କନକ ବ୍ୟୁରୋ: ଗହ୍ମା ପୂର୍ଣ୍ଣିମା ପାଇଁ ଗାଁଠୁ ସହର ସବୁଠି ଚଳଚଞ୍ଚଳ। ଖାସ୍ କରି ଗ୍ରାମାଞ୍ଚଳରେ ଏହି ପୂର୍ଣ୍ଣିମାର ବିଶେଷ ସ୍ୱତନ୍ତ୍ରତା ରହିଛି । ବଳଭଦ୍ରଙ୍କ ଜନ୍ମ ତିଥିକୁ କୃଷକମାନେ ବହୁ ଆଡମ୍ବରରେ ପାଳନ କରିଥାନ୍ତି। କୃଷି କାର୍ଯ୍ୟରେ ବ୍ୟବହୃତ ହେଉଥିବା ହଳ, ଲଙ୍ଗଳ, ଜୁଆଳି,କୋଡି,କୋଦାଳ ଆଦିକୁ ଧୋଇ ପୂଜା କରିଥାଆନ୍ତି। ସକାଳୁ ସକାଳୁ ଗାଈ ବଳଦକୁ ଧୋଇଥାନ୍ତି। ଫୁଲ, ଚନ୍ଦନ ଓ ନୂଆ ବସ୍ତ୍ର ଦେଇ ଗାଈ ବଳଦକୁ ପୂଜା କରାଯାଇଛି। ଗଞ୍ଜାମ ଓ ପୁରୀ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଆଜି ଏହି ପୂଜାର୍ଚ୍ଚନା ଦେଖିବାକୁ ମିଳିଛି।

Advertisment

ଏହି ଦିନରେ ବଳଦଙ୍କୁ କୌଣସି କାର୍ଯ୍ୟରେ ଲଗାଯାଏ ନାହିଁ। ସ୍ୱତନ୍ତ୍ର ବିଧିବିଧାନରେ ପୂଜାର୍ଚ୍ଚନା କରିଥାନ୍ତି ଚାଷୀ । ପ୍ରଥମେ ପଇଡ ପାଣିରେ ବଳଦଙ୍କ ଗୋଡ଼ ଧୋଇ ଦେଇଥାନ୍ତି ଚାଷୀ । ପୂଜାର୍ଚ୍ଚନା କରିବା ପରେ ଫୁଲମାଳ ଓ ରାକ୍ଷୀ ପିନ୍ଧାଇବାର ବିଧି ରହିଛି। ଘରେ ବିଭିନ୍ନ ପ୍ରକାରର ପିଠାପଣା ପ୍ରସ୍ତୁତ କରି ଗାଈଗୋରୁଙ୍କୁ ଖାଇବାକୁ ଦିଆଯାଏ। ଅନ୍ୟପଟେ ଏହାକୁ ଗହ୍ମା ଡିଆଁ ପର୍ବ ଭାବେ ମଧ୍ୟ ପାଳନ କରାଯାଏ । ଗହ୍ମା ଡିଆଁ ପ୍ରତିଯୋଗିତାରେ ବୀରତ୍ୱ ପ୍ରଦର୍ଶନ କରାଯାଇଥାଏ।