ଭୁବନେଶ୍ୱରର ମାଛ ମାର୍କେଟରେ ବ୍ୟାପିଲାଣି ମହାମାରୀ କରୋନା: ରାଜଧାନୀର ପ୍ରମୁଖ ମାଛ ମାର୍କେଟ ୟୁନିଟ-୪ରେ ୭ ମାଛ ଦୋକାନୀ କରୋନା ଆକ୍ରାନ୍ତ ଚିହ୍ନଟ

ସଂକ୍ରମଣ ରୋକିବାକୁ ସିଲ କଲା ଭୁବନେଶ୍ୱର ମହାନଗର ନିଗମ: ଗତ ୭ ଦିନରେ ମାଛ କିଣିଥିଲେ ଘରେ ସଂଗରୋଧରେ ରହିବାକୁ ନିର୍ଦ୍ଦେଶ

829

କନକ ବ୍ୟୁରୋ: ମାଛ ହାଟରେ କରୋନା । ରାଜଧାନୀର ପ୍ରମୁଖ ମାଛ ମାର୍କେଟକୁ ସିଲ୍ କରାଯାଇଛି । ୭ଜଣ ମାଛ ଦୋକାନୀଙ୍କ ଠାରେ କରୋନା ଭୂତାଣୁ ଚିହ୍ନଟ ହେବା ପରେ ଭୁବନେଶ୍ୱର ୪ନମ୍ବର ମାଛ ମାର୍କଟକୁ ସିଲ କରିଦିଆଯାଇଛି । ସମସ୍ତ ଦୋକାନ ବଜାର ବନ୍ଦ ରହିଥିବା ବେଳେ ମାର୍କଟକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାକୁ ସିଲ କରିଦିଆଯାଇଛି । ଗତ ୭ଦିନ ମଧ୍ୟରେ ଏହି ମାଛ ମାର୍କେଟକୁ ମାଛ କିଣିବାକୁ ଆସିଥିବା ଲୋକମାନଙ୍କୁ ନିଜ ଆଡୁ ହୋମ କ୍ୱାରେନଟିନରେ ରହିବା ପାଇଁ ବିଏମସି ପକ୍ଷରୁ ନିବେଦନ କରାଯାଇଛି ।

ଗତ ୨ଦିନ ମଧ୍ୟରେ ୭ଜଣ ମାଛ ଦୋକାନୀଙ୍କ ଠାରେ କରୋନା ଭୂତାଣୁ ଚିହ୍ନଟ ହେବା ପରେ ୪ନମ୍ବର ମାଛ ମାର୍କେଟକୁ ସିଲ କରାଯାଇଛି । ସମସ୍ତ ଦୋକାନରେ ତାଲା ପଡିଥିବା ବେଳେ ମାଛ ମାର୍କେଟକୁ ସଂଲଗ୍ନ ସମସ୍ତ ରାସ୍,ାକୁ ବାରିକେଡ ଲଗାଇ ବ୍ଲକ କରିଦିଆଯାଇଛି । ବୁଧବାର ଜଣଙ୍କ ଠାରେ ଏବଂ ଗୁରୁବାର ୬ଜଣଙ୍କ ଠାରେ କରୋନା ଚିହ୍ନଟ ହେବା ପରେ ବିଏମସି ପକ୍ଷରୁ ଏହି ପଦ କ୍ଷେପ ଗ୍ରହଣ କରାଯାଇଛି । ବିଡିଏ ଏବଂ ବିଏମସି ଜଏଂଟ ଏନଫୋର୍ସସ୍କ୍ୱାର୍ଡ ମାଛ ମାର୍କେଟରେ ଏହି କଟକଣାକୁ ଜୋରଦାର କରିଛନ୍ତି ।

ଆପଣ ୟୁନିଟ-୪ ମାଛ ମାର୍କେଟରୁ ମାଛ କିଣିଛନ୍ତି କି? ତେବେ ତୁରନ୍ତ ହୋମ କ୍ୱାରେନଟିନରେ ରୁହନ୍ତୁ । ଏହି ମାଛ ମାର୍କେଟକୁ ଗତ ୭ଦିନ ମଧ୍ୟରେ ମାଛ କିଣିବାକୁ ଆସିଥିବା ଗ୍ରାହକମାନେ ସଚେତନ ହୋଇ ନିଜେ ନିଜେ ହୋମକ୍ୱାରେନଟିନରେ ରହିବା ପାଇଁ ବିଏମସି ପକ୍ଷରୁ ନିବେଦନ କରାଯାଇଛି । କାରଣ ଏହି ୭ଦିନ ଭିତରେ କରୋନା ଚିହ୍ନଟ ହୋଇଥିବା ମାଛ ଦୋକାନୀଙ୍କ ସଂସ୍ପର୍ଶରେ ଲୋକମାନେ ଆସିଥିବା ନେଇ ସନ୍ଦେହ କରାଯାଉଛି । ଏବେ କଡା ପୋଲିସ ପହରା ମଧ୍ୟରେ ୟୁନିଟ ୪ ମାଛ ମାର୍କେଟ । ତେବେ ଏହି ଅଂଚଳରେ ଘର କରି ରହୁଥିବା ଲୋକମାନେ ପୋଲିସରୁ ଅନୁମତି ନେଇ ଜରୁରୀ କାମରେ ଯାଆସ କରିପାରିବେ ।