ଭୁବନେଶ୍ବର ୟୁନିଟ୍-୧ ବଏଜ୍ ହାଇସ୍କୁଲ୍ ଖେଳପଡ଼ିଆକୁ ଉଠିଆସିଲା ୧ନମ୍ବର ହାଟ: କରୋନା ପାଇଁ ଦୋକାନୀଙ୍କ ଭିତରେ ଅତି କମରେ ରହିବ ୮ ଫୁଟ୍ ବ୍ୟବଧାନ; ଗ୍ରାହକଙ୍କୁ ଅତିକମରେ ପରସ୍ପରଠାରୁ ୧ ମିଟର ଦୂରତା ରଖିବାକୁ ନିର୍ଦ୍ଦେଶ

ସେପଟେ ଆଜିଠାରୁ କଟକରେ ବାଦାମବାଡିକୁ ଉଠିଆସିଲା ଛତ୍ରବଜାର ପରିବା ବଜାର

945

କନକ ବ୍ୟୁରୋ: କରୋନା ଭୂତାଣୁର ମୁକାବିଲା ପାଇଁ ସାମଜିକ ଦୂରତାକୁ ଗୁରୁତ୍ୱ ଦିଆଯାଉଛି । ଏହିକ୍ରମରେ ରାଜଧାନୀ ଭୁବନେଶ୍ୱରରେ ସବୁଠାରୁ ବ୍ୟସ୍ତ ବହୁଳ ହାଟ ୟୁନିଟ୍ ୧ ହାଟକୁ ବିଏମସି ଉଠାଇ ଦେଇଛି ୟୁନିଟ୍ ୧ ବାଳକ ହାଇସ୍କୁଲ ଖେଳ ପଡିଆକୁ । କେବଳ ଏହିଠାରେ ୟୁନିଟ୍ ୧ ହାଟ ବ୍ୟବସାୟୀ ବସି ପରିବା ବିକ୍ରି କରୁଛନ୍ତି । ପ୍ରତି ବ୍ୟବସାୟୀଙ୍କ ମଧ୍ୟରେ ଅତି କମରେ ୧୦ ମିଟର ଦୂରତା ରହିଛି । ଦୋକାନ ଆଗରେ ଅଛି ଗୋଲେଇ ଚିହ୍ନ । ଏହି ଗୋଲେଇ ଚିହ୍ନରେ ଠିଆ ହୋଇ ସମସ୍ତଙ୍କୁ ପରିବା କିଣିବା ପାଇଁ କୁହାଯାଇଛି । ସାମାଜିକ ଦୂରତାର ନିୟମ ନମାନି ପରିବା ବିକ୍ରି କଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛି ବିଏମସି । ଗତକାଲି ହାଟ ଉଠିବା ନେଇ ବିଏମସି ଘୋଷଣା କରିଥିଲା ରାଜମହଲ ଛକ ରାସ୍ତା କଡ ଏବଂ ନିଟ୍ ୧ ବାଳକ ହାଇସ୍କୁଲ ଖେଳ ପଡିଆକୁ ଉଠିଆସିବ ହାଟ । ତେବେ ୟୁନିଟ୍ ୧ ହାଟ କେବଳ ୟୁନିଟ୍ ୧ ବାଳକ ହାଇସ୍କୁଲ ଖେଳ ପଡିଆରେ ବସିଥିବା ନଜର ଆସିଛି ।

