କନକ ବ୍ୟୁରୋ: ଡେଙ୍ଗୁରେ ଚାଲିଗଲେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ପତ୍ନୀ ଝିଙ୍ଗିଆ ଓରାମ । ଝିଙ୍ଗିଆ ଓରାମଙ୍କ ୫୮ ବର୍ଷରେ ଦେହାନ୍ତ ହୋଇଛି । ଆପୋଲୋ ହସ୍ପିଟାଲରେ ଗତ ସାତ ଦିନ ଧରି ଡେଙ୍ଗୁ ରୋଗରେ ଚିକିତ୍ସା ହେଉଥିଲେ । ଶେଷରେ ଶନିବାର ରାତି ୧୦.୫୦ ମିନିଟ୍ ସମୟର ତାଙ୍କର ଦେହାନ୍ତ ହୋଇଥିବା ନେଇ ଖବର ମିଳିଛି। ଭୁବନେଶ୍ୱର ଲୁମ୍ବିନି ବିହାର ସ୍ଥିତ ଜୁଏଲ ଓରାମଙ୍କ ବାସଭବନରେ ଝିଙ୍ଗିଆଙ୍କ ଶେଷ ଦର୍ଶନ ଲାଗି ରାତି ଅଧରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏଥିସହ ବାଚସ୍ପତି, ଉପ ବାଚସ୍ପତି , ସ୍ୱାସ୍ଥ୍ୟମନ୍ତ୍ରୀ , ଅବକାରୀ ମନ୍ତ୍ରୀ , କ୍ରୀଡା ମନ୍ତ୍ରୀ , ଗ୍ରାମୀଣ ଉନ୍ନୟନ ମନ୍ତ୍ରୀ ସମେତ ବହୁ ବିଧାୟକ ଏବଂ ପୂର୍ବତନ ସଭାପତି ସହ ଅନେକ କର୍ମୀ ଉପସ୍ଥିତ ରହିଥିଲେ । ରାତି ୩ଟା ୧୦ ମିନିଟ ସମୟରେ ଲୁମ୍ବିନି ବିହାରରୁ ନିଜ ଜନ୍ମ ଭୂମି ସୁନ୍ଦରଗଡ଼ ଜିଲ୍ଲାର କେନ୍ଦୁଡିହିକୁ ମରଶରୀର ଯାଇଛି। ସେଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ସୂଚନା ଦେଇଛନ୍ତି ଜୁଏଲ ଓରାମ । ଭାରତୀୟ ଜନତା ପାର୍ଟିର ସହ ବହୁ କର୍ମୀ ଏବ ନେତାଙ୍କ ପାଇଁ ସେ ଏକ ସ୍ନେହୀ ଥିଲେ , ମେଳାପୀ ଥିଲେ ।
ଯେଉଁମାନେ ଜୁଏଲ ଓରାମଙ୍କ ଘରକୁ ଦେଖା କରିବାକୁ ଆସୁଥିଲେ ସେମାନଙ୍କ ସହିତ ଅତି ନିଜର ଭାବେ ମିଶୁଥିଲେ ତା ସହିତ ରହିବା ଖାଇବା କଥା ବୁଝୁଥିଲେ । ଜୁଏଲ ଓରାମଙ୍କ ଦୀର୍ଘ ଦିନର ରାଜନୈତିକ ଜୀବନରେ ଝିଙ୍ଗିଆଙ୍କର ପ୍ରମୁଖ ଭୂମିକା ରହିଛି । ଯେତେବେଳେ ଜୁଏଲ ଓରାମ ଘର୍ ଛାଡ଼ି ରାଜନୈତିକ କଥା ବୁଝିଥାନ୍ତି ସେତେବେଳେ ଝିଙ୍ଗିଆ ତାଙ୍କର ସମସ୍ତ ଘରର ଦାୟିତ୍ଵ ବୁଝୁଥିଲେ । ତାଙ୍କର ମର ଶରୀରକୁ ଶେଷ ଦର୍ଶନ କରିବା ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆମେ ଜୁଏଲଙ୍କ ପରିବାର ସହ ଅଛୁ। ଡେଙ୍ଗୁ ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଯାହା ସବୁ ଆବଶ୍ୟକ ସେ ସବୁ ପାଇଁ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି।