ଭଦ୍ରକ ସନ୍ଥିଆ ଗାଁର ନିଆରା ଶିକ୍ଷକ । ନାଚ ଓ ଗୀତ ମାଧ୍ୟମରେ ପିଲାଙ୍କୁ ପଢ଼ାଉଛନ୍ତି ପାଠ

94

କନକ ବ୍ୟୁରୋ: ଭଦ୍ରକ ସହର ନିକଟ ସନ୍ଥିଆ ଗାଁର ନିଆରା ଶିକ୍ଷକ ଦୀପକ କୁମାର ଦାସ । ପିଲାମାନଙ୍କୁ ନାଚ ଓ ଗୀତ ମଧ୍ୟମରେ ପାଠ ପଢ଼ାଇ ସେ ଚର୍ଚ୍ଚାକୁ ଆସିଛନ୍ତି । ନିଜେ ଚାକିରି ପାଇଁ ପ୍ରସ୍ତୁତି କରୁଥିବା ବେଳେ ପିଲାମାନଙ୍କୁ ୧୦ ବର୍ଷ ହେଲା ଶିକ୍ଷାଦାନ କରୁଛନ୍ତି । ତାଙ୍କ ଶିକ୍ଷାଦାନ ପଦ୍ଧତି ଅନ୍ୟ ଶିକ୍ଷକଙ୍କ ଠାରୁ ସମ୍ପୂଣ୍ଣ ଭିନ୍ନ । ବ୍ୟଙ୍ଗ କଥା, ଚିତ୍ର, ଖେଳ, ମନୋରଞ୍ଜନ ଓ ଗୋଷ୍ଠୀ ପରୀକ୍ଷା ମାଧ୍ୟମରେ ପାଠ ପିଲାଙ୍କୁ ପଢ଼ାଉଛନ୍ତି ଏହି ଶିକ୍ଷକ ଜଣଙ୍କ । ବିଜ୍ଞାନ, ଗଣିତ, ଇଂରାଜି ଓ ସାଧାରଣ ଜ୍ଞାନ କିଭଳି ପିଲାମାନେ ସହଜରେ ମନେ ରଖିପାରିବେ ସେନେଇ ସେ ଏଭଳି କୌଶଳ ଆପଣାଇଛନ୍ତି ।

ଅର୍ଥ ଅଭାବରୁ ଯେମିତି କୌଣସି ପିଲା ପାଠ ପଢ଼ାରୁ ବଞ୍ଚିତ ନହେବେ ସେହି ଲକ୍ଷ୍ୟରେ ଶିକ୍ଷାଦାନ କରିଚାଲିଛନ୍ତି । ଦୀପକ ତାଙ୍କ ଜୀବନରେ ପାଠ ପଢ଼ିବା ପାଇଁ ଅନେକ ସଂଘର୍ଷ କରିଛନ୍ତି । ତେଣୁ ପିଲାମାନେ ସେଭଳି ସମସ୍ୟାର ସମ୍ମୁଖୀନ ନହେବା ପାଇଁ ସେ ପ୍ରୟାସ ଜାରି ରଖିଛନ୍ତି । ପିଲାମାନଙ୍କୁ ନୂଆ ଉପାୟରେ ପାଠ ପଢ଼ାଇ ସେ ଚର୍ଚ୍ଚାକୁ ଆସିଛନ୍ତି । ଏଥିପାଇଁ ସ୍ଥାନୀୟ ଅଞ୍ଚଳରେ ତାଙ୍କୁ ଢ଼େରସାରା ପ୍ରଶଂସା ମିଳୁଛି ।

ଛାତ୍ରଛାତ୍ରୀ ମାନେ ଦୀପକ ସାରଙ୍କ ପାଠ ପଢ଼ାକୁ ପସନ୍ଦ କରୁଛନ୍ତି । ସେମାନଙ୍କ ଶିକ୍ଷା କ୍ଷେତ୍ରରେ ଏଭଳି ପାଠପଢ଼ା ବେଶ ସହାୟକ ହେଉଥିବା କହିଛନ୍ତି ଛାତ୍ରଛାତ୍ରୀ । ପ୍ରତିଦିନ ସେ ୧୦୦ ରୁ ଅଧିକ ପିଲାମାନଙ୍କୁ ପାଠପଢ଼ାଉଛନ୍ତି । ସ୍ଥାନୀୟ ଅଞ୍ଚଳର ଅନେକ ପିଲା ତାଙ୍କ ପାଖରେ ପାଠପଢ଼ି କୃତିତ୍ୱ ଅର୍ଜନ କରିଛନ୍ତି ।