କନକ ବ୍ୟୁରୋ : ଜଣେ ଶିକ୍ଷକ ଭାବେ ନିଜର ଦାୟିତ୍ୱ ବୁଝିପାରି ସେ କରିଛନ୍ତି ଅଭିନବ ପ୍ରୟାସ୍ । କରୋନା ମହାମାରୀ ସମୟରେ ଏବଂ ବିଦ୍ୟାଳୟ ବନ୍ଦ ଥିବା ସମୟରେ ଜଣେ ଶିକ୍ଷକ ତିଆରି କରିଛନ୍ତି ଭ୍ରାମ୍ୟମାଣ ଗାଡି । ଯାହାକି ଗାଁ ଗହଳିରେ ଛାତ୍ରଛାତ୍ରୀମାନଙ୍କୁ ପଢାଇବାକୁ କରିଛନ୍ତି ଅଭିନବ ପ୍ରୟାସ୍ । ଆସନ୍ତୁ ଜାଣିବା ସେଭଳି ଜଣେ ଶିକ୍ଷକଙ୍କ କାହାଣୀ ।
ମତଦାନର ଭିଡ ଭିତରେ ଶିକ୍ଷାଦାନକୁ ନେଇ ଆସିଛି ନିଆରା ଚିତ୍ର । ବାଇକ ପଛରେ ବନ୍ଧା ହୋଇଛି ଛତା ସାଙ୍ଗକୁ ମାଇକ୍ । ଛାତ୍ରଛାତ୍ରୀଙ୍କୁ ଏକାଠି କରି ପାଠ ପଢିବା ନିମନ୍ତେ ମାଇକରେ ବାଜୁଛି ଗୀତ । ଏଭଳି ପ୍ରୟାସ କରିଛନ୍ତି ଶିକ୍ଷାଦାନକୁ ଜୀବନର ବ୍ରତ କରିଥିବା ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ବଡଝାଡ ୟୁଜି ବିଦ୍ୟାଳୟର ଶିକ୍ଷକ ସନ୍ତୋଷ କୁମାର ସାହୁ ।
ସକାଳୁ ସକାଳୁ ନିଜ ନିତ୍ୟକ୍ରମ ସାରି ଗାଡିରେ ମାଇକ୍ ବଜାଇ ଗାଁରେ ପହଞ୍ଚି ଯାଆନ୍ତି ସନ୍ତୋଷ ସାର । ସାର ଗାଁରେ ପହଞ୍ଚି ହର୍ଣ୍ଣ ମାରିଲେ ପିଲାମାନେ ବାହାରି ପଡନ୍ତି ପାଠ ପଢିବା ପାଇଁ । ତା’ପରେ ଗାଁ ମୁଣ୍ଡ ଗଛମୂଳରେ ଆରମ୍ଭ ହୁଏ ପାଠପଢା । ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀ ଗୋଟିଏ ସ୍ଥାନରେ ବସି ପଢନ୍ତି ପାଠ । ଏହାସହ ଅଭିଭାବକଙ୍କୁ ସଚେତନ କରିବା ପାଇଁ ପ୍ରତି ଘରେ କାନ୍ଥରେ ଗୋଟିଏ ଲେଖାଏ କଳାପଟା କରିଛନ୍ତି ସନ୍ତୋଷ ସାର । ସେହି କଳାପଟାରେ ସବୁ ଦିନ ପିଲାଙ୍କ ନିମନ୍ତେ ପାଠ ଲେଖିବା ସହିତ କଣ କଣ ପାଠ ପଢାଯାଉଛି ଏବଂ କଣ ପାଠ କରି ଆଣିବାକୁ ଦିଆଯାଉଛି ତାହା ଲେଖନ୍ତି ।
ଶିକ୍ଷକ ସନ୍ତୋଷ ସାହୁଙ୍କ ଏଭଳି ପ୍ରୟାସରେ ସହଯୋଗ କରନ୍ତି ବିଦ୍ୟାଳୟର ଅନ୍ୟ ଶିକ୍ଷକ ଏବଂ ଶିକ୍ଷୟିତ୍ରୀ । ପ୍ରତ୍ୟେକ ଦିନ ଭିନ୍ନ ଭିନ୍ନ ଗାଁକୁ ଯାଇ ଛାତ୍ରଛାତ୍ରୀଙ୍କୁ ପାଠ ପଢାଇଥାନ୍ତି । ବିଦ୍ୟାଳୟ ବନ୍ଦ ବେଳେ ସନ୍ତୋଷ ସାରଙ୍କ ଏଭଳି ପ୍ରୟାସ୍ ନିଶ୍ଚିତ ଭାବେ ପ୍ରଶଂସନୀୟ ।