ଜନ୍ମ କୁଣ୍ଡଳୀ, ହସ୍ତରେଖା ଓ ରାଶିଫଳ ଦେଖି ଏଠାରେ କରାଯାଉଛି ରୋଗ ଚିହ୍ନଟ, କୁଣ୍ଡଳୀ ପ୍ରସ୍ତୁତ ପରେ କରାଯାଉଛି ଚିକିତ୍ସା

106

କନକ ବ୍ୟୁରୋ : ଅନ୍ଧ ଗଳିର ଅନ୍ଧ ବିଶ୍ୱାସରେ ଝୁଣ୍ଟୁଛି ମଣିଷ ।  ବିଜ୍ଞାନର ଏତେ ଅଗ୍ରଗତି, ସରକାରଙ୍କ ସଚେତନତା କିଛି ବି କାମରେ ଲାଗୁନି । ଯେତେବେଳେ ରୋଗ ଚିହ୍ନଟ କରିବା ଓ ତାର ନିରାକରଣ ପାଇଁ ଡାକ୍ତର ଓ ବିଶେଷଜ୍ଞମାନେ କେତେ କେତେ ପରୀକ୍ଷା ନିରୀକ୍ଷା କରୁଛନ୍ତି ଠିକ ସେତେବେଳେ ଜାତକ, ହସ୍ତରେଖା ଓ ରାଶିଫଳ ଦେଖି ଚିକିତ୍ସା କରାଯାଉଛି ।

ବିହାର ଜିଲ୍ଲାର ସରକାରୀ ଆର୍ୟୁବେଦିକ ହସ୍ପିଟାଲରେ ପ୍ରଥମଥର ପାଇଁ ଜ୍ୟୋତିଷ ଚିକିତ୍ସା କେନ୍ଦ୍ର ଖୋଲା ଯାଇଛି । ଏଠାରେ ରୋଗୀଙ୍କ ରୋଗର ନିରୂପଣ ପାଥଲୋଜୀ ରିପୋର୍ଟ କି ଏକ୍ସରାଏ ଦେଖିକି ନୁହେଁ ବରଂ ସେମାନଙ୍କ ଜାତକ, ହସ୍ତରେଖା ଓ ରାଶିଫଳ ଦେଖି କରାଯାଉଛି । ଏହାସହ ରୋଗୀଙ୍କ ଗ୍ରହ ନକ୍ଷତ୍ର ମେଳ କରାଯାଇ ବି ରୋଗ ନିରୂପଣ କରାଯାଉଛି । ଏହାପରେ ରୋଗୀଙ୍କ ଔଷଧ ବଦଳରେ ମନ୍ତ୍ରଜପିବା,ଆରାଧନା କରିବା ଓ ଗ୍ରହ ନକ୍ଷତ୍ର ମୁତାବକ ରତ୍ନ ଧାରଣ କରିବାକୁ ପରାମର୍ଶ ଦିଆଯାଉଛି ।

ଦରଭଙ୍ଗା ଆର୍ୟୁବେଦିକ କଲେଜରେ ଏହି ଚିକିତ୍ସା ନଭେମ୍ବର ୨୮ ତାରିଖ ଠାରୁ ଆରମ୍ଭ ହୋଇଛି । ଏହି ଚିକିତ୍ସା ଆରମ୍ଭ ହେବା ପରେ ଶହ ଶହ ଲୋକ ଚିକିତ୍ସା କରାଇବାକୁ ଏଠାରେ ପହଂଚୁଥିବା ଦେଖିବାକୁ ମିଳିଛି । ଏଠାରେ ଦେଖିବାକୁ ମିଳୁଛି କି ସମସ୍ତ ରୋଗୀଙ୍କର ଚିକିତ୍ସା ଗୋଟିଏ ପଦ୍ଧତିରେ କରାନଯାଇ ଭିନ୍ନ ଭିନ୍ନ ପଦ୍ଧତି ଆପଣାଯାଉଛି । ଆବଶ୍ୟକ ପଡିଲେ କିଛି ରୋଗୀଙ୍କୁ ବି ଆର୍ୟୁବେଦିକ ଔଷଧ ପ୍ରଦାନ କରାଯାଉଛି ।

ଅନ୍ୟପଟେ ଏଠାରେ ଏକ ରିସର୍ଚ୍ଚ ସେଣ୍ଟର ଖୋଲିବାକୁ ସରକାରଙ୍କ ନିକଟକୁ ପ୍ରସ୍ତାବ ପଠାଯାଇଛି । ଦରଭଙ୍ଗା ଆର୍ୟୁବେଦିକ କଲେଜର ଡାକ୍ତର ଦିନେଶ୍ୱର ପ୍ରସାଦ କହଛନ୍ତି କି ଆର୍ଯ୍ୟଭଟ୍ଟ ନଲେଜ ୟୁନିଭରସିଟିକୁ ମେଡିକାଲ ଜ୍ୟୋତିଷର ପୂର୍ଣ୍ଣ ପାଠ୍ୟକ୍ରମରେ ସାମିଲ କରିବାକୁ ପ୍ରସ୍ତାବ ଦିଆଯାଇଛି ।