଉଛି କରୋନା । ବିଶ୍ୱବ୍ୟାପି କରୋନା ଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଆକ୍ରାନ୍ତଙ୍କ ସଂଖ୍ୟା ୧ଲକ୍ଷ ଟପିଯାଇଛି । ଏବଂ ଭାଇରସ୍ ୯୩ ଦେଶକୁ ବ୍ୟାପିଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସୂତ୍ରରୁ ଜଣାପଡିଛି । କରୋନାରେ ଆଜି ସୁଦ୍ଧା ୧ଲକ୍ଷ ୧୬୨ ଜଣ ସଂକ୍ରମିତ ହୋଇଥିବାବେଳେ ୩ହଜାର ୪୦୬ ଜଣଙ୍କ ମୃତ୍ୟୁ ହୋଇଛି । କେବଳ ଚୀନରେ ୩୦୪୨ ଜଣଙ୍କର ମୃତ୍ୟୁ ହୋଇଛି । ତେବେ ଏହା ପୁଣି ଥରେ ବ୍ୟାପିବା ନେଇ ଚେତାବନୀ ଦେବା ସହ ଯୁଦ୍ଧକାଳିନ ଭିତିରେ ଏହାର ମୁକାବିଲା କରିବାକୁ ଆହ୍ୱାନ ଦେଇଛି ବିଶ୍ୱସ୍ୱାସ୍ଥ୍ୟ ସଂଗଠନ ।