ନିଶା ବନିଛି ପେଶା । ଜାଇଲୋଗ୍ରାଫି କରି ପରିଚୟ ସୃଷ୍ଟି କରିଛନ୍ତି ଯାଜପୁରର ବିଶ୍ୱନାଥ ମହାରଣା । ଉପରାଷ୍ଟ୍ରପତି ମଧ୍ୟ କରିଛନ୍ତି ପ୍ରଂଶସା ।

157

କନକ ବ୍ୟୁରୋ: ଅଦରକାରୀ କାଠରେ ଅନନ୍ୟ କଳାକୃତି । ଯେକେହି ଦେଖିବ ଘଡିଏ ଅଟକଯିବ । ଆମେ କହୁଛୁ ଯାଜପୁର ଜିଲ୍ଳା ମୁଗପାଳ ଚମ୍ପାଡିହ ଗାଁର ଅନନ୍ୟ କାରିଗର ବିଶ୍ୱନାଥ ମହାରଣାଙ୍କ କଥା । ଦିନେ ମୂର୍ତ୍ତି ତିଆରି କରିବାର ନିଶା ଏବେ ତାଙ୍କୁ ପେଶାଦାର ଶିଳ୍ପୀର ମାନ୍ୟତା ଦେଇଛି । କାଠରେ ଛାୟାଚିତ୍ର ବା ଜାଇଲୋଗ୍ରାଫି ତିଆରି କରି ସ୍ୱାବଲମ୍ବୀ ହେବା ସହ ଉପ-ରାଷ୍ଟ୍ରପତିଙ୍କଠାରୁ ମିଳିଛି ପ୍ରସଂଶା ।

ରସୁଲପୁର ବ୍ଲକ ମୁଗପାଳ ଚମ୍ପାଡିହ ଗାଁର ବିଶ୍ୱନାଥ ମହାରଣା । ପିଲାଦିନରୁ କାରିଗରି କାମ ପ୍ରତି ତାଙ୍କର ରହିଥିଲା ରୁଚି । ସ୍ଥାନୀୟ କଲେଜରୁ ବିଏ ପାସ୍ ପରେ ଚାକିରୀ ପଛରେ ନଗୋଡାଇ ୮ବର୍ଷ ତଳେ ଆରମ୍ଭ କରିଥିଲେ ଛାୟାଚିତ୍ର ନିର୍ମାଣ ବା ଜାଇଲୋଗ୍ରାଫି । ଅଦରକାରୀ କାଠକୁ ବ୍ୟବହାର କରି ବିଭିନ୍ନ ମଡର୍ଣ୍ଣ ଡିଜାଇନର ମୂର୍ତି ତିଆରି କରି ବେଶ୍ ରୋଜଗାରକ୍ଷମ ହୋଇପାରିଛନ୍ତି । ପିଲାଦିନର ମୂର୍ତି ତିଆରି ନିଶା ଏବେ ତାଙ୍କୁ ପେଶାଦାର କାରିଗରର ମର୍ଯ୍ୟାଦା ଦେଇଛି ।

ମୁଗପାଳ ନିକଟରେ ଛୋଟିଆ ଫାର୍ମଟିଏ କରି ସେ ତିଆରି କରୁଛନ୍ତି ଭଳିକି ଭଳି କାଠର ଛାୟାଚିତ୍ର । ବିଶ୍ୱନାଥଙ୍କ ହାତ ତିଆରି କାଠର ଛାୟାଚିତ୍ର ରାଜ୍ୟ, ଦେଶ ଓ ବିଦେଶରେ ବେଶ୍ ଆଦୃତି ପାଇଛି । ବିଶ୍ୱନାଥଙ୍କ କଳାକୃତି ଆମେରିକା, ଅଷ୍ର୍ଟ୍ରେଲିଆ, କାଲିଫର୍ଣ୍ଣିଆ ପ୍ରଭୃତି ଦେଶରେ ବେଶ୍ ଆଦୃତ ହୋଇପାରିଛି । ବିଶ୍ୱନାଥ ନିଜର ଏହି ଅନନ୍ୟ କଳାକୃତିକୁ ଆଧାର କରି ମାସିକୁ ୨୦ରୁ ୩୦ହଜାର ଟଙ୍କା ରୋଜଗାର କରିପାରୁଥିବା ବେଳେ ଭାରତର ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କ ଠାରୁ ମଧ୍ୟ ତାଙ୍କୁ ମିଳିଛି ପ୍ରଂଶସା ।

