କନକ ବ୍ୟୁରୋ : ଦେଶରେ ଦଳିତ ଓ ଆଦିବାସୀଙ୍କ ଉପରେ ଆକ୍ରମଣ ମାମଲା ବୃଦ୍ଧି ପାଇଛି । ସରକାରଙ୍କ ତରଫରୁ ସଂସଦର ମୌସୁମୀ ଅଧିବେଶନରେ ଏଭଳି ତଥ୍ୟ ପ୍ରଦାନ କରିଛନ୍ତି ଗୃହ ରାଜ୍ୟମନ୍ତ୍ରୀ ଅଜୟ ମିଶ୍ରା । ଗୃହ ରାଜ୍ୟମନ୍ତ୍ରୀଙ୍କ ତଥ୍ୟ ମୁତାବକ ୨୦୧୮-୨୦୨୦ ମସିହା ମଧ୍ୟରେ ଦଳିତ ଓ ଆଦିବାସୀଙ୍କ ବିରୋଧରେ ଅପରାଧିକ ମାମଲା ବୃଦ୍ଧି ପାଇଛି । ସଂସଦରେ ତେଲେଙ୍ଗାନା ସାଂସଦ କୋମାତି ରେଡ୍ଡି ଓ ଟିଆରଏସ ସାଂସଦ ମନ୍ନେ ଶ୍ରୀନିବାସଙ୍କ ପ୍ରଶ୍ନର ଉତ୍ତର ଦେଇ ଗୃହ ରାଜ୍ୟମନ୍ତ୍ରୀ ଏହି ସୂଚନା ଦେଇଛନ୍ତି ।

Advertisment

ଗୃହ ରାଜ୍ୟମନ୍ତ୍ରୀ ଅଜୟ ମିଶ୍ରା କହିଛନ୍ତି କି, ୨୦୧୮ ରେ ଦଳିତଙ୍କ ବିରୋଧରେ ୪୨,୭୯୩ ଟି ଅପରାଧିକ ମାମଲା ରୁଜୁ ହୋଇଥିଲା । ହେଲେ ୨୦୨୦ ବେଳକୁ ଏହା ୫୦ ହଜାରକୁ ବୃଦ୍ଧି ପାଇଛି । ସେହିଭଳି ଯଦି ଆଦିବାସୀଙ୍କ କଥା କୁହାଯିବ ତେବେ ୨୦୧୮ ରେ ୬୫୨୮ ଟି ଅପରାଧିକ ମାମଲା ରୁଜୁ ହୋଇଥିବା ବେଳେ ୨୦୨୦ ରେ ଏହି ସଂଖ୍ୟା ୮,୨୭୨  ରେ ପହଂଚିଛି । ଲୋକସଭାରେ ଆଗତ ହୋଇଥିବା ତଥ୍ୟ ମୁତାବକ ୨୦୧୯ ରେ ଦଳିତଙ୍କ ବିରୋଧରେ ୪୫,୯୬୧ ଟି ମାମଲା ଓ ଆଦିବାସୀଙ୍କ ବିରୋଧରେ ୭,୫୭୦ ଟି ମାମଲା ରୁଜୁ ହୋଇଥିଲା ।

ସଂସଦରେ ଉପସ୍ଥାପିତ ହୋଇଥିବା ରିପୋର୍ଟ ମୁତାବକ ଉତ୍ତର ପ୍ରଦେଶ ଓ ବିହାରରେ ଦଳିତମାନଙ୍କ ଉପରେ ଉତ୍ପୀଡନ ସବୁଠାରୁ ଅଧିକ ବୃଦ୍ଧି ପାଇଛି । ଯଦି ୨୦୧୮ କଥା ବିଚାରକୁ ନିଆଯିବ ତେବେ ୨୦୧୮ ରେ ଉତ୍ତର ପ୍ରଦେଶରେ ଦଳିତମାନଙ୍କ ବିରୋଧରେ ୧୧,୯୨୪ ଟି ମାମଲା ରୁଜୁ ହୋଇଥିବା ବେଳେ ୨୦୧୯ ରେ ୧୧,୮୨୯ ଓ ୨୦୨୦ ରେ ୧୨,୭୨୪ ଟି ମାମଲା ରୁଜୁ ହୋଇଛି । ସେହିଭଳି ବିହାରରେ ୨୦୧୮ ମସିହାରେ ୭,୦୬୧ ମାମଲା ସାମ୍ନାକୁ ଆସିଥିବା ବେଳେ ୨୦୧୯ ରେ ଏହା ସଂଖ୍ୟା ୬,୫୪୪ କୁ ହ୍ରାସ ପାଇଥିଲା । ହେଲେ ୨୦୨୦ ରେ ଏହି ସଂଖ୍ୟା ବୃଦ୍ଧି ପାଇ ୭,୩୬୮ ହୋଇଛି ।

ସେହିଭଳି ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ଆଦିବାସୀଙ୍କ ବିରୋଧରେ ଅଧିକ ମାମଲା ରୁଜୁ ହୋଇଛି । ମଧ୍ୟପ୍ରଦେଶରେ  ୨୦୧୮ ମସିହାରେ ୧୮୬୮ ଟି ମାମଲା ରୁଜୁ ହୋଇଥିବା ବେଳେ ୨୦୧୯ ମସିହାରେ ଏହା ହ୍ରାସ ପାଇ ୧୮୪୫ ହୋଇଥିଲା ହେଲେ ୨୦୨୦ ମସିହାରେ ଏହିସଂଖ୍ୟା ବୃଦ୍ଧି ପାଇ ୨୪୦୧ ରେ ପହଂଚିଛି । ଅନ୍ୟପଟେ  ରାଜସ୍ଥାନରେ ୨୦୧୮ ମସିହାରେ ୧୦୯୫, ୨୦୧୯ ରେ ୧୭୯୭ ଓ ୨୦୨୦ ରେ ୧୮୭୮ ଟି ମାମଲା ରୁଜୁ ହୋଇଛି ।