କୋଭିଡ୍ ମହାମାରୀରେ ଗରିବ ହୋଇଛନ୍ତି ଅନେକ ପରିବାର। ସ୍ଥିତି ଏଭଳି ହୋଇଛି ଯେ ପରିବାର ମୁହଁରେ ଅନ୍ନ ଦେବା ପାଇଁ ପିଲାଙ୍କ ସହାୟତା ନେବାକୁ ବାଧ୍ୟ ହେଉଛନ୍ତି ଅଭିଭାବକ। ଫଳରେ ଆଗରୁ ସ୍କୁଲ ଆସୁଥିବା ୮ ପ୍ରତିଶତ ବିଦ୍ୟାର୍ଥୀ ସ୍କୁଲକୁ ଫେରିବେ ନାହିଁ ବୋଲି ଆଶଙ୍କା କରି ରିପୋର୍ଟ ଦେଇଛି ୟୁନିସେଫ୍।
Kanak News is now on WhatsApp
Join and get latest news updates delivered to you via WhatsApp
୬ ରାଜ୍ୟକୁ ନେଇ କରାଯାଇଥିବା ସର୍ଭେ ପରେ ଏହି ଚେତାବନୀ ଦିଆଯାଇଛି। ଏଥିରେ କୁହାଯାଇଛି, ମହାମାରୀରେ ୧୪ରୁ ୧୮ ବର୍ଷର ୮୦ ପ୍ରତିଶତ ବିଦ୍ୟାର୍ଥୀଙ୍କ ଆର୍ଥିକ ସ୍ଥିତି ପ୍ରଭାବିତ ହୋଇଛି। ସ୍କୁଲ ଯିବା ବେଳକୁ ସେମାନଙ୍କ ପରିବାରର ଅବସ୍ଥା ଯେଉଁଭଳି ଥିଲା, ବର୍ତ୍ତମାନ ଆଉ ନାହିଁ। ଅନୁସୂଚିତ ଜାତି-ଜନଜାତିଙ୍କ ଅବସ୍ଥା ଆହୁରି ଗମ୍ଭୀର ହୋଇଛି। ପ୍ରାୟ ୬୦ ପ୍ରତିଶତ ପ୍ରବାସୀ ଅଭିଭାବକଙ୍କ ସନ୍ତାନ, ୫୩ ପ୍ରତିଶତ ଅନୁସୂଚିତ ଜନଜାତି ପରିବାରଙ୍କ ସନ୍ତାନଙ୍କ ସ୍ଥିତି ବିଗିଡ଼ି ଯାଇଛି। ପ୍ରାୟ ୧୦ ପ୍ରତିଶତ ପରିବାର କହିଛନ୍ତି, ସେମାନଙ୍କ ସନ୍ତାନଙ୍କୁ ସ୍କୁଲ ପଠାଇବାକୁ ତାଙ୍କ ପାଖରେ ସାମର୍ଥ୍ୟ ନାହିଁ। ୬ ପ୍ରତିଶତ କହିଛନ୍ତି, ଉପାର୍ଜନ ପାଇଁ ସେମାନଙ୍କୁ ନିଜ ପିଲାଙ୍କ ସହାୟତାର ଆବଶ୍ୟକତା ରହିଛି। ଅନେକ ଅଭିଭାବକ ଅନୁଭବ କରୁଛନ୍ତି, ସ୍କୁଲ ଗଲାବେଳକୁ ତାଙ୍କ ପିଲା ଯେଉଁ ସ୍ତରରେ ଥିଲେ ବର୍ତ୍ତମାନ ନାହାନ୍ତି। ସେହିପରି ୫ରୁ ୧୩ ବର୍ଷର ବିଦ୍ୟାର୍ଥୀଙ୍କ ଅଭିଭାବକଙ୍କ ମଧ୍ୟରୁ ୭୬ ପ୍ରତିଶତ, ୧୪ରୁ ୧୮ ବର୍ଷର ବିଦ୍ୟାର୍ଥୀଙ୍କ ଅଭିଭାବକଙ୍କ ମଧ୍ୟରୁ ୮୦ ପ୍ରତିଶତଙ୍କ ମତରେ ତାଙ୍କ ପିଲା ସ୍କୁଲଠାରୁ ଅନ୍ଲାଇନ୍ରେ କମ୍ ପଢୁଛନ୍ତି।
ଶିକ୍ଷକମାନେ ମଧ୍ୟ ଅନୁରୂପ ମତ ଦେଇଛନ୍ତି। ୬୭ ପ୍ରତିଶତ ଶିକ୍ଷକଙ୍କ କହିବା ଅନୁସାରେ ସାମଗ୍ରିକ ଭାବରେ ବିଦ୍ୟାର୍ଥୀଙ୍କ ପାଠର ସ୍ତର ହ୍ରାସ ପାଇଛି। କୋଭିଡ୍ ମହାମାରୀ ଯୋଗୁଁ ଦେଢ ବର୍ଷ ହେଲା ସ୍କୁଲ ବନ୍ଦ ରହିଛି। ପୂର୍ବରୁ ଶ୍ରେଣୀରେ ଯାହା ପଢାଯାଉଥିଲା ବର୍ତ୍ତମାନ ଅନଲାଇନରେ କ୍ଲାସ୍ ହେଉଛି। ଗତବର୍ଷ ଅକ୍ଟୋବର ମାସରେ କେନ୍ଦ୍ର ସରକାର ପକ୍ଷରୁ ରାଜ୍ୟମାନଙ୍କୁ ପୁନର୍ବାର ସ୍କୁଲ ଖୋଲିବା ସଂକ୍ରାନ୍ତରେ ନିଜେ ନିଷ୍ପତ୍ତି ନେବାକୁ କହିଥିଲେ। ଦ୍ବିତୀୟ ଲହର ଆରମ୍ଭ ହେବା ସହିତ ଏପ୍ରିଲ ମାସରେ ପୁନର୍ବାର ସ୍କୁଲ ବନ୍ଦ ହୋଇଥିଲା। ବର୍ତ୍ତମାନ ସ୍ଥିତିରେ ଉନ୍ନତି ହେବା ସହିତ ନୂଆଦିଲ୍ଲୀ, ତାମିଲନାଡ଼ୁ, ହରିୟାଣା, ମଧ୍ୟପ୍ରଦେଶ, ରାଜସ୍ଥାନ, ତେଲେଙ୍ଗାନା, ଉତ୍ତରପ୍ରଦେଶ ଏବଂ ଆସାମରେ ଶ୍ରେଣୀ ପାଠ ଆରମ୍ଭ ହେଲାଣି। ଆସାମ, ବିହାର, ଗୁଜରାତ, କେରଳ, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶର ସମୁଦାୟ ୬୪୩୫ ବିଦ୍ୟାର୍ଥୀ, ଅଭିଭାବକ ଏବଂ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ନେଇ ଟେଲିଫୋନ ଜରିଆରେ ଏହି ସର୍ଭେ ହୋଇଥିଲା। ଏହି ରିପୋର୍ଟରୁ ଜଣାପଡ଼ିଛି ଯେ ୧୦ ପ୍ରତିଶତ ବିଦ୍ୟାର୍ଥୀ ସ୍ମାର୍ଟ ଫୋନ୍, କମ୍ପୁଟର୍ କିମ୍ବା ଲାପ୍ଟପ୍, ଟେଲିଭିଜନ କିମ୍ବା ରେଡିଓ ସହିତ ଅଭ୍ୟସ୍ତ ମଧ୍ୟ ନାହାନ୍ତି। ୪୫ ପ୍ରତିଶତ ଏତିକି ମଧ୍ୟ ଜାଣନ୍ତି ନାହିଁ ଯେ ସେମାନେ କେଉଁ ଡିଭାଇସ୍ରେ ପଢ଼ିବେ। ଏପରିକି ୪୦ ପ୍ରତିଶତ ଗତ ୬ ମାସ ମଧ୍ୟରେ କୌଣସି କମ୍ପୁଟର ଉପକରଣର ବ୍ୟବହାର କରି ନାହାନ୍ତି। ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ସମ୍ପର୍କରେ ମଧ୍ୟ ଯେଉଁ ରିପୋର୍ଟ ପ୍ରସ୍ତୁତ ହୋଇଛି, ତାହା ଚିନ୍ତାଜନକ। ପ୍ରାୟ ୮ ପ୍ରତିଶତ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ବ୍ୟକ୍ତିଗତ ସ୍ମାର୍ଟଫୋନ କିମ୍ବା ଲାପ୍ଟପ୍ ନାହିଁ। ୩୩ ପ୍ରତିଶତ ଏହାର ଉପକାର ଦେଖିପାରୁ ନାହାନ୍ତି। ଡିଜିଟାଲ ପାଠ ଲିଙ୍ଗଗତ ବିଷମତାର ଚିତ୍ର ମଧ୍ୟ ଦେଖାଇଛି। ଛାତ୍ରଙ୍କ ତୁଳନାରେ ୮ ପ୍ରତିଶତ କମ୍ ଛାତ୍ରୀ ୟୁଟୁବ୍ରେ ପାଠ ପଢିପାରୁଛନ୍ତି। ଘରୋଇ ସ୍କୁଲ ତୁଳନାରେ ୧୦ ପ୍ରତିଶତ କମ୍ ସରକାରୀ ସ୍କୁଲ ବିଦ୍ୟାର୍ଥୀ ଏହି ପାଠ ପଢୁଛନ୍ତି। ପ୍ରାୟ ୩୦ରୁ ୪୦ ପ୍ରତିଶତ ବିଦ୍ୟାର୍ଥୀ ନିଜ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ସହିତ ଯୋଗାଯୋଗରେ ନାହାନ୍ତି।
ସହର ତୁଳନାରେ ଗାଁର ବିଦ୍ୟାର୍ଥୀ ନିଜ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ଠାରୁ ଆହୁରି ଦୂରେଇ ଯାଇଛନ୍ତି। ସମସ୍ୟାର ସମାଧାନ ପାଇଁ ୟୁନିସେଫ୍ ପକ୍ଷରୁ ଦୀର୍ଘ ଏବଂ ସ୍ବଳ୍ପକାଳୀନ ପଦକ୍ଷେପ ସଂକ୍ରାନ୍ତରେ ବିଭିନ୍ନ ପ୍ରକାର ସୁପାରିସ କରାଯାଇଛି। ଏଥିମଧ୍ୟରେ ପାଠ୍ୟପୁସ୍ତକ ବଣ୍ଟନ, ଖୋଲା ପରିବେଶରେ ବିଦ୍ୟାର୍ଥୀ ଏବଂ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ମଧ୍ୟରେ ଆଲୋଚନା, କୋହଳ ଦରରେ ଇଣ୍ଟରନେଟ ଡାଟା ବ୍ୟବସ୍ଥା, ଅଧାରୁ ପାଠ ଛାଡ଼ୁଥିବା ବିଦ୍ୟାର୍ଥୀଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା, ଅନଲାଇନରେ ପିଲାଙ୍କ ଶିକ୍ଷା କେତେ ପ୍ରଭାବିତ ହୋଇଛି ଏହାକୁ ନେଇ ଆକଳନ, ବିଦ୍ୟାର୍ଥୀଙ୍କ ସାମଗ୍ରିକ ଉନ୍ନତି ପାଇଁ ପଦକ୍ଷେପ, କମ ଦରରେ ୨-ଜି ଫୋନ ବ୍ୟବସ୍ଥା ଆଦି ଏଥିରେ ରହିଛି। କୋଭିଡରେ ସ୍କୁଲ ବନ୍ଦ ଯୋଗୁଁ ବିଦ୍ୟାର୍ଥୀମାନେ ଉଭାନ ହେବାରେ ଲାଗିଛନ୍ତି। ସେମାନଙ୍କ ସାମଗ୍ରିକ ଉନ୍ନତି ପାଇଁ ଖେଳ ସହିତ ସାମାଜିକ ଯୋଗାଯୋଗର ଆବଶ୍ୟକତା ରହିଛି। ଏଭଳି ସ୍ଥିତିରେ ଏଭଳି ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ଗଢିବାକୁ ଅଛି; ଯେଉଁମାନେ ବିଦ୍ୟାର୍ଥୀଙ୍କୁ ଉଭୟ ଘରେ ଏବଂ ସ୍କୁଲରେ ପାଠ ପଢାଇ ପାରିବେ।