ପ୍ରଚାର ପାଇଁ ନେତାଙ୍କ ନିଆରା ଅନ୍ଦାଜ । କିଏ ଖରାରେ ସିଝୁଛି, କିଏ ବର୍ଷାରେ ଭିଜୁଛି, କିଏ ପୁଣି ନାଚୁଛି…

101

କନକ ବ୍ୟୁରୋ: ନିର୍ବାଚନ ପାଖଉଛି, ନେତାଙ୍କ ପ୍ରଚାର ଜୋରଦାର ଚାଲିଛି । ଆଜିଠୁ ଆଉ ଠିକ୍ ୩୫ ଦିନ ପରେ ଓଡିଶାରେ ଆରମ୍ଭ ହେବ ଗଣତନ୍ତ୍ରର ସବୁଠାରୁ ମହାନପର୍ବ ନିର୍ବାଚନ । ଯେଉଁ ପର୍ବରେ ସାମିଲ ହୋଇ ୫ ବର୍ଷ ପାଇଁ ନେତା ବାଛିବେ ଜନତା । ନେତାଙ୍କ ଭାଗ୍ୟ ତିଆରିବେ ଜନତା । ଆଉ ୫ ବର୍ଷ ପାଇଁ ବି ପରୀକ୍ଷା ଦେବେ ନେତା । ଭୋଟ୍ ପାଇଁ ସବୁ ଦଳରେ ପ୍ରସ୍ତୁତି ବୁଲେଟ୍ ବେଗରେ ଧାଉଁଥିବା ବେଳେ ପ୍ରାର୍ଥୀ ଘୋଷଣା ଶେଷକୁ ସମସ୍ତଙ୍କ ଅପେକ୍ଷା ରହିଛି । ଯଦିଓ କେତେକ ଆସନରେ ୩ ପ୍ରମୁଖ ଦଳ ବିଜେଡି- ବିଜେପି ଏବଂ କଂଗ୍ରେସ ପ୍ରାର୍ଥୀ ଦେଇସାରିଲେଣି କିନ୍ତୁ ଏମିତି କିଛି ଆସନ ରହିଛି ଯେଉଁଠି ଏବେ ବି ଗଣିତ ଗୋଳମାଳ ଥିବାରୁ ଟିକେଟ୍ ଘୋଷଣା ହୋଇପାରୁନି । ଆଉ ଯେଉଁଠି ଯେଉଁଠି ପ୍ରାର୍ଥୀ ଘୋଷଣା ସରିଛି ସେଠି ପ୍ରାର୍ଥୀମାନେ ପ୍ରଚାରର ବେଗକୁ ଜୋରଦାର କରିଛନ୍ତି ।

ଜନତାଙ୍କ ପାଖକୁ ଯାଇ ଭୋଟ୍ ମାଗିବାକୁ ନେତା ଭିନ୍ନ ଭିନ୍ନ ପନ୍ଥା ଆପଣାଉଛନ୍ତି । ଗୋଟେ ପଟେ ପ୍ରବଳ ଖରା ହେଉଥିବା ବେଳେ ନେତାଏ ଖରାକୁ ଖାତିର ନକରି ଝାଳବୁହା ପ୍ରଚାର କରୁଛନ୍ତି । ଆଉ ଏତିକି ବେଳେ ଖାଲି ଖରା ନୁହେଁ ପ୍ରବଳ ବର୍ଷାରେ ବି ପ୍ରଚାର କରିଛନ୍ତି ନେତ୍ରୀ । କାଳବୈଶାଖୀ ବର୍ଷା ଘଡଘଡିରେ ଗତକାଲି ସନ୍ଧ୍ୟାରେ ବିଜେପିର ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ପ୍ରଚାର କରିଛନ୍ତି । ନିଜ ସମର୍ଥକ ଏବଂ ବିଧାନସଭା ପ୍ରାର୍ଥୀ ବିଶ୍ୱରଞ୍ଜନ ବଡଜେନାଙ୍କୁ ଧରି ଜଟଣୀରେ ଢୁଢୁ ବର୍ଷାରେ ପ୍ରଚାର କରିଥିଲେ ଅପରାଜିତା ।

ସେହିପରି ସମ୍ବଲପୁରରେ ଏକ ଅଷ୍ଟପ୍ରହରୀରେ ଯୋଗ ଦେଇ ସମ୍ବଲପୁର ପାଇଁ ବିଜେପିର ବିଧାନସଭା ପ୍ରାର୍ଥୀ ଜୟନାରାୟଣ ମିଶ୍ର ବାଦ୍ୟଯନ୍ତ୍ରର ତାଳେତାଳେ ମନଖୋଲା ନାଚିଥିଲେ । ମୁହଁରେ ମାସ୍କ ସହ ପାଦରେ ନୃତ୍ୟର ତାଳ ଥାଇ ଜୟ ନାରାୟଣଙ୍କୁ ଏକ ଭିନ୍ନ ଅନ୍ଦାଜରେ ଦେଖିଥିଲେ ଲୋକେ ।

ଝାରସୁଗୁଡାରେ ବିଜେଡିର ବିଧାୟକ ପ୍ରାର୍ଥୀ ଦୀପାଲି ଦାସ ଆଦିବାସୀ ମହିଳାଙ୍କ ସହ ନାଚିଥିଲେ । ଏପଟେ ଭୁବନେଶ୍ୱରର ବିଭିନ୍ନ ପାର୍କ ବୁଲି ଲୋକଙ୍କ ସହ କଥା ହେବା ଭିତରେ ବ୍ୟାଡମିଣ୍ଟନ ଖେଳିଥିଲେ ବିଜେଡିର ଲୋକସଭା ପ୍ରାର୍ଥୀ ମନ୍ମଥ ରାଉତରାୟ । ତାସହ ଆଜି କ୍ୟାପିଟାଲ ହସ୍ପିଟାଲ ଯାଇ ରୋଗୀଙ୍କ କଥା ବୁଝିଥିଲେ ମନ୍ମଥ । ଖାଲି ସେତିକି ନୁହେଁ ରାଜ୍ୟର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ନେତା ପ୍ରଚାର ପାଇଁ ନିଜ ନିଜ ତରିକା ଆପଣାଉଛନ୍ତି ।