କନକ ବ୍ୟୁରୋ : ନିଆରା ଢଙ୍ଗରେ ଗଣେଶ ପୂଜା । ଏକ ବଉଳ ବୃକ୍ଷରେ ରାସାୟନିକ ରଙ୍ଗ ପରିବର୍ତେ ଜୈବିକ ରଙ୍ଗ , କନ୍ଧମାଳ ହଳଦୀ ଗୁଣ୍ଡ, କାଶ୍ମୀରୀ ଲଙ୍କା ଗୁଣ୍ଡ, ଗେଣ୍ଡୁ ଗୋଲାପ ଫୁଲ ଓ ବିଭିନ୍ନ ପ୍ରକାରର ବାରିବଗିଚା ଫୁଲରୁ ପ୍ରସ୍ତୁତ ରଙ୍ଗ ବ୍ୟବହାର କରି ଗଣେଶଙ୍କ ପ୍ରତିକୃତି ତିଆରି କରିଛନ୍ତି । ସୁକିନ୍ଦା ବ୍ଲକ ଅନ୍ତର୍ଗତ କାଙ୍କଡ଼ପାଳ ଗ୍ରାମରେ ଏଭଳି ଗଣେଶଙ୍କ ପୂଜା କରାଯାଇଛି । ଶୀଳ୍ପି ସନ୍ତୋଷ ପ୍ରଧାନ ଗଣେଶଙ୍କ ଏହି ପ୍ରତିକୃତି ତିଆରି କରିଛନ୍ତି । ଗଛରେ ଅଙ୍କା ଯାଇଥିବା ଗଣେଶଙ୍କ ପ୍ରତିକୃତିରେ ଗାଁ ଲୋକମାନେ ଏକତ୍ରିତ ହୋଇ ଗଣେଶ ପୂଜା ପାଳନ କରିଛନ୍ତି । ରାସାୟନିକ ରଙ୍ଗ ମୁକ୍ତ ମୂର୍ତ୍ତି ନିର୍ମାଣ, ମଦ ଓ ଡିଜେ ମୁକ୍ତ ଭସାଣି ଏବଂ ପ୍ରଦୂଷଣ ମୁକ୍ତ ବିସର୍ଜନ ବାର୍ତା ନେଇ ଗାଁ ଗାଁ ବୁଲି ଗ୍ରାମୀଣ ପୂଜା ଅନୁଷ୍ଠାନ ମାନଙ୍କୁ ସଚେତନ କରାଇଛନ୍ତି । ପରିବେଶ ସନ୍ତୁଳନ ନିମନ୍ତେ ବୃକ୍ଷ ରୋପଣର ଆବଶ୍ୟକ ସମ୍ପର୍କରେ ବୁଝାଇଛନ୍ତି । କ୍ଳବ ସଦସ୍ୟ ଓ ଗ୍ରାମ ବାସୀଙ୍କର ଏହି ଭଳି ନିଆରା କାର୍ଯ୍ୟକୁ ଅଞ୍ଚଳବାସୀ ବେଶ ପ୍ରସଂଶା କରିଛନ୍ତି ।

Advertisment

ପୁରୁଣା କାଗଜରେ ୫ଫୁଟର ଗଣେଶଙ୍କ ମୂର୍ତ୍ତି । ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବାଇଦାପୋଷିକ ଲୋନୀ ସାହିର ଝିଅ ସୁପ୍ରିୟା ବାରିକ ଏହାକୁ ନିର୍ମାଣ କରିଛନ୍ତି । ପୁରୁଣା କାଗଜ, ମଇଦା, ପେଟି, ଏବଂ କପଡାକୁ ସଂଗ୍ରହ କରି ଏକ ସୁନ୍ଦର ଗଣେଶଙ୍କ ମୂର୍ତ୍ତି ତିଆରି କରି ଏବେ ଚର୍ଚାରେ ସୁପ୍ରିୟା । ଏହି ମୂର୍ତ୍ତି କେବଳ ଦେଖିବା ପାଇଁ ନୁହେଁ ଏଥିରେ ଲାଗିଥିବା ଆଖି ପଲକର ଚଳନ ଗଣେଶ ବାବାଙ୍କୁ ଜୀବନ୍ତ ରୂପ ଦେଇଛି । ନଡା ଏବଂ ମାଟିରେ ମୂର୍ତି ତିଆରି ପାଇଁ ଅଧିକ ଖର୍ଚ୍ଚ ହେଉଥିବା ବେଳେ ମୂର୍ତ୍ତି ବିସର୍ଜନ ପରେ ପରିବେଶ ମଧ୍ୟ ପ୍ରଦୁଷଣ ହୋଇଥାଏ । ଏଣୁ ସ୍ୱଳ୍ପ ବ୍ୟୟରେ କାଗଜ ମୁର୍ତି ତିଆରିକରି ପରିବେଶ ପ୍ରଦୂଷଣ ରୋକିବାର ଏକ ପ୍ରୟାସବୋଲି କହିଛନ୍ତି ସୁପ୍ରିୟା । ସୁପ୍ରିୟାଙ୍କ ଏଭଳି କଳାକୃତିକୁ ପ୍ରସଂସା କରିବା ସହ ଗଣେଶ ବାବାଙ୍କୁ ଦର୍ଶନ ପାଇଁ ଲୋକଙ୍କର ସୁଅ ଛୁଟୁଛି ।

ଗଶେଶ ପୂଜା ପାଇଁ ଚଳଚଂଚଳ ଖୋର୍ଦ୍ଧା ଜଟଣି । ଜଟଣିରେ ଛୋଟବଡ଼ ଦୁଇ ଶହରୁ ଉର୍ଦ୍ଧ ପୂଜା ମଣ୍ଡପରେ ପୂଜା ପାଉଛନ୍ତି ଗଜାନନ । ପୂଜା ମଣ୍ଡପ ସହ ବଡ଼ ବଡ଼ ତୋରଣ ବନାଯାଇଛି । ପୁରା ସହର ରଙ୍ଗୀନ ଲାଇଟରେ ସଜେଇ ହୋଇଛି । ରାଜା ବଜାର, ବଡ଼ବଜାର, କୁଦିଆରି ବଜାର, ସୀତାରାମ ଛକ, ମାଛ ମାର୍କେଟ, ମହୁଲ ଛକ ଥାନା ଛକ, ଗୋପବନ୍ଧୁ ବଜାର ଆଦି ପ୍ରମୁଖ ପୂଜାମଣ୍ଡପ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଗଣେଶ ଚୁତୁର୍ଥୀରୁ ୧୨ ଦିନ ଧରି ଏଠାରେ ଗଜାନନଙ୍କ ପୂଜା କରାଯିବ । ଶାନ୍ତିଶୃଙ୍ଖଳା ପାଇଁ କମିଶନରେଟ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।