ଅନ୍ୟପଟେ, ଭିଡ କମାଇବାକୁ ରାତିରେ ଦୋକାନ ଖୋଲିପାରିବେ ଦୋକାନୀ । ତାଲାବନ୍ଦ ଭିତରେ ରାସନ ସାମଗ୍ରୀ ସୁବିଧାରେ ଲୋକଙ୍କ ପାଖରେ ପହଂଚାଇବାକୁ ଏହି ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର । ଏନେଇ ସବୁ ଜିଲ୍ଲାପାଳ ଓ ପୌରପରିଷଦକୁ ଚିଠି ଲେଖି ଜଣାଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । ତେବେ ସାମଜିକ ଦୂରତା ରକ୍ଷା କରିବା ପାଇଁ ନିର୍ଦ୍ଧାରିତ ଦୂରତାରେ ଦୋକାନ ରଖିବାକୁ ନିର୍ଦ୍ଦେଶ ରହିଛି । ସରକାରଙ୍କ ଏହି ନିର୍ଦ୍ଦେଶ ପରେ ରାସନ ସାମଗ୍ରୀ, ପରିବା, କ୍ଷୀର, ମାଛ, ମାଂସ ଦୋକାନୀ ଗହଳି ଏଡାଇବାକୁ ରାତିରେ ମଧ୍ୟ ଖୋଲି ପାରିବେ । ତାଲାବନ୍ଦ ଯୋଗୁଁ ଦୋକାନ ବଜାର ଦିନରେ ଖୋଲୁଥିବା ବେଳେ ଲୋକ ଗହଳି ଜମୁଥିଲା । ସାମାଜିକ କଟକଣା ସତ୍ୱେ ଦୋକାନ ଆଗରେ ଗହଳି ଜମୁଥିବା ଦେଖିବାକୁ ମିଳିଛି । ତେବେ ଆଶ୍ୱସ୍ତିର କଥା ପ୍ରାୟ ଏକ ମିଟର ଦୂରତାରେ ଛିଡା ହୋଇ ଲୋକେ ସଉଦା କରୁଥିବା ଚିତ୍ର ରାଜ୍ୟର ବିଭିନ୍ନ ସହରରେ ସମ୍ନାକୁ ଆସିଛି । ସେହିପରି ବୁଧବାର ରାଜ୍ୟ ସରକାର ମାଲ ପରିବହନ ଗାଡି ଚଳାଚଳ ସ୍ୱାଭାବିକ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ମାଲ ପରିବହନ ଗାଡି ପାଇଁ କୌଣସି ପାସ୍ର ଆବଶ୍ୟକତା ନାହିଁ ଓ ପ୍ରତି ୨୦ କିଲୋମିଟର ଦୂରତାରେ ଗ୍ୟାରେଜ ଓ ଢାବା ଖୋଲା ରଖିବାକୁ ନିର୍ଦ୍ଦେଶ ଦେଇଥିଲେ ।

କଟକରେ ଛତ୍ରବଜାର ପରିବା ବଜାରକୁ ଉଠିଆସିଛି ବାଦାମବାଡିକୁ । ଛତ୍ରବଜାରରେ ପରିବା ବ୍ୟବସାୟୀ ଓ ଲୋକଙ୍କ ମଧ୍ୟରେ ସ୍ଥାନ ଅଭାବ ଦେଖା ଦେବାରୁ ସାମାଜିକ ଦୂରତା ରକ୍ଷା କରିବାକୁ ଏପରି ନିଷ୍ପତି ନିଆଯାଇଛି । ବାଦାମବାଡି ପୂଜାମଣ୍ଡପରୁ ମଧୁପାଟଣା ଛକ ପର୍ଯ୍ୟନ୍ତ ସ୍ଥାନରେ ଆଜି ବସିଛନ୍ତି ବ୍ୟବସାୟୀ । ଛତ୍ରବଜାରର ସମସ୍ତ ଖୁଚୁରା ବ୍ୟବସାୟୀଙ୍କୁ ଏହି ନିଷ୍ପତିକୁ ସହ ଯୋଗ କରିବାକୁ କୁହାଯାଇଛି । ଗୋଟିଏ ପାଖ ରାସ୍ତା ସମ୍ପୂର୍ଣ୍ଣ ବନ୍ଦ କରି ସେହି ସ୍ଥାନରେ ବ୍ୟବସାୟୀ ବସିଛନ୍ତି । ରାସ୍ତାର ଯେଉଁ ପାଶ୍ୱର୍ରେ ହାଟ ବସିଥିଲା ସେହି ରାସ୍ତାରେ ଦୁଇ ଚକିଆ ଗାଡି ଚଳାଚଳ ଉପରେ ରୋକ୍ ଲଗାଯାଇଛି । ଲୋକେ ସାମାଜିକ ଦୂରତାରେ ରହି ଜିନିଷ କିଣିବେ ଏଥିପାଇଁ ପୌରନିଗମ ପକ୍ଷରୁ ବିଶେଷ ନଜର ଦିଆଯାଉଛି । ଦୁଇଟି ଦୋକାନ ମଧ୍ୟରେ ଅତି କମରେ ୧୦ ଫୁଟର ବ୍ୟବଧାନ ରହିଛି । ଦୋକାନ ଆଗରେ ତିନି ଫୁଟ ବ୍ୟବଧାନରେ ରହୁଛି ଗୋଲେଇ ଚିହ୍ନ । ଏହି ଗୋଲେଇ ମଧ୍ୟରେ ଛିଡା ହୋଇ ଜିନିଷ କିଣିବେ ଗ୍ରାହକ । ଆଳୁ, ପିଆଜ ଓ ପରିବା ଗୋଦାମ ଗୁଡିକ ପୂର୍ବ ପରି ଛତ୍ରବଜାରରେ ରହିଛି ।