ଗୋବର ଖତ ଓ ଅଳିଆ ଆବର୍ଜନାରୁ ପ୍ରସ୍ତୁତ ହେଉଛି ଜିଆଖତ: କିଲୋ ପିଛା ୨୦ ଟଙ୍କାରେ ବିକ୍ରି କରି ଲାଭବାନ ହେଉଛନ୍ତି ମହିଳା

163

କନକ ବ୍ୟୁରୋ: ଆଜିର ପରିବର୍ତନଶୀଳ ସମାଜ ରେ ମହିଳା ସଶକ୍ତିକରଣର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି । ଏକଦା ତେଲଲୁଣ ସଂସାରରେ ଗୃହିଣୀ ସାଜି ଘର ଚାରିକାନ୍ଥରେ ଆବଦ୍ଧ ରହୁଥିବା ମହିଳାଟିଏ ଆଜି ହୋଇପାରିଛି ଆତ୍ମନିର୍ଭରଶୀଳ ଓ ସ୍ୱାବଲମ୍ବୀ । ପୁରୁଷ ପ୍ରଧାନ୍ୟ ସମାଜରେ ପରୁଷ ସହ କାନ୍ଧ ରେ କାନ୍ଧ ମିଶାଇ ପ୍ରତ୍ୟେକ କାର୍ଯ୍ୟରେ ସକ୍ରିୟ ଅଂଶ ଗ୍ରହଣ କରି ସାମାଜିକ, ଅର୍ଥନୈତିକ, ତଥା ସଂସ୍କୃତି ବିକାଶର ଦୃଷ୍ଟାନ୍ତ ସୃଷ୍ଟି କରୁଛନ୍ତି ଆଜିର ମହିଳା ସମାଜ ।

ଗାଁ ମହିଳାଙ୍କ ରୋଜଗାରର ମାଧ୍ୟମ ପାଲଟିଛି ଜିଆ ଖତ । ପ୍ରଥମ କରି ଜିଆଖତ ଭଳି ଏକ ନୂତନ ବ୍ୟବସାୟ ଆରମ୍ଭ କରି ଅଭୂତପୂର୍ବ ସଫଳତା ହାସଲ କରିଛନ୍ତି ମହିଳା । ସୁନ୍ଦରଗଡ ଜିଲ୍ଲା ଟାଙ୍ଗରପାଲି ବ୍ଲକ ବାଲିଯୋରୀ ଗାଁର ମା ଦୁର୍ଗା ଏସଏଚଜି ଗ୍ରୁପର ମହିଳା ମାନେ ଏହି ବ୍ୟବସାୟ କରୁଛନ୍ତି । ଓଡିଶା ବନାଚଂଳ ଉନ୍ନୟନ ପ୍ରକଳ୍ପର ଆର୍ଥିକ ସହାୟତାରେ ପ୍ରଥମେ ମହିଳା ମାନେ ନିଜ ଘରେ କୁଣ୍ଡ ତିଆରି କରି ଜିଆ ଖତ ପ୍ରସ୍ତୁତ କରୁଛନ୍ତି । ପୁଣି ଏହାକୁ ୨୦ଟଙ୍କା କେଜିରେ ବିକ୍ରି କରୁଛନ୍ତି । ବର୍ଷକୁ ପାଖାପାଖି ୬ ହଜାର ଟଙ୍କା ବିନିମୟ କରି ୧ଲକ୍ଷ ୬୦ ହଜାରରୁ ଅଧିକ ଟଙ୍କା ରୋଜଗାର କରୁଛନ୍ତି ।

ଓଡିଶା ବନାଚଂଳ ଉନ୍ନୟନ ପ୍ରକଳ୍ପ -୨ ଅଧୀନରେ ଥିବା ସୁନ୍ଦରଗଡ ବନଖଣ୍ଡର ଉଜ୍ଜଳପୁର କ୍ଷେତ୍ର ପରିଚାଳନା ଏକକରେ କାର୍ଯ୍ୟରତ ମହିଳା ମାନେ ଏହି ବ୍ୟବସାୟ କରୁଛନ୍ତି । ପ୍ରାୟ ୧୫ଟି ବନ ସୁରକ୍ଷା ସମିତିର ୨୬ଟି ସ୍ୱୟଂ ସହାୟକ ଗୋଷ୍ଠୀର ୨୬୬ ଜଣ ମହିଳା ମାନେ ଏହି ବ୍ୟବସାୟ କରି ଭଲ ରୋଜଗାର କରୁଛନ୍ତି । ଉଜୁଡ଼ା ଜଙ୍ଗଲର ପୁନରୁଦ୍ଧାର ଓ ଜୀବନ ଜୀବିକାରେ ଉନ୍ନତି ଆଣିବା ଲକ୍ଷ୍ୟରେ ଏହି ପ୍ରକଳ୍ପ ଆରମ୍ଭ କରାଯାଇଛି ।

ଗୋବର ଖତ ଓ ଅଳିଆ ଆବର୍ଜନାକୁ ନେଇ ଜିଆ ଖତ ପ୍ରସ୍ତୁତ କରୁଛନ୍ତି ମହିଳା । ବନ ସୁରକ୍ଷା ସମିତି ଦ୍ୱାରା ଏସଏଚଜି ମହିଳା ମାନେ ଏକାଠି ହୋଇ ଏଭଳି ନୂଆ ପ୍ରୟାସ ଆରମ୍ଭ କରିଛନ୍ତି ।