ଆଜି ପୁରୀ ଗସ୍ତରେ ଯିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ । ପିପିଲି ବ୍ଲକ୍ କମକନ୍ତିଆ ଗାଁ ଯିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି

110

କନକ ବ୍ୟୁରୋ : କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ପୁରୀ ଗସ୍ତରେ ରହିବେ । ସେ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ଠାରେ ପ୍ରଧାନମନ୍ତ୍ରୀଙ୍କ କେଦାରନାଥ ଗସ୍ତ କାର୍ଯ୍ୟକ୍ରମର ସିଧାପ୍ରସାରଣରେ ଯୋଗ ଦେବେ। ଏହାପରେ କେନ୍ଦ୍ରମନ୍ତ୍ରୀ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରିବେ । କେନ୍ଦ୍ର ମନ୍ତ୍ରୀ ପିପିଲି ବ୍ଲକର କମକନ୍ତିଆ ଗ୍ରାମ ଗସ୍ତ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି ।

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର ୫ ତାରିଖରେ ଉତ୍ତରାଖଣ୍ଡର ପବିତ୍ର ଧାର୍ମିକ ସ୍ଥଳୀ କେଦାରନାଥକୁ ଗସ୍ତ କରିବେ । ପ୍ରଧାନମନ୍ତ୍ରୀ ମୋଦୀ କେଦାରନାଥ ଧାମରେ ପୂର୍ବାହ୍ନ ୧୧ଟାରେ ପହଂଚିବାର କାର୍ଯ୍ୟକ୍ରମ ରହିଛି । ଏହି ଗସ୍ତ କାଳରେ ପ୍ରଧାନମନ୍ତ୍ରୀ ୪୦୦ କୋଟି ଟଙ୍କା ବିନିଯୋଗରେ ନିର୍ମିତ ଓ ନିର୍ମାଣ ହେବାକୁ ଥିବା ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିବେ । ଏଥି ସହିତ କେଦାରନାଥରେ ନବନର୍ମିତ ଆଦି ଶଙ୍କରାଚାର୍ଯ୍ୟଙ୍କ ସମାଧୀ ସ୍ଥଳକୁ ଉନ୍ମୋଚନ କରିବେ ।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ଗସ୍ତର ସିଧାପ୍ରସାରଣ ହେବ । ସୂଚନାଯୋଗ୍ୟ ୨୦୧୩ ମସିହାରେ ପ୍ରାକୃତିକ ବିପର୍ଯ୍ୟୟରେ ଏଠାରେ ଥିବା ଆଦି ଶଙ୍କରାଚାର୍ଯ୍ୟଙ୍କ ସମାଧୀସ୍ଥଳ ଭାଙ୍ଗି ଯାଇଥିଲା । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ପ୍ରଧାନମନ୍ତ୍ରୀ ମୋଦୀ କେଦାରନାଥରେ ପ୍ରାୟ ୩ ଘଣ୍ଟା ପର୍ଯ୍ୟନ୍ତ ଅତିବାହିତ କରିବେ । ଏହି ସମୟରେ ସେ ବିଭିନ୍ନ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିବେ ।