ବ୍ରହ୍ମପୁରରେ ଏକ ନିଆରା ବାହାଘର । ବିନା ବାଜାବାଣରେ ନିରାଡମ୍ବର ଭାବେ ସଂପନ୍ନ ହେଲା ବିବାହ, ରକ୍ତଦାନ କରି ଅନ୍ଧବିଶ୍ୱାସ ଓ କୁସଂସ୍କାର ଦୂର ପାଇଁ କଲେ ଉଦ୍ୟମ ।

564

କନକ ବ୍ୟୁରୋ : ଭିନ୍ନ ଏକ ବିବାହ, ଭିନ୍ନ ଏକ ବାର୍ତ୍ତା । ବ୍ରହ୍ମପୁର ସହରରେ ଦେଖିବାକୁ ମିଳିଥିଲା ଏକ ନିଆରା ବାହାଘର । ଯେଉଁଠି ନା ବାଜିଥିଲା ବାଜା, ନା ରୋସଣୀ କରି ଶୋଭାଯାତ୍ରାରେ ଆସିଥିଲା ବର । ବିନା ଜାନି ଯୌତୁକ, ଜାତି, ଜାତକ ଓ କର୍ମକାଣ୍ଡରେ ସଂପନ୍ନ ହୋଇଛି ବାହାଘର । ବରଣମାଳା ପିନ୍ଧାଇ ସାତଜନ୍ମ ପାଇଁ ଶପଥ ନେଇ ପରସ୍ପର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ବିପ୍ଳବ ଓ ଅନିତା । ଆଉ ବିବାହ ଉତ୍ସବରେ ରକ୍ତଦାନ ଶିବିରର ଆୟୋଜନ କରି ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ଉଦାହରଣ ।

ବ୍ରହ୍ମପରର ଭିନ୍ନ ଏକ ବାହାଘର, ସାକ୍ଷୀ ରହିଲା ସମ୍ବିଧାନ । ରକ୍ତଦାନ ଶିବିରର ଦୁଇଟି ବେଡରେ ନବ ଦମ୍ପତି । ରକ୍ତଦାନ କରି ନିଜର ବୈବାହିକ ଜୀବନ ଆରମ୍ଭ କରିଛନ୍ତି ବ୍ରହ୍ମପୁରର ଏହି ନବ ଦମ୍ପତି, ବିପ୍ଲବ କୁମାର ଓ ଅନିତା ପାତ୍ର । ବିନା ବାଣ, ବାଜା, ରୋଷଣୀ, ଜାନି ଯୌତୁକ, ଜାତି, ଜାତକ ଓ କର୍ମକାଣ୍ଡରେ ସଂପନ୍ନ ହୋଇଛି ଏମାନଙ୍କ ବିବାହ । ବ୍ରହ୍ମପୁରର କମାପଲ୍ଲୀ ସ୍ଥିତ ବୈଦନାଥେଶ୍ୱର ମନ୍ଦିରର କଲ୍ୟାଣ ମଣ୍ଡପରେ ଭିନ୍ନ ଏକ ବାହାଘର ଅନୁଷ୍ଠିତ ହୋଇଯାଇଛି ।

ଭିନ୍ନ ଏକ ବିବାହ, ଭିନ୍ନ ଏକ ବାର୍ତ୍ତା । କୁସଂସ୍କାର ଦୂର ପାଇଁ ଉଦ୍ୟମ । ଫୁଲବାଣୀର ବିପ୍ଲବ ଓ ବ୍ରହ୍ମପୁର ଗୋଇଲୁଣ୍ଡିର ଅନିତାଙ୍କ ସହମତିରେ ବିବାହ ସଂପନ୍ନ ହୋଇଛି । ତେବେ ବାହାଘର ପାଇଁ ଅଯଥା ଟଙ୍କା ଖର୍ଚ୍ଚ ନକରି ସମାଜ ପାଇଁ କିଛି କରିବାର ଇଚ୍ଛା ରଖି ବିବାହ ଅବସରରେ ଏକ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା । ଏହାସହ ବିବାହ ପ୍ରଥାରେ ଥିବା କିଛି ଅନ୍ଧବିଶ୍ୱାସ ଓ କୁସଂସ୍କାରକୁ ଦୂର କରିବା ପାଇଁ ଚିନ୍ତା କରିଥିଲେ ଉଭୟ ବର-କନ୍ୟା ।

ତେଣୁ ମାନବବାଦୀ ହେତୁବାଦୀ ସଂଗଠନ ସହଯୋଗରେ ବାହାଘର ଦିନ ରକ୍ତଦାନ କରିବା ପରେ ବିଧବା ମହିଳାଙ୍କ ଠାରୁ ବରଣମାଳା ଗ୍ରହଣ କରି ଉଭୟ ବିପ୍ଲବ ଓ ଅନିତା ପରସ୍ପରକୁ ପିନ୍ଧାଇ ସାତ ଜନ୍ମ ପାଇଁ ସାଥି ହୋଇଛନ୍ତି । ସାମଜରେ ଥିବା ଅନ୍ଧବିଶ୍ୱାସ ଓ କୁସଂସ୍କାରକୁ ଦୂର କରିବା ପାଇଁ ହେତୁବାଦୀ ସଂଗଠନ ଉଦ୍ୟମ କରିଛି । ଆଉ ବହ୍ମପୁରର ଏହି ଆଦର୍ଶ ବାହାଘର ଆଗାମୀ ଦିନରେ ଯୁବପିଢୀଙ୍କ ପାଇଁ ପ୍ରେରଣା ନିଶ୍ଚୟ ।