ବାଉଁଶରେ ତିଆରି ହେଉଛି ରାକ୍ଷୀ । ପାଠ ପଢୁଆ ଆଦିବାସୀ ଝିଅଙ୍କ ରୋଜଗାରର ମାଧ୍ୟମ ପାଲଟିଛି ବାଉଁଶ ରାକ୍ଷୀ ।

172

କନକ ବ୍ୟୁରୋ : ବାଉଁଶରେ ତିଆରି ହେଉଛି ରାକ୍ଷୀ । ଆଦିବାସୀ ଜନଜାତିର ଯୁବତୀମାନେ ବାଉଁଶରେ ଭଳିକି ଭଳି ରାକ୍ଷୀ ତିଆରି କରି ସ୍ୱାବଲମ୍ବୀ ହୋଇପାରିଛନ୍ତି । ରାୟଗଡା ଜିଲ୍ଲା ବଡ ଚାନ୍ଦିଲି ଗାଁର କଲେଜ ପଢୁଆ ଆଦିବାସୀ ଯୁବତୀ ମାନେ ବାଉଁଶରୁ ରାକ୍ଷୀ ପ୍ରସ୍ତୁତି କରି ନିଜକୁ ରୋଜଗାରକ୍ଷମ କରିପାରିଛନ୍ତି । ଏମାନେ ପ୍ରତି ମାସ ୭ ରୁ ୧୦ ହଜାର ଟଙ୍କା ରୋଜଗାର କରୁଛନ୍ତି । ବାଉଁଶ ରାକ୍ଷୀର ଚାହିଦା ରାୟଗଡା ଜିଲ୍ଲା ସମେତ ରାଜ୍ୟ ଓ ରାଜ୍ୟ ବାହାରେ ମଧ୍ୟ ରହିଛି ।

ଖଣ୍ଡ ଖଣ୍ଡ କରି କଟା ହେଉଛି ବାଉଁଶ । ଏହି ବାଉଁଶରେ ତିଆରି ହେଉଛି ରାକ୍ଷୀ ଓ ବିଭିନ୍ନ ଡିଜାଇନର ହାତ ବ୍ୟାଣ୍ଡ । ବାଉଁଶ ଖଣ୍ଡରେ ଚିତ୍ର ଆଙ୍କି ଭଳି କି ଭଳି ରଙ୍ଗ ଦେଇ ରାକ୍ଷୀ ତିଆରି କରିଛନ୍ତି ରାୟଗଡା ଜିଲ୍ଲା ବଡ ଚାନ୍ଦିଲି ଗାଁର କଲେଜ ପଢୁଆ ଆଦିବାସୀ ଯୁବତୀ । ଚାଉଳ, ଗହମ, ତୁଳଶି କାଠ, ବେଲ କାଠ ମିଶାଇ ବିଭିନ୍ନ ପ୍ରକାର ରାକ୍ଷୀ ତିଆରି କରି ସ୍ୱାବଲମ୍ବୀ ହୋଇପାରିଛନ୍ତି ଏମାନେ ।

ବାଉଁଶ ରାକ୍ଷୀର ଚାହିଦା ରାୟଗଡା ଜିଲ୍ଲା ସମେତ ରାଜ୍ୟ ଓ ରାଜ୍ୟ ବାହାରେ ମଧ୍ୟ ରହିଛି । ୩ଟି ଷ୍ଟଲରେ ରାକ୍ଷୀ ବିକ୍ରି ହେଉିଥିବା ବେଳେ ଯୁବତୀମାନେ ମାସିକ ୭ ରୁ ୧୦ ହଜାର ଟଙ୍କା ରୋଜଗାର କରୁଛନ୍ତି । ନିଜେ ସ୍ୱାବଲମ୍ବୀ ହେବା ସହ ପରିବାର ପୋଷଣ କ୍ଷେତ୍ରରେ ସହାୟକ ହୋଇପାରିଛନ୍ତି । ପାଠପଢା ପରେ ସ୍ୱାବଲମ୍ବୀ ହେବାକୁ ଯୋଜନା କରି ୨୫ ଜଣ ପାଠ ପଢୁଆ ଯୁବତୀ ମାଆ ସନ୍ତୋଷୀ ପ୍ରଡ୍ୟୁସର ଗ୍ରୁପ ଗଠନ କରିଛନ୍ତି । ଲୋକେ ବାଇଁଶ କରିଡିକୁ ଖାଦ୍ୟ ରୁପେ ବ୍ୟବହାର କରିବା ସହ କୁଲା, ଢାଲା ଭଳି ବିଭିନ୍ନ ପ୍ରକାର ଘରକରଣା ସାମଗ୍ରୀ ତିଆରି କରୁଥିଲେ । କିନ୍ତୁ ଟିକେ ନିଆରା କରିବାକୁ ଚେଷ୍ଟା କରି ଚର୍ଚ୍ଚାକୁ ଆସିଛନ୍ତି ରାୟଗଡାର ଆଦିବାସୀ ପାଠୁଆ ଯୁବତୀ ।

ଯୁବତୀମାନେ ଦିନରେ ପାଠ ପଢିବା ପରେ ସଂଧ୍ୟା ୬ରୁ ରାତି ୮ ଯାଏଁ ବାଉଁଶରେ ରାକ୍ଷୀ ଓ ହ୍ୟାଣ୍ଡ ବ୍ୟାଣ୍ଡ ତିଆରି କରନ୍ତି । ଆଗକୁ ସରକାରୀସ୍ତରରେ ଅଧିକରୁ ଅଧିକ ସହାୟତା ମିଳିଲେ ମାଆ ସନ୍ତୋଷୀ ପ୍ରଡ୍ୟୁସର ଗ୍ରୁପ ଆଗକୁ ଅନେକ କିଛି ଉତ୍ପାଦନ କରି ପାରନ୍ତେ ।