କନକ ବ୍ୟୁରୋ : ବହୁ ଚର୍ଚ୍ଚିତ ଉତ୍ତରପ୍ରଦେଶ ଲଖିମପୁର ଖେରୀ ହିଂସାକାଣ୍ଡ ମାମଲାରେ ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରଙ୍କୁ ୩ ଦିନିଆ ପୁଲିସ ରିମାଣ୍ଡରେ ପଠାଇଲେ କୋର୍ଟ । ଆଶିଷ ମିଶ୍ରଙ୍କୁ ୧୪ଦିନିଆ ରିମାଣ୍ଡ ପାଇଁ ଆବେଦନ କରିଥିଲା ଏସଆଇଟି । ତେବେ ଏସଆଇଟିକୁ ଜେରା ପାଇଁ କୋର୍ଟ କେବଳ ୩ଦିନ ସମୟ ଦେଇଛନ୍ତି । ସୋମବାର ଭିଡିଓ କନଫେରେନ୍ସି ଜରିଆରେ ମାମଲାର ଶୁଣାଣୀ କରିଥିଲେ ଲଖିମପୁର ଖେରୀ ସିଜେଏମ କୋର୍ଟ । ଆଗାମୀ ୩ଦିନ ପର୍ଯ୍ୟନ୍ତ ଆଶିଷଙ୍କୁ ରିମାଣ୍ଡରେ ନେଇ ଜେରା କରିବ ଏସଆଇଟି । ଲଖିମପୁର ଖେରୀ ହିଂସାକାଣ୍ଡ ମାମଲାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରକୁ କୋର୍ଟରେ ହାଜର କରାଯାଇଥିଲା । ଏନେଇ ଲଖମିପୁର ଖେରୀ ସିଡିଜେଏମ କୋର୍ଟରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ।
ହିଂସା ଘଟଣାର ପଞ୍ଚମ ଦିନରେ ଗତ ଶନିବାର ଦିନ ଆଶିଷଙ୍କୁ ଗିରଫ କରାଯାଇଥିଲା । ୧୨ ଘଣ୍ଟାର ଜେରା ପରେ ସେ ଗିରଫ ହୋଇଥିଲେ । ପୁଲିସ କହୁଛି ସେ ତଦନ୍ତ ପ୍ରକ୍ରିୟାରେ ସହଯୋଗ କରୁନାହାନ୍ତି । ଉତ୍ତରପ୍ରଦେଶ ପୁଲିସ ଆଶିଷଙ୍କୁ ୧୪ ଦିନ ରିମାଣ୍ଡରେ ନେବାକୁ ଚାହିଥିଲା । ମାମଲାରେ ଥିବା ସମ୍ଭାବ୍ୟ ଷଡ଼୍ଯନ୍ତ୍ର ସଂକ୍ରାନ୍ତରେ ଜେରା ପାଇଁ ସେମାନେ ୧୪ ଦିନ ରିମାଣ୍ଡରେ ନେବାକୁ ଚାହିଥିଲେ । କିନ୍ତୁ ଆଶିଷଙ୍କ ଓକିଲ ଅୱଧେଶ ସିଂହ ଯୁକ୍ତି ବାଢ଼ିଥିଲେ ଯେ, ପୁଲିସ ତାଙ୍କୁ ୧୨ ଘଣ୍ଟା ଧରି ଜେରା କରିସାରିଛି । ଜେରା ପାଇଁ ଆଉ କେତେ ସମୟ ଦରକାର। ତାଙ୍କ ମହକିଲଙ୍କ ଉପରେ ସେମାନେ ଥାର୍ଡ ଡିଗ୍ରି ପ୍ରୟୋଗ କରିବେ କି ବୋଲି ସେ ପ୍ରଶ୍ନ କରିଛନ୍ତି । ଶାହରନପୁର ଡିଆଇଜି ଉପେନ୍ଦ୍ର ଅଗ୍ରୱାଲ କହିଛନ୍ତି, ଆଶିଷ ତଦନ୍ତ ପ୍ରକ୍ରିୟାରେ ସହଯୋଗ ନକରିବାରୁ ତାଙ୍କୁ ଗିରଫ କରାଯାଇଛି । ତଦନ୍ତ ପାଇଁ ତାଙ୍କ ମୋବାଇଲ ଫୋନ୍ ଜବତ କରାଯାଇଛି । ଲଖିମପୁର ଖେରି ହିଂସା ଘଟଣାରେ ଆଶିଷ ଏବଂ ଅନ୍ୟ ୧୫-୨୦ ଜଣ ଅଭିଯୁକ୍ତଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ହୋଇଛି ।
ଅନ୍ୟପକ୍ଷରେ, କଂଗ୍ରେସ ନେତାମାନେ କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରଙ୍କ ଇସ୍ତଫା ଦାବି କରିଛନ୍ତି। ଦେଶବ୍ୟାପୀ ବିଭିନ୍ନ ରାଜ୍ୟରେ କଂଗ୍ରେସ ମୁଖ୍ୟମାନେ ଦଳର କର୍ମୀ ଏବଂ ନେତାମାନଙ୍କ ସହ ମୌନବ୍ରତ ପାଳନ କରିଛନ୍ତି। କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି ଭଦ୍ରା ଏବଂ ଅନ୍ୟମାନେ ଲକ୍ଷ୍ନୌରେ ମୌନବ୍ରତ କରିଛନ୍ତି। ସେମାନେ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି । ହରିୟାଣା କଂଗ୍ରେସ ସଭାପତି କୁମାରୀ ସୈଲ୍ଜା ଦଳର ଅନ୍ୟ ନେତା ଏବଂ କର୍ମୀମାନଙ୍କ ସହ ମିଶି ସିର୍ସାରେ ମୌନବ୍ରତ କରିଛନ୍ତି । ବରିଷ୍ଠ କଂଗ୍ରେସ ନେତା ପି ଚିଦମ୍ବରମ ଗୋଆରେ କଂଗ୍ରେସର ନିରବ ଆନ୍ଦୋଳନରେ ଯୋଗ ଦେଇଛନ୍ତି। ଜମ୍ମୁ କାଶ୍ମୀରରେ କଂଗ୍ରେସ କର୍ମୀ ଏବଂ ନେତାମାନେ ଜମ୍ମୁ ରାଜଭବନ ବାହାରେ ଲଖିମପୁର ଖେରି ହିଂସା ଘଟଣାକୁ ବିରୋଧ କରି ମୌନବ୍ରତ କରିଛନ୍ତି । ଦିଲ୍ଲୀ କଂଗ୍ରେସ କର୍ମୀମାନେ ମଧ୍ୟ ମନ୍ତ୍ରୀ ଅଜୟ ମିଶ୍ରଙ୍କ ଇସ୍ତଫା ଦାବି କରି ମୌନବ୍ରତ କରିଛନ୍ତି। ଆସାମ ଏବଂ ରାଜସ୍ଥାନରେ କଂଗ୍ରେସ କର୍ମୀମାନେ ମଧ୍ୟ ସମାନ ଧରଣର ଆନ୍ଦୋଳନ କରିଛନ୍ତି ।