ସ୍ତ୍ରୀଙ୍କୁ ନକହି ଶ୍ୱଶୁର ଘର ଉପରେ ବୁଲଡୋଜର ଚଢାଇ ଦେଇଥିଲେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ । ଜାଣନ୍ତୁ କଣ ଥିଲା ପୂରା କାହାଣୀ?

367

କନକ ବ୍ୟୁରୋ : କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ଗୁରୁବାର ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ ୱେ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଛନ୍ତି । ହରିୟାଣାର ଏକ କାର୍ଯ୍ୟକ୍ରମରେ ସାମିଲ ହୋଇ ଦେଶର ବିକାଶରେ ସଡକର ଭୂମିକା କେତେ ଗୁରୁତ୍ୱପୂର୍ଣ୍ଣ ତାହା ଦର୍ଶାଇଛନ୍ତି । ଏପରିକି ନୂଆ ସଡକ ନିର୍ମାଣ ଫଳରେ ବାୟୁ ପ୍ରଦୂଷଣ କମ ହେବା ସହ ପେଟ୍ରୋଲ ଖର୍ଚ୍ଚ ମଧ୍ୟ କମ ହେବ । ଏହାଦ୍ୱାରା କେବଳ ଯେ ସାଧାରଣ ଲୋକ ଲାଭବାନ ହେବେ ତାହା ନୁହେଁ ବରଂ ଦେଶ ବିକାଶପଥରେ ଆଗେଇବ । ଆଉ ଏହି ସଭାରେ ଦେଶରେ ନିର୍ମାଣ ହେଉଥିବା ବିଭିନ୍ନ ସଡ଼କ ପ୍ରକଳ୍ପ ବାବଦରେ ସୂଚନା ଦେବା ସହ ନିଜର ଏକ ପୁରୁଣା ଅନୁଭୂତି ମଧ୍ୟ ସେୟାର କରିଛନ୍ତି ଗଡକରୀ ।

କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ କହିଛନ୍ତି, ମୋର ବାହାଘରକୁ ଦିନ କେଇଟା ହୋଇଥିଲା । ସେତେବେଳେ ମୋ ଶ୍ୱଶୁର ଘର ନିର୍ମାଣ ହେବାକୁ ଥିବା ସଡକ ମଝିରେ ଆସୁଥିଲା । ଆଉ ସେତେବେଳେ ରାମଟେକରେ ହେବାକୁ ଥିବା ସଡକ ବାବଦରେ ସ୍ତ୍ରୀଙ୍କୁ କି ଛି ନକହି ଶ୍ୱଶୁର ଘର ଉପରେ ବୁଲଡୋଜର ଚଢାଇ ଦେଇଥିଲି ଏବଂ ସେଠାରେ ନୂଆ ସଡକ ତିଆରି ହୋଇଥିଲା । ଏଭଳି ଏକ ଅନୁଭୂତି ଶୁଣି ଉପସ୍ଥିତ ଲୋକ ମଧ୍ୟ ଆଶ୍ଚର୍ଯ୍ୟ ହୋଇଥିଲେ ।

ଏହାସହ ଟୋଲ ଟ୍ୟାକ୍ସକୁ ନେଇ ନୀତିନ ଗଡକରୀ କହିଛନ୍ତି, ଯଦି ଆପଣଙ୍କୁ ଭଲ ସର୍ଭିସ ଆବଶ୍ୟକ ତେବେ ଆପଣଙ୍କୁ ଅଧିକ ଟଙ୍କା ଦେବାକୁ ପଡିବ । ଆମ ବିଭାଗର ବଜେଟ ଲକ୍ଷେ କୋଟି ଟଙ୍କା । କିନ୍ତୁ ଆମେ ବାର୍ଷିକ ୧୫ ଲକ୍ଷ କୋଟି ଟଙ୍କାର ସଡକ ନିର୍ମାଣ କରୁଛୁ । ଯଦି ଆମେ ନିବେଶକଙ୍କ ଠାରୁ ଟଙ୍କା ଆଣୁଛୁ ତେବେ ସେମାନଙ୍କୁ ଫେରସ୍ତ ବି କରିବାକୁ ପଡିବ । ଯେହେତୁ ନୂଆ ସଡକ ନିର୍ମାଣ ଦ୍ୱାରା ଗନ୍ତବ୍ୟସ୍ଥଳରେ ପହଞ୍ଚିବାକୁ ଲୋକଙ୍କୁ କମ ସମୟ ଲାଗୁଛି ଏବଂ ପେଟ୍ରୋଲ ଖର୍ଚ୍ଚ ମଧ୍ୟ କମୁଛି, ତେଣୁ ସେହି ଟଙ୍କା ଟୋଲ ଟ୍ୟାକ୍ସରେ ଦେଲେ ଅସୁବିଧା କେଉଁଠି?

ଗଡକରୀ ନିଜକୁ ଚାଷୀ ବୋଲି କହିବା ସହ ସରକାର କିଭଳି ଚାଷୀଙ୍କୁ ଜମି ପାଇଁ ଅଧିକ ଟଙ୍କା ଦେଉଛନ୍ତି ତାହା କହିଛନ୍ତି । ଏହାସହ ଟ୍ରାଫିକ ଜାମ, ପ୍ରଦୂଷଣରୁ ମୁକ୍ତି ପାଇଁ ତାଙ୍କ ବିଭାଗ କାମ କରୁଥିବା କହିଛନ୍ତି । ଏପରିକି ସଡକରେ ଇଲେକଟ୍ରକି ଟ୍ରକ ଚାଲିବା ପାଇଁ ସ୍ୱପ୍ନ ଦେଖୁଥିବା କହିଛନ୍ତି ଗଡକରୀ । ତେବେ ନୂଆ ସଡକ ନିର୍ମାଣ ହେଉଥିଲେ ମଧ୍ୟ ଏହାର ଗୁଣବତ୍ତା ଯେପରି ଖରାପ ନ ହେବ ତାହା ପ୍ରତି ଦୃଷ୍ଟି ଦିଆଯାଉଛି । ଏପରିକି ଯିଏ ସଡକର ଗୁଣବତ୍ତା ଖରାପ କରିବ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ପଛାଇବୁ ନାହିଁ ବୋଲି କହିଛନ୍ତି ଗଡକରୀ । ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ ୱେର ନିର୍ମାଣ କାର୍ଯ୍ୟ ୨୦୨୩ ସୁଦ୍ଧା ଶେଷ ହେବ । ଏହି ଏକ୍ସପ୍ରେସ ୱେ ନିର୍ମାଣ ହେବା ଫଳରେ ଦିଲ୍ଲୀରୁ ମୁମ୍ବାଇକୁ ସଡକପଥରେ ମାତ୍ର ୧୨ ଘଣ୍ଟା ସମୟ ଲାଗିବ ।