ନାରୀ ହେଲେ ସଶକ୍ତ, ଆଗେଇବ ଦେଶ । ଡିଜିଟାଲ କନଫରେନ୍ସିଂରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଗୁରୁତ୍ୱ, ଭାରତୀୟ ଅର୍ଥନୀତିରେ ମହିଳାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ।

166

କନକ ବ୍ୟୁରୋ: ଯେବେ ସଶକ୍ତ ହେବ ନାରୀ ଲମ୍ବିବ ଦେଶର ବିକାଶ ଡ଼ୋରୀ । ଆଗାମୀ ଦିନରେ ଭାରତୀୟ ମହିଳାମାନଙ୍କ ଭାରତୀୟ ଅର୍ଥନୀତିରେ ବଡ଼ ଭୂମିକା ରହିବ ବୋଲି ଫେଡେରସନ୍ ଓ ଇଣ୍ଡିଆନ୍ ଚାମ୍ବର୍ସ ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରୀ ମହିଳା ଶାଖାର ଏକ ଅନଲାଇନ ସମ୍ମିଳନୀରେ ଯୋଗଦେଇ ଗୁରୁତ୍ୱାରୋପ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କରୋନା ଭଳି ମହାମାରୀ ସମୟରେ ବିଶ୍ୱ ଏବଂ ଦେଶ ଡିଜିଟାଲ ଯୁଗର ସଠିକ୍ ଅନୁଭବ କରୁଛି । ଆଉ ବର୍ତ୍ତମାନ ସ୍ଥିତିରେ ମହିଳାମାନଙ୍କ ପରିଶ୍ରମ ଓ ଯୋଗଦାନରୁ ଆର୍ଥିକ ଆକଳନ ହେଉନଥିଲା କିନ୍ତୁ ଏବେ ଏମାନଙ୍କ ଯୋଗଦାନ ଆର୍ଥିକ ବିକାଶରେ ସଠିକ୍ ମୂଲ୍ୟାୟନ ହେବ ।

ପୁରୁଷ ତୁଳନାରେ ମହିଳାଙ୍କ ହାତକୁ ଅଧିକ ଆର୍ଥିକ କ୍ଷମତା ଆସିଲେ ପାଞ୍ଚଥର ଚିନ୍ତାକରି ଖର୍ଚ୍ଚ କରନ୍ତି । ଘରୋଇ ଟିପ୍ସରେ ସେମାନେ ଅଧିକ ସଚେତନ ଥାଆନ୍ତି ତେଣୁ ଆଗକୁ ଏହି ତରିକା ଭାରତୀୟ ଅର୍ଥବ୍ୟବସ୍ଥା ପାଇଁ ଶୁଭଙ୍କର ହେବ ବୋଲି କହିଛନ୍ତି ଧର୍ମେନ୍ଦ୍ର । ତେବେ ଅନ୍ୟ ଏକ ପ୍ରସଙ୍ଗରେ ଗୁରୁତ୍ୱ ଦେଇ କେନ୍ଦ୍ରମନ୍ତ୍ରୀ କହିଛନ୍ତି କି, କରୋନା ମହାମାରୀ ସମୟରେ ମହିଳାଙ୍କ ଖାତାକୁ ଜନଧନ ଓ ଅନ୍ୟାନ୍ୟ ଅର୍ଥ ତଥା ଏଲପିଜି ସବସିଡ଼ି ଯାଇଛି । ଏହା ହିଁ ସମାଜର ଖରାପ ଆର୍ଥିକ ପରିସ୍ଥିତି ସମୟରେ ମହିଳାମାନଙ୍କୁ ଅଧିକ ଶସକ୍ତ କରାଇପାରିଛି ।

ଅନ୍ୟପଟେ ଏହି ପ୍ରୟାସକୁ ଅଧିକ ତ୍ୱରାନ୍ୱିତ କରିବା ଉଦ୍ଦେଶ୍ୟରେ ମନ୍ତ୍ରଣାଳୟ ତରଫରୁ ଘରେ ଘରେ ପାଇପଯୋଗେ ପିଏନଜି ଗ୍ୟାସ୍ ଯୋଗାଣରେ ମହିଳାମାନଙ୍କୁ ଅଧିକ ମାତ୍ରାରେ ସାମିଲ କରାଯିବ । ଜାତୀୟ ଉର୍ଜା ଉତ୍ପାଦନର କେନ୍ଦ୍ରରେ ମହିଳାମାନେ ଆର୍ଥିକ ବିକାଶର ମୁଖ୍ୟ ପୁରୋଧା ପାଲଟିବେ ଏବଂ ଏନେଇ ତାଙ୍କ ବିଭାଗ ଗୁରୁତ୍ୱ ଦେବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।