ହସ୍ପିଟାଲରେ ଶୁଭ ବିବାହ । ପ୍ରେମିକା ମଥାରେ ସିନ୍ଦୂର ଦେଲା ପ୍ରେମିକ । ଦୁର୍ଘଟଣା ପରେ ହେଲେ  ଜୀବନସାଥୀ

608

କନକ ବ୍ୟୁରୋ: ଡାକ୍ତରଖାନାରେ ବାହାଘର, ପ୍ରେମିକା ମଥାରେ ସିନ୍ଦୂର ଦେଲା ପ୍ରେମିକ । ନା ବାଜା ଥିଲା, ନା ଡିଜେ ବାଜୁଥିଲା । ନା ବ୍ରାହ୍ମଣ ଥିଲେ, ନା ପୂଜାରୀ ଥିଲେ । ବାସ୍…ହସ୍ପିଟାଲର ଡାକ୍ତର ଆଉ ନର୍ସଙ୍କ ଆଗରେ ସାତ ଜନମର ସାଥୀ ହୋଇଥିଲେ ଏହି ଦୁଇ ପ୍ରେମ ପକ୍ଷୀ । ବିହାର ଅରବଲରୁ ଆସିଥିବା ଏହି ଖବର ଏବଂ ଏହି ବାହାଘର ଏବେ ସୋସିଆଲ୍ ମିଡିଆରେ ଚର୍ଚ୍ଚା ସାଉଣ୍ଟିଥିବାବେଳେ, ଏହାର କିଛି ଭିଡିଓ ମଧ୍ୟ ସୋସିଆଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ତେବେ ଅସଲ କଥା ଥିଲା କିଛି ଏହିଭଳି । ବିହାରର ଜଣେ ଯୁବକ ତାଙ୍କ ୧୮ ବର୍ଷୀୟ ପ୍ରେମିକାକୁ ନେଇ ବଜାର ବୁଲିବାକୁ ଯାଇଥିଲେ । ହେଲେ ସେଠାରେ ତାଙ୍କ ବାଇକ୍ ଗୋଟିଏ କାର ସହ ଧକ୍କା ହେବାରୁ ଦୁହେଁ ଏଥିରେ ଆହତ ହୋଇଥିଲେ । ତେବେ ଦୁର୍ଘଟଣା ପରେ ସ୍ଥାନୀୟ ଲୋକ ତାଙ୍କୁ ନେଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଆଉ ହସ୍ପିଟାଲରେ ତାଙ୍କ ଘର ଲୋକ ପହଞ୍ଚିବା ପରେ ଦୁହିଁଙ୍କର ସେହି ହସ୍ପିଟାଲରେ ହିଁ ବାହାଘର କରାଇ ଦେଇଛନ୍ତି ।

ଠାକୁର ବିଗହା ଗାଁର ନୀରଜ କୁମାର (୧୯ ବର୍ଷ) କୌଶଲ୍ୟା ନାମକ ଏହି ଯୁବତୀଙ୍କୁ ବିବାହ କରିଛନ୍ତି । ତେବେ ଦୀର୍ଘ ଦିନ ହେଲା ଦୁହେଁ ପରସ୍ପରକୁ ଭଲ ପାଉଥିଲେ । ବଜାରରେ ତାଙ୍କ ବାଇକ୍ ଦୁର୍ଘଟଣାଗ୍ରସ୍ତ ହେବା ପରେ, ଦୁହିଁଙ୍କ ପ୍ରେମ ଖବର ତାଙ୍କ ଘର ପାଖରେ ପହଞ୍ଚିଥିଲା । ଆଉ ଘର ସମୟ ନଷ୍ଟ ନକରି, ସେହି ହସ୍ପିଟାଲରେ ହିଁ ତାଙ୍କ ବାହାଘର କରିଦେଇଥିଲେ ।

ପ୍ରଥମେ ପ୍ରଥମେ ନୀରଜ ପରିବାର ଲୋକଙ୍କ ଆଗରେ ପ୍ରେମ କଥା ସ୍ୱୀକାର କରିବାକୁ ମନା କରୁଥିଲା । ହେଲେ ପରେ କିନ୍ତୁ କୌଶଲ୍ୟାକୁ ସେ ଭଲ ପାଉଥିବା କଥା ପରିବାର ଲୋକଙ୍କ ଆଗରେ ସ୍ୱୀକାର କରିଥିଲେ । ତେବେ ଏପରି ଢଙ୍ଗରେ ହଠାତ୍ ତାଙ୍କର ବାହାଘର ହେବ ବୋଲି ସେ କେବେ ବି ଭାବିନଥିଲେ ବୋଲି ଗଣମାଧ୍ୟମ ଆଗରେ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ଯୁବତୀ କୌଶଲ୍ୟା ଜଣକ ହେଉଛନ୍ତି ନୀରଜଙ୍କ ଭିଣେଇର ଭଉଣୀ । ପରିବାର ଲୋକଙ୍କ କହିବା କଥା, ଦୁହେଁ ଦୀର୍ଘ ଦିନ ହେଲା ମିଳାମିଶା କରୁଥିଲେ । ସେଥିପାଇଁ ହସ୍ପିଟାଲରେ ହିଁ ତାଙ୍କର ବାହାଘର କରିିବାକୁ ନିଷ୍ପତ୍ତି କରାଯାଇଥିଲା । ବୁଧବାର ରାତି ୧୨ଟା ସମୟରେ ନୀରଜ କୌଶଲ୍ୟାଙ୍କ ମଥାରେ ସିନ୍ଦୂର ଦେଇଥିଲେ, ଆଉ ଦୁହେଁ ପରସ୍ପରକୁ ଜୀବନସାଥୀ ରୂପେ ଗ୍ରହଣ କରିଥିଲେ ।