କନକ ବ୍ୟୁରୋ : ବାହାଘର ସମସ୍ତଙ୍କ ପାଇଁ ଏକ ଖାସ ଦିନ ହୋଇଥାଏ । ଏହି ଦିନଟିକୁ ସ୍ମରଣୀୟ କରିବା ପାଇଁ ଲୋକେ ଲକ୍ଷ ଲକ୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ କରିଥାନ୍ତି । ଦାମୀ ବସ୍ତ୍ର, ବ୍ୟାଣ୍ଡ ବାଜା ଭଳି ତମାମ ଜିନିଷ ପାଇଁ ଟଙ୍କା ଖର୍ଚ୍ଚ କରାଯାଇଥାଏ । କିନ୍ତୁ ଆମ ଦେଶରେ ଏପରି ଏକ ସ୍ଥାନ ରହିଛି ଯେଉଁଠି କନ୍ୟାକୁ ବିବାହ କରିବା ପାଇଁ ବର ଖାଲି ପାଦ ଏବଂ ଗଞ୍ଜି-ବାନିଆନ୍ ପିନ୍ଧି ଆସିଥାଏ । କେବଳ ଏତିକି ନୁହେଁ ଏଠାରେ ପୂରା ସହର ବରଯାତ୍ରୀ ବନିଥାନ୍ତି । ବିବାହ ଯୋଗ୍ୟ ହୋଇଯାଇଥିବା ପିଲା ବର ବନିଥାନ୍ତି । ଏହାକୁ ବାହାଘର ଅଲମ୍ପିକ୍ କୁହାଯାଏ ।
ଏହା କୌଣସି ବାହାର ଦେଶର କଥା ନୁହେଁ, ଏପରି ବାହାଘର ଆମ ଦେଶ ଭାରତର ରାଜସ୍ଥାନରେ ଦେଖିବାକୁ ମିଳେ । ରାଜସ୍ଥାନର ବିକାନେର ସହରର ପୁଷ୍କରଣ ସମାଜରେ ଏପରି ପରମ୍ପରା ଦେଖିବାକୁ ମିଳେ । ପୁଷ୍କରଣ ସମାଜର ପରମ୍ପରା ଅନୁସାରେ, ବର ଖାଲି ପାଦରେ ବରଯାତ୍ରୀ ନେଇ କନ୍ୟା ଘରକୁ ଯାଇଥାଏ । ଏଠାରେ ବର କୌଣସି ଦାମୀ ପୋଷାକ ପିନ୍ଧିନଥାଏ । କେବଳ ବାନିଆନ୍ ପିନ୍ଧିବାର ପରମ୍ପରା ରହିଛି । ଏଠାରେ ବରଙ୍କୁ ଭଗବାନ ବିଷ୍ଣୁ ଏବଂ କନ୍ୟାଙ୍କୁ ମା’ ଲକ୍ଷ୍ମୀ ବୋଲି ମାନିଥାନ୍ତି ଲୋକେ । ଏପରି ବାହାଘରରେ ବ୍ୟାଣ୍ଡ-ବାଜା ବଦଳରେ ଶଙ୍ଖ ଧ୍ୱନୀ ଏବଂ ମାଙ୍ଗଳିକ ଗୀତ ବାଜିଥାଏ । ସବୁଠୁ ବଡ କଥା ହେଉଛି ଏହି ସହରରେ ପୁଷ୍କରଣ ପରମ୍ପରା ଅନୁଯାୟୀ ଗୋଟିଏ ତାରିଖରେ ବାହାଘର ହୋଇଥାଏ । ବିବାହ ଯୋଗ୍ୟ ହୋଇଯାଇଥିବା ପିଲାଙ୍କୁ ଏହି ଗୋଟିଏ ତାରିଖରେ ବାହାଘର କରାଯାଇଥାଏ । ସମସ୍ତ ଯୋଗ୍ୟ ପିଲାଙ୍କୁ ବର ବେଶରେ ସଜେଇଦିଆଯାଇଥାଏ । ଆଉ ବାହାଘର କରିଦିଆଯାଏ । ଏହା ପଛରେ ଏକ ବଡ କାରଣ ରହିଛି । ଗୋଟିଏ ଘରେ ବାହାଘର ଅନୁଷ୍ଠିତ ହେଲେ ସେହି ଘରକୁ ବହୁତ ଅତିଥି ଆସିବେ, ଭୋଜିଭାତରେ କନ୍ୟାର ବାପାଙ୍କ ଅଧିକ ଟଙ୍କା ଖର୍ଚ୍ଚ ହୋଇଯିବ, ତେଣୁ ଏହାକୁ ଦୃଷ୍ଟିରେ ରଖି ଗୋଟିଏ ଦିନରେ ସମସ୍ତ ଯୋଗ୍ୟ ଯୁବକ ଯୁବତୀଙ୍କର ବିବାହ ଅନୁଷ୍ଠିତ ହୋଇଥାଏ । ଏହାଦ୍ୱାରା ଘରକୁ କମ୍ ଅତିଥି ଆସିଥାନ୍ତି ଏବଂ କନ୍ୟା ବାପାଙ୍କ କମ୍ ଖର୍ଚ୍ଚ ହୋଇଥାଏ । ଏହି ପରମ୍ପରାରେ ରାଜ୍ୟ ସରକାର ବି ଯୋଗଦାନ ଦେବା ସହ କିଛି ଅନୁଦାନ ମଧ୍ୟ ଦେଇଥାନ୍ତି । ଏଠାରେ ବିବାହ ପାଇଁ ଏକ ପ୍ରକାର ପ୍ରତିଯୋଗୀତା ହୋଇଥାଏ । ଯେଉଁ ବର ପ୍ରଥମେ ବିବାହ ମଣ୍ଡପରେ ପହଞ୍ଚିଥାନ୍ତି ତାଙ୍କୁ ପୁରସ୍କୃତ କରାଯାଏ ।
ସବୁଠୁ ବଡକଥା ହେଉଛି ବାହାଘରରେ କୌଣସି ପ୍ରକାର ନେଣ ଦେଣ ହୋଇନଥାଏ । ଅର୍ଥା ଏଠାରେ ଯୌତୁକ ପ୍ରଥା ଚଳେନାହିଁ । ଅନ୍ୟ ପକ୍ଷରେ ଏହି ବାହାଘରରେ ଗରିବ ପରିବାରକୁ ଯେଉଁମାନେ ସହାୟତା ପ୍ରଦାନ କରନ୍ତି ସେମାନଙ୍କ ନାଁକୁ ସାର୍ବଜନିନ କରାଯାଏ ନାହିଁ । ପ୍ରାୟ ୩ଶହ ବର୍ଷ ପୂର୍ବରୁ ଏହି ପ୍ରଥା ଏଠାରେ ପ୍ରଚଳିତ ହୋଇଆସୁଛି ।