ଆଫଗାନିସ୍ତାନରୁ ଆସିଲା ଶିଖ ଧର୍ମଗ୍ରନ୍ଥର ୩ଟି ପ୍ରତିଲିପି । ବିମାନବନ୍ଦରରୁ ଧର୍ମଗ୍ରନ୍ଥ ମୁଣ୍ଡାଇ ଆଣିଲେ କେନ୍ଦ୍ରମନ୍ତ୍ରୀ ହରଦୀପ ସିଂ ପୁରୀ ।

171

କନକ ବ୍ୟୁରୋ : ଆଫଗାନିସ୍ତାନରୁ ୭୮ ଜଣଙ୍କୁ ନେଇ ଦିଲ୍ଲୀ ପହଞ୍ଚିଛି ବିମାନ । ଏମାନଙ୍କ ମଧ୍ୟରେ ଅଛନ୍ତି ୨୫ ଜଣ ଭାରତୀୟ । ଏହି ବିମାନରେ ଶିଖ ସଂପ୍ରଦାୟର ତିନିଟି ଧର୍ମଗ୍ରନ୍ଥର ପ୍ରତିଲିପି ଆସିଛି । ଦିଲ୍ଲୀ ବିମାନ ବନ୍ଦରରେ ନିଜେ କେନ୍ଦ୍ର ମନ୍ତ୍ରୀ ହରଦୀପ ସିଂହ ପୁରୀ ଗୁରୁଗ୍ରନ୍ଥ ସାହିବଙ୍କ ପ୍ରତିଲିପିିକୁ ଗ୍ରହଣ କରିଛନ୍ତି । ଏପରିକି ମନ୍ତ୍ରୀ ହରଦୀପ ସିଂହ ପୁରୀ ଏହାକୁ ମୁଣ୍ଡାଇ ବିମାନ ବନ୍ଦରରୁ ବାହାରକୁ ଆସିଥିଲେ ।

ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ରାଷ୍ଟ୍ରମନ୍ତ୍ରୀ ଭି. ମୂରଲୀଧରନ ଓ ବିଜେପି ନେତା ଆର ପି ସିଂହ ମଧ୍ୟ ଅନ୍ୟ ଦୁଇଟି ପ୍ରତିଲିପିକୁ ମୁଣ୍ଡାଇ ଆସିଥିଲେ । ଗତକାଲି ଏହି ପ୍ରତିଲିପିକୁ ସୁରକ୍ଷିତ ଭାବେ କାବୁଲ ଏୟାରପୋର୍ଟକୁ ଅଣାଯାଇଥିଲା । ଏହା ପରେ ଆଜି ଭାରତ ପହଞ୍ଚାଯାଇଛି । ଆଫଗାନିସ୍ତାନକୁ ତାଲିବାନ କବଜା କରିବା ପରେ ସେଠାରେ ସ୍ଥିତି ବିଗିଡିବାରେ ଲାଗିଛି । ଅନ୍ୟ ଧର୍ମର ଲୋକଙ୍କୁ ତାଲିବାନମାନେ ଧମକାଉଛନ୍ତି । ଏହାରି ଭିତରେ ଗୁରୁଗ୍ରନ୍ଥ ସାହିବଙ୍କ ତିନିଟି ପ୍ରତିଲିପିକୁ ସୁରକ୍ଷିତ ଦିଲ୍ଲୀ ଅଣାଯାଇଛି ।

ଶିଖ ଧର୍ମାବଲମ୍ବୀଙ୍କ ପାଇଁ ଗୁରୁଗ୍ରନ୍ଥ ସାହିବ ସବୁଠାରୁ ପବିତ୍ର ଓ ବିଶ୍ୱାସର ଶୀର୍ଷରେ ଥିବାରୁ ନିଜେ କେନ୍ଦ୍ରମନ୍ତ୍ରୀ ଏହାକୁ ଗ୍ରହଣ କରିବା ପାଇଁ ଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚିଥିଲେ ।