କନକ ବ୍ୟୁରୋ : ପଞ୍ଜାବ ସରକାର ଟ୍ରାଫିକ ନିୟମ ଉଲଙ୍ଘନକାରୀଙ୍କ ପାଇଁ ନୂଆ ଦିଶା ନିର୍ଦ୍ଦେଶ ଜାରି କରିଛନ୍ତି । ଏଥିରେ କୁହାଯାଇଛି କି, କେହି ଯଦି ପ୍ରଥମଥର ପାଇଁ ଟ୍ରାଫିକ ନିୟମ ଉଲଙ୍ଘନ କରୁଛନ୍ତି ତେବେ ତାଙ୍କୁ କେବଳ ଜରିମାନା ଦେବାକୁ ପଡିବ । ହେଲେ ଦ୍ୱିତୀୟ ଥର ପାଇଁ ନିୟମ ଉଲଙ୍ଘନ କଲେ ଜରିମାନା ରାଶି ଦ୍ୱିଗୁଣିତ କରାଯିବ । ହେଲେ ଯଦି ମଦ୍ୟପାନ କରି ଗାଡି ଚଳାଉଥିବା ବେଳେ ଧରାପଡିବ ତେବେ କଥା ସରିଲା । ଏହି ମାମଲାରେ ପ୍ରଥମେ ଗାଡି ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ କରାଯିବ । ଏହାସହ ନିକଟରେ ଥିବା ମେଡିକାଲକୁ ନିଆଯାଇ ସଂପୃକ୍ତ ଚାଳକଙ୍କ ଠାରୁ ଗୋଟିଏ ୟୁନିଟ ରକ୍ତ ସଂଗ୍ରହ କରାଯିବ ।

Advertisment

କହିରଖୁ କି, ପଞ୍ଜାବ ସରକାରଙ୍କ ଏଭଳି ଟ୍ରାଫିକ ନିୟମ ଆସିବା ପରେ ଏହାକୁ ନେଇ ସାରା ଦେଶରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଟ୍ରାଫିକ ଅଧିକାରୀଙ୍କ ଦ୍ୱାରା ଜାରି କରାଯାଇଥିବା ଅଧିସୂଚନାରେ କୁହାଯାଇଛି କି, ଯଦି କେହି ଟ୍ରାଫିକ ନିୟମ ଉଲଙ୍ଘନ କରୁଛନ୍ତି ତେବେ ତାଙ୍କୁ ରିଫ୍ରେସର କୋର୍ସ ଦେଇ ଗତି କରିବାକୁ ହେବ । ଏହାପରେ ସଂପୃକ୍ତ ଚାଳକ ଜଣଙ୍କ ପରିବହନ ପ୍ରାଧିକରଣଙ୍କ ଠାରୁ ସାର୍ଟିଫିକେଟ ହାସଲ କରିବାକୁ ପଡିବ । କେବଳ ସେତିକି ନୁହେଁ ଅତି କମରେ ୨୦ ଜଣ ସ୍କୁଲ ଛାତ୍ରଙ୍କୁ କିଛି ଘଣ୍ଟା ଧରି ଯାତାୟତ ନିୟମ ବାବଦରେ ବୁଝାଇବାକୁ ପଡିବ ।