ପୁରୀ ଜିଲ୍ଲା ଭୋଦରା ଗାଁରେ ନିଆରା ମା’କାଳୀଙ୍କ ପୂଜା ! ପ୍ରତୀକାତ୍ମକ ଭାବେ କ୍ଷୀର ନିର୍ମିତ ଖୁଆରେ ଦିଆଯାଏ ପଶୁବଳି

44

କନକ ବ୍ୟୁରୋ : ମାନସିକ ପୂରଣ ପାଇଁ ଦେବୀପୀଠମାନଙ୍କରେ ଶ୍ରଦ୍ଧାଳୁମାନେ ପଶୁବଳି ଦେଇଥାନ୍ତି । ହେଲେ ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ଅଧିନ ଭୋଦର ଗ୍ରାମରେ ନିଆରା ପରମ୍ପରା ମଧ୍ୟରେ ଅନୁଷ୍ଠିତ ହୋଇଥାଏ ମା’କାଳୀଙ୍କ ପୂଜା । ଏଠାରେ ପଶୁ ବଦଳରେ ଦିଆଯାଇଥାଏ କ୍ଷୀରରେ ପ୍ରସ୍ତୁତ ଖୁଆରେ ନିର୍ମୀତ ପଶୁ ବଳି । ଏହି ପରମ୍ପରା ପ୍ରାୟ ୭ଶହ ବର୍ଷ ପ୍ରାଚୀନ ।

ନିମାପଡାର ଭୋଦର ଗାଁରେ ଦିଆଯାଇଛି ପଶୁ ବଳି । କିନ୍ତୁ ଜୀବନ୍ତ ନୁହେଁ ବରଂ ପ୍ରତୀକାତ୍ମକ ଭାବେ କ୍ଷୀରରେ ତିଆରି ଖୁଆକୁ ପଶୁ ଆକାରରେ ବଳି ଦିଆଯାଇଛି । ୧୩୦୭ ମସିହାରୁ ଏହି ପୂଜା ଅନୁଷ୍ଠିତ ହୋଇଆସୁଅଛି । ଏଠାରେ ପୂଜାରେ ଏକ ବ୍ୟତିକ୍ରମ ଦେଖାଯାଏ । ପଶୁ ବଦଳରେ ଖୁଆ’ ବଳି ଦିଆଯାଉଥିବା ସମୟରେ ବୈଦିକ ଓ ତାନ୍ତ୍ରିକ ମନ୍ତ୍ରରେ ମା’ଙ୍କୁ ପୂଜା କରାଯାଇଥାଏ ।

ଏହି ପୂଜାରେ ପ୍ରତ୍ୟେକ ବର୍ଷ ହଜାର ହଜାର ଶ୍ରଦ୍ଧାଳୁ ଏକତ୍ରିତ ହୋଇ ୧୦୮ ଜୟ ଆଳତୀ କରିଥାନ୍ତି । ବିଶ୍ୱାସ ଅଛି କାଳିପୂଜାରେ ମା’ଙ୍କ ନିକଟରେ ୧୦୮ ଜୟ ଆଳତୀ କଲେ ମନସ୍କାମନା ପୂର୍ଣ୍ଣ ହୋଇଥାଏ । ସେହିପରି କ୍ଷୀରରେ ପ୍ରସ୍ତୁତ ଖୁଆ’ରେ ନିର୍ମିତ ପଶୁ ବଳିରେ ଭୋଦର ଗ୍ରାମର କାଳୀମାତା ସନ୍ତୁଷ୍ଟ ହୋଇଥାନ୍ତି ବୋଲି ବିଶ୍ୱାସ ରହିଛି ।

ରାଜ୍ୟର ବିଭିନ୍ନ ସ୍ଥାନରେ ପରଂପରା ନାଁରେ ବଳି ଦେଇଥାନ୍ତି । କଳାହାଣ୍ଡିର ମା ମାଣିକେଶ୍ୱରୀଙ୍କ ସହ ଶୁଳିଆ ପୀଠରେ ବଳି ଦିଆଯାଇଥାଏ ।  ଆଉ ରକ୍ତରେ ଭିଜିଥାଏ ରାଜରାସ୍ତା ।