ଓଡିଆ ଶିଳ୍ପୀଙ୍କ ସୁକ୍ଷ୍ମ କାରିଗରୀ : ୩୦୭ଖଣ୍ଡ ଦିଆସିଲି କାଠିରେ ଏଲ.ଈଶ୍ୱର ରାଓ ତିଆରି କଲେ ବଡଠାକୁରଙ୍କ କୁନି ରଥ । ରଥରେ ବିଜେ କରିଛନ୍ତି ତିନି ଠାକୁର ।

2,040

କନକ ବ୍ୟୁରୋ : ଓଡ଼ିଆ କଳାକାରଙ୍କ ହାତର ଯାଦୁ ନିଆରା । କାଠ ପଥରକୁ ଛୁଇଁଲେ ସେଥିରୁ ଝଲସି ଉଠୁଛି ସୁନ୍ଦର ସୁନ୍ଦର ମୂର୍ତ୍ତି । ଜଗନ୍ନାଥ ମନ୍ଦିରରୁ ଆରମ୍ଭ କରି କୋଣାର୍କ ମନ୍ଦିର ସବୁଠି ଭରି ରହିଛି ଓଡ଼ିଆ କଳାକାରଙ୍କ ହସ୍ତକଳା । ସେ କାଚ ହେଉ ଅବା ପଥର,ସାବୁନ୍ ହେଉ କି ପେନସିଲ୍ ମୁନ ସବୁଠି ସୃଜନର ପରାକାଷ୍ଠାକୁ ଜୀବିତ ରଖେ କଳାକାର । ଏହିଭଳି ଜଣେ ନିଆରା କଳାକାର ହେଉଛନ୍ତି ଏଲ.ଇଶ୍ୱର ରାଓ ।

ଘୋଷଯାତ୍ରା ଉପଲ୍ଲକ୍ଷେ ଶିଳ୍ପୀ ଏଲ. ଈଶ୍ୱର ରାଓ ନିଜର କଳାକୁ ନୂଆ ରୂପ ଦେଇଛନ୍ତି । କୁନି ରଥ ଓ କୁନି ଠାକୁର ପ୍ରସ୍ତୁତି କରିଛନ୍ତି ।୩୦୭ ଖଣ୍ଡ ଦିଆସିଲି କାଠି ବ୍ୟବହାର କରି ମାତ୍ର ୭ଦିନରେ ୨.୫ ଇଞ୍ଚିର ୩ଟି ରଥ ପ୍ରସ୍ତୁତ କରିଛନ୍ତି ଈଶ୍ୱର । କୁନି କୁନି ଦିଅଁମାନଙ୍କୁ ନେଇ ପ୍ରସ୍ତୁତ ଏହି ରଥରେ ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରା ବିରାଜମାନ କରିଛନ୍ତି । ଏହି ରଥଗୁଡ଼ିକୁ ଚଳାଇ ମଧ୍ୟ ହେବ। ଏଥିପାଇଁ ଈଶ୍ୱର ଛୋଟ କାଠର ଚକ ନିର୍ମାଣ କରିଛନ୍ତି । ଛୋଟ ପତାକା ମଧ୍ୟ ଲଗାଯାଇଛି । ଏହି କୁନି ରଥକୁ ଦେଖିବା ପାଇଁ ସ୍ଥାନୀୟ ଲୋକଙ୍କ ଭିଡ ଜମିବାରେ ଲାଗିଛି ।

ବର୍ତ୍ତମାନ ସୁଦ୍ଧା ସେ ୱାଲର୍ଡ଼ ରେକର୍ଡ଼, ଇଣ୍ଡିଆ ବୁକଅଫ ରେକର୍ଡ଼, ଇଣ୍ଡିଆ ୟଙ୍ଗ ଆଚିଭର ରେକର୍ଡ଼, ୱ୍ୱାଣ୍ଡର ବୁକ ଅଫ ରେକର୍ଡ଼, ମିରାକିଲ ୱାର୍ଲଡ଼ ଅଫ ରେକର୍ଡ଼ ଓ ଏସିସିଟି ୱାର୍ଲଡ଼ ଅଫ ରେକର୍ଡ଼ ପ୍ରଭୁତି ପାଇ ସାରିଥିଲେ ସୁଦ୍ଧା ସରକାରୀ ସହାୟତା ପହଞ୍ଚି ପାରିନି ତାଙ୍କ ପାଖରେ । ଯଦି ତାଙ୍କୁ ସରକାରୀ ସହାୟତା ମିଳିପାରନ୍ତା ତେବେ ସେ ଏହି କଳାକୁ ବହୁ ଆଗକୁ ନେଇ ପାରନ୍ତେ ବୋଲି କୁହନ୍ତି । ବୋତଲ ଭିତରେ କାଠପଥର ମଞ୍ଜି, ପେନସିଲ, ଗୁଆ ଆଦିରେ ବିଭିନ୍ନ କଳାକୃତି କରନ୍ତି ଏଲ.ଈଶ୍ୱର। ଏହି କାମ ତାଙ୍କ ପାଇଁ ଗୋଟିଏ ନିଶା ପାଲଟି ଯାଇଛି । କାଚ ବୋତଲ ଭିତରେ କାଠ, ପଥର, ହଳଦୀ, କୋଚିଲା, ଗଳିଗୁଆ, ସାବୁନ, ଖଡ଼ି ଓ ମାଟି ପ୍ରଭୃତିରେ ତିଆରି କରିଛନ୍ତି ବିଭିନ୍ନ ଆକୃତିର ଗଣେଷ, ତ୍ରିରଙ୍ଗା ପତାକା, ଇଣ୍ଡିଆ ଗେଟ, ନବକଳେବର ଛବି, ପ୍ରଭୃତି ।