ମନ ଜିଣିଲା ମାଣିକର ବାହାଘର: ଥାନାରୁ ଗଲା ମାମୁଘର ଭାର, ଆଶ୍ରମ ସାଜିଲା ଅନାଥ ଝିଅର ପରିବାର । ବାହାଘର ଦେଖି ବାଃ ବାଃ କହିଲେ ଲୋକେ…

1,310

କନକ ବ୍ୟୁରୋ: ଘର ଆଗରେ ବେଦୀ, ବେଦୀ ଉପରେ ବରକନ୍ୟା । ହୋମନିଆଁକୁ ସାକ୍ଷୀ ରଖି ସାତ ଜନମର ସାଥୀ ସାଜିଛନ୍ତି ମାଣିକ ଆଉ ଶ୍ରୀନିବାସ । ଏ ବାହାଘର ଏମିତି ସେମିତି ବାହାଘର ନୁହେଁ । ଜଣେ ଅନାଥ ଝିଅକୁ ନୂଆ ଜୀବନ ଦେବାର, ବଧୂ ସଜାଇ ହାତକୁ ଦିହାତ କରିବାର… ଯାହାର ସୂତ୍ରଧର ସାଜିଛି ଜିଲ୍ଲା ପ୍ରଶାସନ ଆଉ ମାମୁଘର ସାଜିଛି ପୋଲିସ ଥାନା । କୋରାପୁଟ ଦଶମନ୍ତପୁରର ଏ ନିଆରା ବାହାଘରକୁ ନେଇ ଏବେ ସବୁଠି ଚର୍ଚ୍ଚା ।

ମାଣିକ ୱେଡ୍ସ ଶ୍ରୀନିବାସ । ସାଧାରଣ ବାହାଘରର ଅସାଧାରଣ ଉଦାହରଣ । ଯାହାକୁ ମନେ ରଖିବ ଓଡିଶା । ଦଶମନ୍ତପୁର ଆଶ୍ରମ ଆଗରେ ବରଯାତ୍ରୀ ପହଞ୍ଚିବା ପରେ ବାଜାବାଣରେ କମ୍ପିଥିଲା ପରିବେଶ । ପାରମ୍ପରିକ ନୃତ୍ୟୁଗୀତରେ ଝୁମିଥିଲେ ସମସ୍ତେ । ଆଉ ମାଣିକର ବରକୁ ଟେକିଟେକି ବେଦୀ ଉପରକୁ ପାଛୋଟି ନେଇଥିଲେ ।

ସବୁଠାରୁ ବଡ କଥା ହେଉଛି ଏ ବାହାଘରର ବଡ ଦାୟିତ୍ୱ ନେଇଥିଲା ପୋଲିସ ପ୍ରଶାସନ । ପୋଲିସକୁ ମାମୁ କହି ଯେଉଁ ବ୍ୟଙ୍ଗ କରାଯାଏ ତାହାଠୁ ଉର୍ଦ୍ଧକୁ ଯାଇ ଅନାଥ ମାଣିକ ମୁଦୁଲିର ମାମୁ ସାଜିଛି ପୋଲିସ । ଆଉ ତା ପାଖକୁ ପଠାଇଛି ମାମୁଘର ଭାର ।

ତେବେ ବାପାମାଆ ଛେଉଣ୍ଡ ମାଣିକ ପିଲାବେଳେ ଇଟା ଭାଟିରେ କାମ କରି ୩ ଭାଇ ଭଉଣୀଙ୍କୁ ପୋଷୁଥିଲା । ହେଲେ ସମସ୍ତଙ୍କୁ ଟିବି ହେବା ପରେ ପ୍ରଶାସନ ସେମାନଙ୍କୁ ଏଇ ଆଶ୍ରମରେ ୪ ବର୍ଷ ତଳେ ରଖିଥିଲେ । ଆଉ ଆଜି ବଡ ହେବା ପରେ ଆଶ୍ରମର କର୍ମକର୍ତ୍ତା ମାଣିକର ବାପାମାଆ ସାଜି ତାକୁ ବାହା କରିଛନ୍ତି । ସେପଟେ ମାଣିକ ମଥାରେ ସିନ୍ଦୂର ଦେଇ ଅନାଥର କଳଙ୍କ ପୋଛିଥିବା ଶ୍ରୀନିବାସ ମାଣିକୁ ଭଲରେ ରଖିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।