କନକ ବ୍ୟୁରୋ: ଓଡିଶା ରାଜନୀତିରେ ଆଜିର ଦୃଶ୍ୟ ବିରଳ । ଯେତେବେଳେ, କୌଣସି ଶାସକ ଦଳର ନେତାଙ୍କ ଘରେ, ପରିବାର ସହ ବସି, ମୁଖ୍ୟ ବିରୋଧୀ ଦଳର ଦଳର ବରିଷ୍ଠ ନେତା ଆଲୋଚନା କରୁଥିବେ । ଦୁଃଖ ସମୟରେ ସମବେଦନା ଜଣାଉଥିବେ । କିନ୍ତୁ ଝାରସୁଗୁଡାରୁ ଦେଖିବାକୁ ମିଳିଛି ସେମିତି ଦୃଶ୍ୟ । ମନ୍ତ୍ରୀ ନବ ଦାସଙ୍କ ଶୁଦ୍ଧିକ୍ରିୟା ଶେଷ ହେବା ପରେ ତାଙ୍କ ଝାରସୁଗୁଡାସ୍ଥିତ ବାସଭବନରେ ପହଞ୍ଚିଥିଲେ ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ତାଙ୍କ ସହ ଥିଲେ ବିଜେପି ସାଂସଦ, ବିଧାୟକ ଓ ଅନ୍ୟ ନେତା । ଆଉ ଦିବଙ୍ଗତ ମନ୍ତ୍ରୀ ନବ ଦାସଙ୍କ ପୁଅ- ଝିଅଙ୍କ ସହ ଆଲୋଚନା କରିବା ସହ ସମବେଦନା ଜଣାଇଛନ୍ତି ।
ନବ ଦାସଙ୍କ ପରିବାରକୁ ଭେଟିବା ପଛରେ ଧର୍ମେନ୍ଦ୍ରଙ୍କର କି ପ୍ରକାର ରଣନୀତି ରହିଛି, ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିବାବେଳେ ପୁଣି ଥରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ଧର୍ମେନ୍ଦ୍ର । ରାଜ୍ୟର ଆଇନଶୃଙ୍ଖଳା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ।
କେବଳ ନବ ଦାସଙ୍କ ପରିବାର ନୁହେଁ ବ୍ରଜରାଜନଗରର ଦିବଙ୍ଗତ ବିଧାୟକ କିଶୋର ମହାନ୍ତିଙ୍କ ବାସଭବନକୁ ଯାଇ ତାଙ୍କ ପରିବାରକୁ ମଧ୍ୟ ଭେଟିଛନ୍ତି ଧର୍ମେନ୍ଦ୍ର । କିଶୋର ମହାନ୍ତିଙ୍କର ପ୍ରାୟ ବର୍ଷକ ପୂର୍ବରୁ ଦେହାନ୍ତ ହୋଇଥିଲେ ବି ଏବେ ତାଙ୍କ ପତ୍ନୀ ତଥା ବିଧାୟିକା ଅଳକା ମହାନ୍ତିଙ୍କୁ ଭେଟି ସମବେଦନା ଜଣାଇଛନ୍ତି । ଯାହା ପୂର୍ବରୁ କେବେ ଦେଖିବାକୁ ମିଳିନଥିଲା ।