କନକ ବ୍ୟୁରୋ: ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ନିଆରା ପ୍ରୟାସ । ସେନାରେ ନିଯୁକ୍ତ ପାଇଁ ଦେଉଛନ୍ତି ମାଗଣା ଟ୍ରେନିଂ । ଆଉ ଏହି ଟ୍ରେନିଂପ୍ରାପ୍ତ କିଛି ଯୁବକ ଏବେ ନିଯୁକ୍ତି ପାଇଛନ୍ତି । ଯାହାକୁ ସାରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ନବରଙ୍ଗପୁର ରାଇଘର ବ୍ଳକର ଅବସରପ୍ରାପ୍ତ ସେନା କର୍ମଚାରୀ ମନୋହର ଦଣ୍ଡସେନା ଏବଂ ସୁଜିତ ହାଲଦାର କିଛି ଯୁବକଙ୍କୁ ଏକାଠି କରି ମାଗଣାରେ ଦେଉଥିଲେ ତାଲିମ୍ । ପିଲାମାନେ ପୁଲିସ ସାକ୍ଷାତକାର ପାଇଁ ଅଭ୍ୟାସ କରୁଥିବା ବେଳେ ଏହି ସେନା କର୍ମଚାରୀ ସେମାନଙ୍କୁ ଡାକି ତାଲିମ୍ ଦେଇଥିଲେ । ପ୍ରାୟ ୧୦ ଜଣରୁ ୧୫ ଜଣ ଯୁବକ ଏଠାରେ ତାଲିମ ନେଉଥିଲେ । ଏବେ ସେମାନଙ୍କ ମଧ୍ୟରୁ ୪ଜଣ ପୁଲିସ ଭାବେ ନିଯୁକ୍ତି ପାଇଛନ୍ତି । ଏହିି ୪ଜଣ ହେଲେ ରାଇଘରର ସୁଜିତ ହରିଜନ, କୁମୁଲି ଗାଁର ମୋନିରାମ ଗଣ୍ଡ, ପରଚିପାରା ଗାଁରୁ କୁନ୍ଦନ ଗଣ୍ଡ ଓ ବାହାଲୁ ଗଣ୍ଡ । ଚାକିରିରେ ଯୋଗଦେବା ପୂର୍ବରୁ ଏମାନେ ମଧ୍ୟ ବେଶ ଖୁସିଥିବା ସହ ନିଜ ପ୍ରଶିକ୍ଷକଙ୍କୁ କୃତଜ୍ଞତା ଜଣାଇଛନ୍ତି ।