କନକ ବ୍ୟୁରୋ: ଜଣେ ପୁରୁଷ ଅନ୍ୟ ଏକ ଜାତିର ମହିଳାଙ୍କୁ ବିବାହ କରିବା କିମ୍ବା ଜଣେ ମହିଳା ଅନ୍ୟ ଏକ ଜାତିର ପୁରୁଷକୁ ବିବାହ କରିବା ଆଇନ ସମ୍ମତ । କିନ୍ତୁ ଗାଁ ଗହଳିରେ କୂଳ ବା ସମାଜକୁ ଗୁରୁତ୍ୱ ଦିଆଯାଇଥାଏ । ଜଣେ ଅନ୍ୟ ଏକ ଜାତିର ଝିଅକୁ ବିବାହ କଲେ ତାଙ୍କୁ ଜାତି ବା କୂଳରୁ ବାସନ୍ଦ ହେବାକୁ ପଡ଼ିଥାଏ । ଏପରିକି ସେହି ପରିବାରକୁ କୌଣସି ମାଙ୍ଗଳିକ କାର୍ଯ୍ୟ, ଗାଁର ଉତ୍ସବରେ ସାମିଲ ହେବାକୁ ଦିଆଯାଇନଥାଏ । ଏପରିକି ଏହି କାରଣ ପାଇଁ କେତେକଙ୍କୁ ଗାଁ ଛାଡ଼ି ଅନ୍ୟତ୍ର ରହିବା ଭଳି ଘଟଣା ସାମ୍ନାକୁ ଆସିଥାଏ । ଏନେଇ କେତେକ ଆଇନର ଆଶ୍ରୟ ମଧ୍ୟ ନେଇଥାଆନ୍ତି । ବିଶେଷକରି ଗଞ୍ଜାମ ଜିଲ୍ଲାରେ ଏଭଳି ଘଟଣା ଅଧିକା ଦେଖିବାକୁ ମିଳିଥାଏ ।
ତେବେ ଏଭଳି ଘଟଣାକୁ ରୋକିବା ପାଇଁ ସମାଜରୁ ବାସନ୍ଦ ହୋଇଥିବା ୧୦୮ ଦମ୍ପତିଙ୍କୁ ପୁଣି ନିଜ କୂଳରେ ସାମିଲ କରିଛି ତେଲଗୁ ସମ୍ପ୍ରଦାୟର ଆଗ୍ନୀକୁଳ କ୍ଷତ୍ରିୟ ସମାଜ । ହିନ୍ଦୁ ରିତୀନୀତି ଅନୁଯାୟୀ ବିବାହ ସମ୍ପର୍ଣ୍ଣ କରି ନିଜ ସମାଜରେ ସାମିଲ କରାଯାଇଛି । ଅଗ୍ନୀକୂଳ କ୍ଷତ୍ରୀୟ ସମାଜର ସଭାପତି ଏମ.ନାଗରାଜୁ ବର୍ମାଙ୍କ ନେତୃତ୍ୱରେ ଏହା ସମ୍ଭବ ହୋଇପାରିଛି । ଗଞ୍ଜାମ ଚିକିଟି ବ୍ଲକ ଗିରିସୋଲା ଗାଁର ଓଲମ୍ମା ମନ୍ଦିର ପରିସରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ହୋମ, ଯଜ୍ଞ ସହ ଭୋଜିଭାତ ସାଙ୍ଗକୁ ଆୟୋଜିତ ହୋଇଥିଲା ସାଂସ୍କୃତିକ କାର୍ଯ୍ୟକ୍ରମ । ଆଗାମୀ ଦିନରେ ଏଭଳି ମହତ କାମ ଜାରି ରହିବ ବୋଲି କହିଛନ୍ତି ଅଗ୍ନିକୁଳ କ୍ଷତ୍ରୀୟ ସମାଜର ସଭାପତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/03/6pm-5-3.jpg)