ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ । କହିଲେ, ରାଉରକେଲାରେ ହେବ ଟୁଲ୍ ରୁମ୍ ଟ୍ରେନିଂ ସେଂଟର; ଖର୍ଚ୍ଚ ହେବ ୨୦୦କୋଟି। ଜମି ଯୋଗାଇବା ପାଇଁ ନବୀନଙ୍କ ପ୍ରତିଶ୍ରୁତି

711

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ । ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ପ୍ରତାପ ଷଡଙ୍ଗୀ କହିଛନ୍ତି, ଓଡିଶାର ରାଉରକେଲାରେ ହେବ ଟୁଲ ରୁମ ଟ୍ରେନିଂ ସେଂଟର । ଏଥିପାଇଁ ୨୦୦ କୋଟି ଖର୍ଚ୍ଚ କରିବେ କେନ୍ଦ୍ର ସରକାର । ଏଥିପାଇଁ ଜମି ଯୋଗାଇବେ ସରକାର । ଓଡିଶାର ବ୍ରହ୍ମପୁର, କେନ୍ଦୁଝର,କଳାହାଣ୍ଡି ଓ ବାଲେଶ୍ୱରରେ ହେବ ଏକ୍ସଟେନସନ ସେଂଟର । ପ୍ରତ୍ୟେକ ସେଂଟର ପାଇଁ ୨୦ କୋଟି ଖର୍ଚ୍ଚ ହେବ । ସାରା ଭାରତରେ ହେବ ୨୨୬ଟି ଏମଏସଏମଇ କ୍ଲଷ୍ଟର । ରାଜ୍ୟରେ ୪୫ଟି କ୍ଲଷ୍ଟର ହେବ ବୋଲି ପ୍ରତାପ ଷଡଙ୍ଗୀ କହିଛନ୍ତି ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଏବଂ ଗଂଜାମ ଜିଲ୍ଲାରେ ଅବ୍ୟବହୃତ ହୋଇ ପଡିଥିବା ପ୍ରାୟ ୬ ହଜାର ୭ ଶହ ଏକର ସମୁଦ୍ର କୂଳିଆ ଜମିରେ ମାଛ ଚାଷୀଙ୍କୁ ଛୋଟ ଛୋଟ ପ୍ଲଟ ବାଂଟିବାକୁ ଯୋଜନା କରାଯାଉଛି । ଯାହାଦ୍ୱାରା ଓଡିଶାରେ ମତ୍ସ୍ୟଚାଷର ଉତ୍ପାଦ ବଢିବା ସହ କ୍ଷୁଦ୍ର ଚାଷୀଙ୍କ ରୋଜଗାର ମଧ୍ୟ ବୃଦ୍ଧି ପାଇବ । ସେହିଭଳି ଓଡିଶାରେ କ୍ରେଜ କଲଚର ମଧ୍ୟ ଆରମ୍ଭ ହୋଇଛି । ଯାହାକୁ ସମୁଦ୍ର ଏବଂ ପଥର ଖାଦାନ ଖୋଲମାନଙ୍କରେ ଆରମ୍ଭ କରାଯାଉଛି । ତେବେ ଏନେଇ ଆସନ୍ତା ୧୪ ତାରିଖରେ ବାଲେଶ୍ୱରରେ ଏକ ରାଜ୍ୟସ୍ତରୀୟ କର୍ମଶାଳାର ଆୟୋଜନ ହେବ । ଯେଉଁଥିରେ ବିଭିନ୍ନ କୃଷିଭିତ୍ତିକ ଯୋଜନା ଉପରେ ଆଲୋଚନା କରାଯିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ।

ଏମଏସଏମଇ ବିଭାଗ ପକ୍ଷରୁ ଆଗକୁ ରାଜ୍ୟରେ ହେବାକୁ ଥିବା ବିଭିନ୍ନ ଯୋଜନା ବିଷୟରେ ଆଲୋଚନା କରିବା ପାଇଁ ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ ଏମଏସଏମଇ ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ।