କନକ ବ୍ୟୁରୋ : ପ୍ରକୃତି ସହ ଜଡିତ ଆଦିବାସୀଙ୍କ ନିଆରା ‘ବାହା’ ପର୍ବ । ଫଗୁଣ ମାସରେ ଫଳୁଥିବା ନୂଆ ଫୁଲଫଳକୁ ଠାକୁରଙ୍କ ନିକଟରେ ପୂଜା କରିଥାନ୍ତି ଲୋକେ । ଗ୍ରାମ ଦେବତୀଙ୍କ ନିକଟରେ ଭୋଗ ଲାଗେ କଅଁଳ ଶାଳ ଫୁଲ । ଏବଂ ଯାହାକୁ ପ୍ରସାଦ ଭାବେ ସେବନ କରନ୍ତି ଶ୍ରଦ୍ଧାଳୁ । ପରେ ମୁଣ୍ଡରେ ଶାଳ ଫୁଲ ଖୋସି ଗୀତନାଚ କରିଥାନ୍ତି ଆଦିବାସୀ ମହିଳା ।

Advertisment

ପରମ୍ପରା ସହ ଜଡିତ ଆଦିବାସୀଙ୍କ ଅନେକ ପର୍ବ ମଧ୍ୟରୁ ବାହା ପର୍ବ ହେଉଛି ଅନ୍ୟତମ । ଏହାକୁ ଆଦିବାସୀଙ୍କ ସୁଖ ଓ ସମୃଦ୍ଧିର ପର୍ବ ଭାବେ ଗଣା ହୁଏ । ପରମ୍ପରା ଅନୁସାରେ ଫଗୁଣ ମାସରେ ଫୁଟୁଥିବା ନୂଆ ଫୁଲଫଳକୁ ଜାହିରା ଅର୍ଥାତ ଠାକୁରଙ୍କ ପୂଜାସ୍ଥଳୀ ନିକଟକୁ ଆଣିଥାନ୍ତି ଲୋକେ । ପ୍ରାଚୀନ କାଳରୁ ଚାଲିଆସୁଥିବା ଏହି ପର୍ବରେ ଶାଳ ଫୁଲ ଏବଂ ମହୁଲ ଫୁଲକୁ ଠାକୁରଙ୍କ ନିକଟରେ ପୂଜାର୍ଚ୍ଚନା କରାଯାଇଥାଏ । ପୂଜାର୍ଚ୍ଚନା ପରେ ଆଦିବାସୀ ମହିଳାମାନେ ଢୋଲ, ମାଦଳର ତାଳେ ତାଳେ ନାଚଗୀତରେ ମସଗୁଲ ହୋଇଥାନ୍ତି । ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରେ ଅନୁଷ୍ଠିତ ଏହି ପର୍ବରେ ସାମିଲ ହେବାକୁ କେବଳ ଓଡ଼ିଶା ନୁହେଁ ବାହାର ରାଜ୍ୟରୁ ମଧ୍ୟ ଅନେକ ଲୋକ ଆସିଥାନ୍ତି ।

ବାହା ପର୍ବ ହେଉଛି ସାନ୍ତାଳୀମାନଙ୍କର ବଡ ପର୍ବ । ପରମ୍ପରା ଅନୁସାରେ ପୂଜା ନ ହେବା ପର୍ଯ୍ୟନ୍ତ ଗ୍ରାମବାସୀଙ୍କ ପାଇଁ ଗାଁର ଫୁଲଫଳର ବ୍ୟବହାର ବାରଣ କରାଯାଇଥାଏ । ଏଥିସହ ଜଙ୍ଗଲକୁ ଯିବାକୁ ମଧ୍ୟ ନିଷେଧ କରାଯାଇଥାଏ । ବାହା ପର୍ବରେ ପୂଜା ସମାଗ୍ରୀ ମଧ୍ୟରେ କଅଁଳ ଶାଳ ଫୁଲ ଏବଂ ମହୁଲ ଫୁଲକୁ ମୁଖ୍ୟ ସାମଗ୍ରୀ ଭାବେ ନିଆଯାଇଥାଏ । ପୂଜାରୀ ନାୟକେ ବାବାଙ୍କୁ ଶ୍ରଦ୍ଧାଳୁ ଶୋଭାଯାତ୍ରାରେ ଦିଶମ ଜାହିରାକୁ ପାଛୋଟି ନେଇଥାନ୍ତି । ପୂଜା ପରେ ଶାଳ ଫୁଲକୁ ଭୋଗ ଆକାରରେ ଗ୍ରହଣ କରିଥାନ୍ତି ଶ୍ରଦ୍ଧାଳୁ । ପୁରୁଷମାନେ କାନରେ, ମହିଳାମାନେ ମୁଣ୍ଡରେ ଶାଳ ଫୁଲ ଲଗାଇଥାନ୍ତି । ଜାହିରାରେ ପୂଜା କଲେ ମାନସିକ ପୂରଣ ହୁଏ ବୋଲି ଲୋକଙ୍କର ବିଶ୍ୱାସ ରହିଥିବାରୁ ଶ୍ରଦ୍ଧାଳୁ ଭିଡ ଲାଗିଥାଏ । ଅଞ୍ଚଳର ବିକାଶ ପାଇଁ ପ୍ର୍ରକୃତି ସହ ଜଡିତ ଆଦିବାସୀଙ୍କ ଏହି ପର୍ବ ଯୁଗ ଯୁଗ ଧରି ପାଳନ ହୋଇଆସୁଛି ।