ବିଶ୍ୱନାଥଙ୍କ ହାତ ତିଆରି ଏହି ଛାୟାଚିତ୍ରର ବଜାର ଦର ୫ଶହରୁ ୫ହଜାରଟଙ୍କା ପର୍ଯ୍ୟନ୍ତ ରହିଛି । ପ୍ରଥମେ ଅଦରକାରୀ କାଠକୁ ଆଣି ତା ଉପରେ କାଗଜରେ ବିଭିନ୍ନ ଡିଜାଇନ ଅଙ୍କାଯାଇଥାଏ । ପରେ ଏହାକୁ କଟର ସାହାଯ୍ୟରେ କାଟିବା ପରେ ନିହଣ ଓ ବଟାଳି ସାହାଯ୍ୟରେ ଖୋଳଯାଇ ଛାୟାଚିତ୍ରର ମୂର୍ତି ପ୍ରସ୍ତୁତ କରିବା ପରେ ରନ୍ଦା ମରାଯାଇ ସ୍ୟାଣ୍ଡ ପେପର ସାହାଯ୍ୟରେ ପଲିସ କରାଯାଇଥାଏ ।

ଏହା ପରେ ଗାଲା ଓ ସ୍ପିରିଟର ମିଶ୍ରଣକୁ ଲଗାଯିବା ପରେ କିଛି ସମୟ ଖରାରେ ଶୁଖାଯାଏ । ତା ପରେ ଏହାକୁ ମେସିନ ସାହାଯ୍ୟରେ ରଙ୍ଗ ପେଂଟିଂ କରାଯାଇଥାଏ । ବିଶ୍ୱନାଥ ନିଜର ଏହି ଫାର୍ମରେ ବାର୍ଷିକ ୬ରୁ ୭ଲକ୍ଷ ଟଙ୍କାର ବ୍ୟବସାୟ କରୁଥିବା ବେଳେ ୫ରୁ ୬ଜଣଙ୍କୁ ନିଯୁକ୍ତି ଦେବାରେ ସଫଳ ହୋଇଛନ୍ତି । ଏହା ବ୍ୟତୀତ ନିଜର ୟୁନିଟକୁ ରାଜ୍ୟ ସରକାରଙ୍କ ଏସଏସଏମଇ ବିଭାଗ ସହ ଅନୁବନ୍ଧିତ କରାଇ ବିଭିନ୍ନ ରାଜ୍ୟସ୍ତରୀୟ ସରକାରୀ ଆର୍ଟ ଆଣ୍ଡ କ୍ରାପ୍ଟ ମେଳାରେ ଭାଗନେଇ ନିଜ ବ୍ୟବସାୟର ଚାହିଦା ବଢାଇପାରିଛନ୍ତି ।

ବିଶ୍ୱନାଥଙ୍କ ପରି ଏହି ଅନନ୍ୟ ଛାୟାଚିତ୍ର ହସ୍ତଶିଳ୍ପକୁ ସରକାରୀ ପ୍ରୋତ୍ସହନ ମିଳିଲେ ଏହା ଶିକ୍ଷିତ ବେକାରମାନଙ୍କ ପାଇଁ ରୋଜଗାରକ୍ଷମ ହେବାକୁ ସୁଯୋଗ ସୃଷ୍ଟି କରିପାରିବ ।