କନକ ବ୍ୟୁରୋ: ଏକାମ୍ର କ୍ଷେତ୍ରରେ ଶୁକଶାରି ମନ୍ଦିର ପୁନରୁଦ୍ଧାର ପ୍ରସଙ୍ଗରେ ମୁଣ୍ଡ ଖେଳାଇଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ପ୍ରସଙ୍ଗରେ ସେ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ରାଷ୍ଟ୍ର ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲଙ୍କୁ ପତ୍ର ଲେଖିଛନ୍ତି। ଭୁବନେଶ୍ୱରର ଏକାମ୍ର କ୍ଷେତ୍ର ବିଶେଷ ଭାବରେ ପ୍ରଭୁ ଲିଙ୍ଗରାଜ ଓ ଶୁକଶାରି ମନ୍ଦିର ଚତୁଃପାର୍ଶ୍ୱରେ ଥିବା ପ୍ରଚୀନ ମନ୍ଦିରର ସୁରକ୍ଷା ଓ ପୁନରୁଦ୍ଧାର ପାଇଁ ତୁରନ୍ତ ବ୍ୟକ୍ତିଗତ ହସ୍ତକ୍ଷେପ କରିବାକୁ ସେ ନିବେଦନ କରିଛନ୍ତି। ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ (ଏଏସଆଇ)ର ବିଶେଷଜ୍ଞ ଦଳକୁ ଭୁବନେଶ୍ୱର ପଠାଇବାକୁ ନିର୍ଦ୍ଦେଶ ଦେବା ସହ ଏହି କ୍ଷେତ୍ରର ଖନନ କରି ବିସ୍ତୃତ ଭାବେ ଗବେଷଣାର ଆବଶ୍ୟକତା ରହିଛି ବୋଲି କେନ୍ଦ୍ର ମନ୍ତ୍ରୀ ମତ ଦେଇଛନ୍ତି।
କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ନିକଟରେ ଏଏସ୍ଆଇର ଭୁବନେଶ୍ୱର ଶାଖା ଦ୍ୱାରା ମନ୍ଦିରମାଳିନୀ ଭୁବନେଶ୍ୱର ସହରର ଏକାମ୍ର କ୍ଷେତ୍ରରେ ଥିବା ଶୁକଶାରି ମନ୍ଦିର ନିକଟ ୨ ଏକର ଜମିରେ ଖନନ କାର୍ଯ୍ୟ ଚାଲିଥିଲା ବେଳେ ଶାରି ମନ୍ଦିରର ଉତ୍ତର-ପଶ୍ଚିମ କୋଣରେ ଥିବା ସୋମବଂଶୀ ସମୟର ଦଶମ ଓ ଏକାଦଶ ଶତାବ୍ଦୀର ଅମୂଲ୍ୟ ଭଗ୍ନାବଶେଷ ବାହାରିଛି। ଏଏସ୍ଆଇ ନିକଟରେ ଦୁଇଟି ଢାଞ୍ଚା ଆବିଷ୍କାର କରିଛି, ଯାହା ଶାରି ମନ୍ଦିରର ଭଗ୍ନାବଶେଷ ବୋଲି ଜଣାପଡୁଛି। ଏଏସ୍ଆଇର ବିଶେଷଜ୍ଞମାନେ ମତ ଦେଇଛନ୍ତି ଯେ, ଶାରି ମନ୍ଦିର ପଞ୍ଚାୟତନ ଢାଞ୍ଚାରେ ନିର୍ମାଣ ହୋଇଛି, ଯାହା ଚାରିଟି ଛୋଟ ଛୋଟ ମନ୍ଦିର ପରିସରଭୁକ୍ତ ରହିଛି। ଏକାମ୍ର କ୍ଷେତ୍ରରେ ଭୂମି ତଳେ ଅନେକ ଗୁଡ଼ିଏ ଐତିହାସିକ ଢାଞ୍ଚା ଥିବାର ଅନୁମାନ କରାଯାଉଛି।
ଭୁବନେଶ୍ୱରସ୍ଥିତ ଶୁକଶାରି ମନ୍ଦିର ଓ ପ୍ରଭୁ ଲିଙ୍ଗରାଜ ମନ୍ଦିର ପୁରାତନ କୀର୍ତ୍ତିରାଜି ଏବଂ ପ୍ରତ୍ନତତ୍ତ୍ବ ବିଭାଗ ଓ ଭଗ୍ନାବଶେଷ ଆଇନ (ଏମ୍ଏଏସ୍ଆର୍) ଅଧୀନରେ ଏଏସ୍ଆଇ ଦ୍ୱାରା ସୁରକ୍ଷିତ ରଖାଯାଇଛି। ତେଣୁ ଓଡ଼ିଶାର ପ୍ରଚୀନ କୀର୍ତ୍ତିରାଜିକୁ ସୁରକ୍ଷିତ ରଖିବା ପାଇଁ ତୁରନ୍ତ ପଦକ୍ଷେପ ନେବାର ଆବଶ୍ୟକତା ରହିଛି। ଓଡ଼ିଶାର ପ୍ରାଚୀନ ମନ୍ଦିରର ସ୍ଥାପତ୍ୟ, କାରୁକାର୍ଯ୍ୟ, ସାମାଜିକ, ସାଂସ୍କୃତିକ ଓ ଧାର୍ମିକ ମହତ୍ୱକୁ ଧ୍ୟାନରେ ରଖି ଭୁବନେଶ୍ୱର ଏକାମ୍ର କ୍ଷେତ୍ର ବିଶେଷ ଭାବରେ ପ୍ରଭୁ ଲିଙ୍ଗରାଜ ଓ ଶୁକଶାରି ମନ୍ଦିର ନିକଟକୁ ଏକ ଏଏସ୍ଆଇର ବିଶେଷଜ୍ଞ ଦଳକୁ ପଠାଇବାକୁ ନିର୍ଦ୍ଦେଶ ଦେବା ପାଇଁ ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି। ଏହା ଦ୍ୱାରା ଏଠାରେ ଭୂମି ତଳେ ଥିବା ଐତିହାସିକ ଢାଞ୍ଚାର ପୁନରୁଦ୍ଧାର ନିର୍ଦ୍ଧାରିତ ସମୟ ମଧ୍ୟରେ ହୋଇପାରିବ ବୋଲି କେନ୍ଦ୍ର ମନ୍ତ୍ରୀ ଆଶାପ୍ରକଟ କରିଛନ୍ତି।
Follow Us