ତାଲା ବନ୍ଦ ବେଳେ କେମିତି ଚାଲିଛି ପାଠପଢା ? ସ୍କୁଲ ଯାଉନାହାନ୍ତି ଛାତ୍ରଛାତ୍ରୀ, ହେଲେ ପିଲାଙ୍କ ପାଖରେ ପହଞ୍ଚିଛି ସ୍କୁଲ । ଗାଁ ଗାଁ ବୁଲି ପାଠ ପଢାଉଛନ୍ତି ଶିକ୍ଷକ ଶିକ୍ଷୟିତ୍ରୀ ।

692

କନକ ବ୍ୟୁରୋ : ପିଲାଏ ସ୍କୁଲ ଯାଉନାହାନ୍ତି ହେଲେ ସେମାନଙ୍କ ପାଖରେ ସ୍କୁଲ ପହଂଚିଛି । ଲକଡାଉନରେ ପାଠପଢା ସଂପୂର୍ଣ୍ଣ ଠପ୍ ହୋଇଯାଇଥିବା ବେଳେ ଏପରି ଏକ ଅଭିନବ ଉପାୟ ଆପଣାଇଛି ସୁନ୍ଦରଗଡ ମଙ୍ଗଳ ବିଭାଗ । ଅନେକ ଶିକ୍ଷାନୁଷ୍ଠାନ ଫେସବୁକ, ହ୍ୱାଟ୍ସଆପ୍, ଏବଂ ଅନ୍ୟ ଡିଜିଟାଲ ପ୍ଲାଟଫର୍ମ ଦ୍ୱାରା ଶିକ୍ଷାଦାନ କରୁଥିବା ବେଳେ ସୁନ୍ଦରଗଡ ଭଳି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାର ଉପାନ୍ତ ଅଚଂଳର ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଖରେ ଆଣ୍ଡ୍ରଏଡ୍ ଫୋନ୍ ନାହିଁ ଏବଂ ଯଦି ବା କାହା ପାଖରେ ଫୋନ୍ ରହିଛି ତାହା ହେଲେ ନେଟୱାର୍କ ଆସୁନାହିଁ । ଏପରି କ୍ଷେତ୍ରରେ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଗାଁକୁ ଗାଁ ଯାଇ ଲ୍ୟାପଟପ୍ ଏବଂ ମୋବାଇଲ୍ ମାଧ୍ୟମରେ ପାଠ ପଢାଉଛନ୍ତି ।

ଲକଡାଉନରେ ପାଠପଢ଼ା ଚିନ୍ତା ! ଅଭିନବ ଉପାୟ ଆପଣାଇଲା ମଙ୍ଗଳ ବିଭାଗ । ଗାଁର ମିଶନଶକ୍ତି ଗୃହରେ ଚାଲିଛି ପାଠପଢା । ସୋସିଆଲ୍ ଡିଷ୍ଟାନ୍ସକୁ ପାଳନ କରି ମୁହଁରେ ମାକ୍ସ ଲଗାଇ ଛାତ୍ରଛାତ୍ରୀ ଲ୍ୟାପଟପରେ ପାଠ ପଢୁଛନ୍ତି । ସୁନ୍ଦରଗଡ ଜିଲ୍ଲାରେ ଅନୁସୂଚିତ ଜାତି ଓ ଜନଜାତି ମଙ୍ଗଳ ବିଭାଗ ପକ୍ଷରୁ ଆଶ୍ରମ ସ୍କୁଲର ଛାତ୍ରଛାତ୍ରୀ ପାଠପଢା ପାଇଁ ଏଭଳି ଅଭିନବ ଉପାୟ ଅବଲମ୍ବନ କରାଯାଇଛି । ଲକଡାଉନ୍ ଯୋଗୁଁ ସ୍କୁଲ ବନ୍ଦ ଥିବା ବେଳେ ଛାତ୍ରଛାତ୍ରୀଙ୍କ ପାଠପଢା ଏକ ପ୍ରକାର ଠପ୍ ହୋଇଯାଇଥିଲା । ବିଶେଷ କରି ଦଶମ ଶ୍ରେଣୀ ଛାତ୍ରଛାତ୍ରୀ କିପରି ପାଠ ପଢିବେ ଏବଂ ପରୀକ୍ଷା ଦେବେ ସେନେଇ ଚିନ୍ତାରେ ରହିଥିବା ବେଳେ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଗାଁକୁ ଯାଇ ପାଠ ପଢାଉଛନ୍ତି ।

ତାଲାବନ୍ଦ ଯୋଗୁଁ ସବୁ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ନିଜ ଛାତ୍ରଛାତ୍ରୀଙ୍କୁ ଅନଲାଇନରେ ପାଠପଢା ଯାଉଛି । ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଛାତ୍ରଛାତ୍ରୀଙ୍କ ପାଇଁ ସମାନ୍ ବ୍ୟବସ୍ଥା କରିଛନ୍ତି ସରକାର । ତେବେ ସୁନ୍ଦରଗଡ ଭଳି ଜିଲ୍ଲାର ଉପାନ୍ତ ଅଞ୍ଚଳ ଗୁଡିକରେ ରହୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏହି ବିକଳ୍ପ ଶିକ୍ଷା ବ୍ୟବସ୍ଥା ଏତେଟା ସଫଳ ହୋଇନାହିଁ । ଯାହାକୁ ନଜରରେ ରଖି ବିଭାଗ ଏକ ଅଭିନବ ଉପାୟ ଅବଲମ୍ବନ କରିଛି । ତିନୋଟି ଶ୍ରେଣୀରେ ଶିକ୍ଷକମାନଙ୍କୁ ବିଭକ୍ତ କରି ଛାତ୍ରଛାତ୍ରୀଙ୍କୁ ପାଠ ପଢାଯାଉଛି । ରାଜ୍ୟରୁ ଆସୁଥିବା ଭିଡିଓ ପାଠ୍ୟକ୍ରମକୁ କିପରି ସୂଚାରୁ ରୂପରେ ଶିକ୍ଷକମାନଙ୍କ ନିକଟରେ ପହଞ୍ଚାଯିବ ସେଥିପାଇଁ ମଧ୍ୟ ଏକ ଜିଲ୍ଲା ସ୍ତରୀୟ ସଂଶୋଧନ ସମିତି ଗଠନ କରାଯାଇଛି ।