କନକ ବ୍ୟୁରୋ: ମୁଣ୍ଡରେ କଳସ ଧରି ଗାଁ ଦାଣ୍ଡରେ ଚାଲିଲେ ଦେଶର ଅର୍ଥମନ୍ତ୍ରୀ । ବଡ ବ୍ୟକ୍ତିତ୍ୱଙ୍କୁ ନେଇ ହୁଏତ ଏମିତି କମ୍ ଦୃଶ୍ୟ ଦେଖିବାକୁ ମିଳେ । କିନ୍ତୁ ପୁରୀ ବୀର ହରେକୃଷ୍ଣପୁରରେ ଦେଖିବାକୁ ମିଳିଥିଲା ସେମିତି ଦୃଶ୍ୟ । ମୁଣ୍ଡରେ ଅମୃତ କଳସ ଧରି ସହିଦଙ୍କ ଗାଁର ପବିତ୍ର ମାଟି ସଂଗ୍ରହ କରିଥିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଯାହା ମନେ ପକାଇ ଦେଉଥିଲା ବୀରହରେକୃଷ୍ଣପୁରର ବୀରତ୍ୱର ଗାଥା । ମହାନ ସ୍ୱାଧୀନତା ସଂଗ୍ରାମୀ ସହିଦ ଜୟୀ ରାଜଗୁରୁଙ୍କ ଜନ୍ମସ୍ଥାନକୁ ଯାଇ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିବା ସହ ଘର ଘର ବୁଲି ପବିତ୍ର ମାଟି ସଂଗ୍ରହ କରିଥିଲେ କେନ୍ଦ୍ରମନ୍ତ୍ରୀ । ସହିଦଙ୍କ ଜନ୍ମସ୍ଥାନରୁ ସଂଗୃହିତ ପବିତ୍ର ମାଟି, ଦିଲ୍ଲୀ ଯିବ । ଅର୍ଥମନ୍ତ୍ରୀ ଆସିଥିବାରୁ ଗ୍ରାମବାସୀ ବି ବେଶ ଉତ୍ସାହିତ ଥିଲେ । ତାଙ୍କ ସହ ସେଲଫି ନେବାକୁ ଭିଡ ଜମାଇଥିଲେ ।
ପୁରୀ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟରେ ଆୟୋଜିତ ‘ମେରୀ ମାଟି ମେରା ଦେଶ’ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ୍ । କାର୍ଯ୍ୟକ୍ରମରେ ସାମିଲ ହୋଇ ବୃକ୍ଷରୋପଣ କରିବା ସହ ଆୟୋଜିତ ଏକ ସଭାରେ ୧୨ ଜଣ ସ୍ୱାଧୀନତା ସଂଗ୍ରାମୀଙ୍କ ପରିବାରକୁ ସମ୍ମାନିତ କରିଥିଲେ କେନ୍ଦ୍ର ଅର୍ଥମନ୍ତ୍ରୀ । ସହିଦଙ୍କ ପରିବାରକୁ ସମ୍ମାନିତ କରିବା ସମୟରେ ବେଶ୍ ଭାବବିହ୍ୱଳ ହୋଇ ପଡିଥିଲେ କେନ୍ଦ୍ରମନ୍ତ୍ରୀ । ଏପରିକି ଜଣେ ସହିଦଙ୍କ ବୃଦ୍ଧା ମାଙ୍କ ପାଦ ଛୁଇଁବା ସହ ତାଙ୍କୁ ଆଲିଙ୍ଗନ କରିଥିଲେ । ଏହା ପରେ ଅର୍ଥମନ୍ତ୍ରୀ ଉପସ୍ଥିତ ଶିକ୍ଷାର୍ଥୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ପଞ୍ଚ ପ୍ରାଣମନ୍ତ୍ରର ଶପଥ ପାଠ କରାଇଥିଲେ ।
ସକାଳୁ ସକାଳୁ ଅର୍ଥମନ୍ତ୍ରୀ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଥିଲେ । ଭିତର କାଠ ପାଖରେ ମହାପ୍ରଭୁଙ୍କ ଦର୍ଶନ କରିବା ସହ ଦୀପଦାନ କରିଥିଲେ । ସେହିଠାରେ ସାଷ୍ଟାଙ୍ଗ ପ୍ରଣାମ କରିଥିଲେ । ତାପରେ ଶ୍ରୀମନ୍ଦିର ବେଢ଼ା ଭିତରେ ବଟ ଗଣେଶ, ନୃସିଂହ ମନ୍ଦିର, ମା ବିମଳା ଓ ମା ଲକ୍ଷ୍ମୀଙ୍କ ଦର୍ଶନ କରିଥିଲେ । ମହାପ୍ରଭୁଙ୍କ ଦର୍ଶନ ସାରି ଫେରିବାବେଳେ ସିଂହଦ୍ୱାରରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅର୍ଥମନ୍ତ୍ରୀଙ୍କୁ ଖଣ୍ଡୁଆ ଓ ମହାପ୍ରଭୁଙ୍କ ଫଟୋଚିତ୍ର ପ୍ରଦାନ କରାଯାଇଥିଲା । ତେବେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ ସାରି ଫେରିବା ପରେ, ପୁରୀ ବେଳାଭୂମିକୁ ଯାଇଥିଲେ ଅର୍ଥମନ୍ତ୍ରୀ । ସେଠାରେ ବାଲୁକା ଶିଳ୍ପୀଙ୍କ ଦ୍ୱାରା ପ୍ରସ୍ତୁତ ‘ମୋ ମାଟି ମୋ ଦେଶ’ ବାଲୁକା କଳାର ପରିଦର୍ଶନ କରିଥିଲେ ।